ଭୁବନେଶ୍ୱର,୦୯/୦୮:ଭଦ୍ରକର ତିହିଡ଼ିରେ ପୁଣି ବନ୍ୟା ସ୍ଥିତି । ସାଳନ୍ଦୀ ଓ ନାଳିଆ ନଦୀ ଜଳସ୍ତର ବଢ଼ିବା ଯୋଗୁ ଅନେକ ଗାଁରେ ପୁଣି ପାଣି ପଶିଛି। ତିହିଡ଼ିର ବାରୋ ପଞ୍ଚାୟତର ୮ଟି ଗାଁ,ବିଲଣା ଓ ତଳଗୋପବିନ୍ଧା ପଞ୍ଚାୟତର ୬ ଗାଁରେ ପାଣି ପଶିଛି। ଭଦ୍ରକ ବ୍ଳକ୍ର ଅର୍ଣ୍ଣପାଳ,ବିଷ୍ଣୁ ପୁରବିନ୍ଧା ଓ ଖଣ୍ଡତଡ଼ା ପଞ୍ଚାୟତର ୧୦ ଗାଁ ଲୋକେ ପାଣି ଘେରରେ। ଆଗକୁ ବର୍ଷା ବଢ଼ି ପାରେ। ୧୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଫଳରେ ଆଗକୁ କିଛି ସ୍ଥାନରେ ବନ୍ୟା ସ୍ଥିତି ଆହୁରି ସଙ୍ଗୀନ ହେବାର ଆଶଙ୍କା ଅଛି।

Also Read :- ଜବତ ବାଇକ ଥାନାରୁ ବିକ୍ରି ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି,ଉତ୍ତର ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଲଘୁଚାପ ସୃଷ୍ଟି ହୋଇଛି। ପୁଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବେଶ୍ ସକ୍ରିୟ ଅଛି। ଆସନ୍ତା ୧୩ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ଉତ୍ତର ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ୧୩ରୁ ୧୭ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି,ସୋମବାର ସୁନ୍ଦରଗଡ଼,ଝାରସୁଗୁଡ଼ା,ବରଗଡ଼ ଓ ସମ୍ବଲପୁରରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶା,ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ୧୦ ଓ ୧୧ ତାରିଖରେ ଉତ୍ତର ଓଡ଼ିଶା,ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୨,୧୩ ଓ ୧୪ ତାରିଖରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ସାଳନ୍ଦୀ ନଦୀରେ ଲଞ୍ଜାତାରା ଠାରେ ୩୦୦ଫୁଟ୍ ଲମ୍ବର ବିରାଟ ଘାଈ ସୃଷ୍ଟି ହୋଇଛି। ବାରୋଡିହ କୁଆମରାଠାରେ ୨୦୦ ଫୁଟ ଲମ୍ବର ଘାଈ ହୋଇଛି। ଗତ ୧୦ ଦିନ ହେବ ଭଦ୍ରକ ଓ ତିହିଡ଼ି ବ୍ଳକ୍ର ବହୁ ଗାଁ ବନ୍ୟା ଘେରରେ ଥିଲା । ଏବେ ବର୍ଷା ଦାଉ ସାଧିବାରୁ ପୁଣି ଥରେ ଗାଁରେ ପାଣି ପଶିଛି। ଜଳସମ୍ପଦ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ରାତି ୯ଟା ସୁଦ୍ଧା ବୈତରଣୀ ନଦୀ ଆଖୁଆପଦାଠାରେ ସତର୍କ ସଙ୍କେତ ପାର୍ କରିଥିଲା । ଏଠାରେ ସତର୍କ ସଙ୍କେତ ସ୍ତର ୧୭.୮୩ ମିଟର ଥିବାବେଳେ ୧୮.୨୫ ମିଟର ଜଳ ପ୍ରବାହିତ ହେଉଥିଲା। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୬.୪ ମିଟର ରହିଥିଲା। ରାଜଘାଟଠାରେ ସାଳନ୍ଦୀ ନଦୀ ବିପଦ ସଙ୍କେତ ପାଖାପାଖି ପହଞ୍ଚି ଯାଇଛି। ଏଠାରେ ବିପଦ ସଙ୍କେତ ସ୍ତର ୧୭ ମିଟର ଥିବାବେଳେ ଜଳସ୍ତର ୧୬.୧୦ ମିଟର ରହିଥିଲା। ମଥାନି ରୋଡରେ ଜଳକା ନଦୀର ଜଳସ୍ତର ୬.୪ ମିଟର ରହିଥିଲା। ମହାନଦୀର ନରାଜଠାରେ ଜଳସ୍ତର ୨୫.୫ ମିଟର ରହିଛି। ସେହିଭଳି ମୁଣ୍ଡଳୀରେ ୪ଲକ୍ଷ ୪ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିଲା