ବେଜିଂ,୦୯/୦୮ଜାପାନର ଓକିନାଓ୍ୱା ଓ ଅମାମୀ ଦ୍ୱୀପରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ଡଲଫିନ। ଏଥିରେ ୫ ଜଣ ଆହତ ହୋଇଛନ୍ତି। ୧୪ ହଜାର ଘରକୁ ବିଜୁଳି ଯୋଗାଣ ଠପ୍ ହୋଇଯାଇଛି। ଜାପାନ ପରେ ଏହି ଝଡ଼ ଘଣ୍ଟା ପ୍ରତି ୧୬୨ କିଲୋମିଟର ବେଗରେରେ ଚୀନ୍ ଆଡ଼କୁ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବ ଚୀନରେ ସ୍କୁଲ,କଲେଜ,ବିମାନବନ୍ଦର,ବନ୍ଦର ଓ କାରଖାନା ଆଦି ବନ୍ଦ କରାଯାଇଛି। ପର୍ଯ୍ୟଟନସ୍ଥଳକୁ ନ ଯିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ,ସାମୁଦ୍ରିକ ଝଡ଼ ଡଲଫିନ୍ ପ୍ରଭାବରେ ଚୀନରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି। କିଛି ଅଞ୍ଚଳରେ ୬୦୦ ମିଲିମିଟର ଯାଏ ବର୍ଷା ହୋଇପାରେ। ଏହାଦ୍ଵାରା ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ଭୂସ୍ଖଳନ ଘଟଣା ମଧ୍ୟ ବଢ଼ିପାରେ। ଡଲଫିନ ଝଡ଼ ରବିବାର ରାତି କିମ୍ବା ସୋମବାର ଭୋରରେ ଝୋଜିଆଙ୍ଗ୍ ପ୍ରଦେଶ ଏବଂ ପଡ଼ୋଶୀ ଫୁଜିୟାନ ପ୍ରଦେଶର ଉତ୍ତର ଭାଗ ସହିତ ମାଡ଼ ହେବା ପରେ ଆର୍ଥିକ ରାଜଧାନୀ ସାଙ୍ଘାଇ ବି ପ୍ରଭାବିତ ହୋଇପାରେ।

Also Read :-୧୩ ତାରିଖରୁ ଭୟଙ୍କର ବର୍ଷା, ଡବଲ ଲଘୁଚାପ ପାଇଁ ଚିନ୍ତା : ଏହି ସବୁ ଜିଲ୍ଲାବାସୀ ରୁହନ୍ତୁ ସାବଧାନ !

ଶନିବାର ସରକାରଙ୍କ ପକ୍ଷରୁ ତୃତୀୟ ସ୍ତର ଜରୁରି ସ୍ଥିତି ଘୋଷଣା କରାଯାଇଛି। ଝେଜିଆଙ୍ଗରେ ଅନେକ ପର୍ଯ୍ୟଟନସ୍ଥଳୀ ଶନିବାର ଓ ରବିବାର ଦୁଇଦିନ ବନ୍ଦ ରହିବ । ଏଥିସହ ନୌକା ବିହାର ଏବଂ କ୍ରୁଜ ସମେତ ଅନ୍ୟ ଗତିବିଧି ବି ବନ୍ଦ ରହିବ।

ଡଲଫିନ ପ୍ରଭାବରେ ଜାପାନର ଓକିନାଓ୍ବା,ଚୀନ୍ ଏବଂ ତାଇୱାନରେ ବିମାନ ଉଡ଼ାଣ ରଦ୍ଦ କରାଯାଇଛି। ଜାପାନରେ ୫ ଜଣ ଆହତଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ରହିଛନ୍ତି। ଜୋରରେ ପବନ ବହିବା ଯୋଗୁ ସେମାନେ ନିୟନ୍ତ୍ରଣ ହରାଇ ପଡ଼ିଯାଇଥିଲେ। ଝଡ଼ ପ୍ରଭାବରେ ଅନେକ ସଂଖ୍ୟକ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ବିଜୁଳି ଯୋଗାଣ ଠପ୍ ହୋଇଯାଇଛି। ଜୁଲାଇ ୨୬ରେ ଏହି ଝଡ଼ ସୃଷ୍ଟି ହୋଇଥିଲା। ଶନିବାର ସକାଳେ ଏହା ଓକିନାଓ୍ବାର କୁମେ ଦ୍ବୀପଠାରୁ ପ୍ରାୟ ୧୬୦ କିଲୋମିଟର ଉତ୍ତର-ପଶ୍ଚିମରେ ରହିଥିଲା।