ଭୁବନେଶ୍ୱର ୦୩।୧୧ : ଭୀଷଣ ସାମୁଦ୍ରିକ ଝଡ଼ 'ମୁରାସୁ' ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ସ୍ଥଳଭାଗ ଛୁଇଁଛି। ନେଲୋର ଏବଂ ନରସାପୁର ମଧ୍ୟରେ, ଓଙ୍ଗୋଲ ନିକଟରେ ଆଜି ଭୋର ୦୩:୩୦ ରୁ ୦୫:୩୦ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ଏବଂ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିଥିଲା। ସ୍ଥଳଭାଗ ଛୁଇଁବା ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଝଡ଼ ତୋଫାନ ଯୋଗୁଁ ବହୁ ସ୍ଥାନରେ ଗଛଗୁଡ଼ିକ ଓପଡ଼ି ଯାଇଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଥିବେଳେ ସମୁଦ୍ର ଅଶାନ୍ତ ରହିବ ଏବଂ ଉଚ୍ଚ ଜୁଆର ଉଠିପାରେ। ଏହି ବାତ୍ୟାର ପ୍ରଭାବ କେବଳ ଆନ୍ଧ୍ରପୂର୍ବ ନୁହେଁ, ବରଂ ପଡ଼ୋଶୀ ରାଷ୍ଟ୍ର ତଥା ତାମିଲନାଡୁ, ପୁଡୁଚେରୀ ଏବଂ ଓଡ଼ିଶାର କିଛି ଦକ୍ଷିଣ ଜିଲ୍ଲାଗୁଡ଼ିକରେ ମଧ୍ୟ ପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି ଏବଂ ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। NDRF ଏବଂ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦଳକୁ ପ୍ରସ୍ତୁତ ରଖାଯାଇଛି। ଆନ୍ଧ୍ରପ୍ରଦେଶର ତିନୋଟି ବିମାନବନ୍ଦରରେ ୧୯ଟି ବିମାନ ଚଳାଚଳ ବାତିଲ କରାଯାଇଛି।

Also Read:-ନଭେମ୍ବର ୧୩ରେ ପୁଣି ବାତ୍ୟା ! ପାଞ୍ଜିରେ ଭୟଙ୍କର ଭବିଷ୍ୟବାଣୀ, ପୂର୍ବରୁ ସତ ହୋଇଛି ଅର୍ଣ୍ଣବ କଥା

ସେହିପରି ଚେନ୍ନାଇ ବିମାନବନ୍ଦରରୁ ମଧ୍ୟ ୧୧ଟି ଫ୍ଲାଇଟ୍ସ କ୍ୟାନ୍ସଲ କରାଯାଇଛି। ପାଞ୍ଚଟି ରାଜ୍ୟରେ NDRF ର ୩୭ଟି ଟିମ୍ ନିୟୋଜିତ କରାଯାଇଥିବା ବେଳେ, ସେଥିମଧ୍ୟରୁ ୧୩ଟି ଟିମ୍ କେବଳ ଆନ୍ଧ୍ରପ୍ରଦେଶରେ ମୁତୟନ ଅଛନ୍ତି। ଓଡ଼ିଶା ସହ ମଧ୍ୟ ପ୍ରଦେଶ, ଛତିଶଗଡ଼, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ମଧ୍ୟ ଘୂର୍ଣ୍ଣିଝଡ଼ର ପ୍ରଭାବ ପଡ଼ିପାରେ।