ସାଲେପୁର: ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ବ୍ଲାକମେଲ୍ ଓ ମାନସିକ ନିର୍ଯାତନାର ଶିକାର ହୋଇ ଜଣେ ୨୧ ବର୍ଷୀୟା ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜଗତପୁର ଥାନା ଅନ୍ତର୍ଗତ ପୋଡ଼ାବର ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି।

ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ସୁଜାପୁର ଗ୍ରାମର ଜଣେ ଯୁବକଙ୍କ ସହ ଝିଅର ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଯୁବକ ଜଣକ ପୂର୍ବର ଭିଡିଓକୁ ଭାଇରାଲ୍ କରିଦେବାର ଧମକ ଦେଇ ତାଙ୍କୁ ଟଙ୍କା ମାଗିବା ସହ ବିଭିନ୍ନ ପ୍ରକାରେ ନିର୍ଯାତନା ଦେଉଥିଲେ। ଏପରିକି ଖୋର୍ଦ୍ଧାରେ ତାଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ଏହି ଘଟଣା ପରେ ଯୁବତୀ ଘରକୁ ଫେରିଆସିଥିଲେ। ତେବେ ବୁଧବାର ସକାଳେ ପ୍ରେମିକଙ୍କ ସହ ଭିଡିଓ କଲ୍‌ରେ କଥା ହେବାର କିଛି ସମୟ ପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଜଗତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି।

Also Read: ହତ୍ୟା ପରେ ୫ ସହର ବୁଲି ଲୁଚିଥିଲା, ଶେଷରେ ପୋଲିସ ହାତରେ ଧରାପଡ଼ିଲା କିଲର କେୟାର ଟେକର

ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ପୁଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ଅଭିଯୋଗର ସତ୍ୟାସତ୍ୟ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ଝିଅର ମୃତ୍ୟୁ ପରେ ଶୋକାକୁଳ ପରିବାର ପକ୍ଷରୁ ଏକ ମହତ୍ କାର୍ଯ୍ୟ କରାଯାଇଛି। ମୃତକଙ୍କ ବାପାଙ୍କ ସହମତିରେ ଯୁବତୀଙ୍କ ଚକ୍ଷୁ ଦାନ କରାଯାଇଛି।