ଭୁବନେଶ୍ୱର ୮/୧୧ : ଆଜି ଆଲୋକର ପର୍ବ ଦୀପାବଳି । ଘରେ ଘରେ ସଜାହେବ ଦୀପ ଓ ରଙ୍ଗବେରଙ୍ଗର ଲାଇଟ୍ । ମହମବତୀ ଓ ଦୀପର ଆଲୋକରେ ଆଲୋକିତ ହୋଇ ଉଠିବ ସମଗ୍ର ଦେଶ । ଘରେ ଘରେ ସବୁଠି ଦେଖାଯିବ ଆଲୋକର ମାଳା । ସବୁଠି ଦେଖିବାକୁ ମିଳିଛି ଆନନ୍ଦ ଓ ଉତ୍ସାହ । ହେଲେ ଟିକିଏ ଅସାବଧାନତା ଉଜାଡ଼ି ଦେଇପାରେ ହସଖୁସିର ପରିବେଶ। ସାଜସଜ୍ଜାର ଚାକଚକ୍ୟ ଭିତରେ ଯେପରି କୌଣସି ଅଗ୍ନିକାଣ୍ଡ ନଘଟେ, ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ଆପଣଙ୍କୁ । ତେବେ ଦୀପ, ମହମବତୀ ଓ ରଙ୍ଗବେରଙ୍ଗର ଝାଲେରୀ ଲଗାଇବା ସମୟରେ କେଉଁ ସବୁ ସାବଧାନତା ଅବଲମ୍ବନ କରିବେ? ଆସନ୍ତୁ ଜାଣିବା।

ଦୀପାବଳି ଆସିଲେ ଆଲୋକମାଳାରେ ସଜେ ଘର। କେଉଁଠି ମାଟି ଦୀପର ଆଲୋକ ତ ଆଉ କେଉଁଠି ରଙ୍ଗବେରଙ୍ଗର ଇଲେକ୍ଟ୍ରି ଲାଇଟ ମାଳା ଦେଖିବାକୁ ମିଳିଥାଏ । ହେଲେ ଏହି ସାଜସଜ୍ଜା ଯେପରି ବିପଦର କାରଣ ନ ସାଜେ, ସେଥିପ୍ରତି ଧ୍ୟାନ ଦେବା ଜରୁରୀ। ମୁଖ୍ୟାତଃ ଦୀପ ଜଳାଇବା ସମୟରେ ଅଧିକ ସତର୍କ ରୁହନ୍ତୁ । ଦୀପକୁ ପରଦା, କାଗଜ, କପଡ଼ା ଓ ଅନ୍ୟ ସାମଗ୍ରୀଠାରୁ ଦୂରରେ ରଖନ୍ତୁ। ଦୀପକୁ କୌଣସି ଏକ ସମତଳ ଓ ସୁରକ୍ଷିତ ସ୍ଥାନରେ ଲଗାନ୍ତୁ । ଜଳୁଥିବା ଦୀପକୁ କେବେ ବି ଅସାବଧାନ ଭାବେ ଛାଡ଼ି ବାହାରକୁ ଯାଆନ୍ତୁ ନାହିଁ। ପିଲା ଓ ପୋଷା ଜୀବଙ୍କ ଠାରୁ ଦୀପକୁ ଦୂରେ ରଖନ୍ତୁ। ଖାଲି ଦୀପ ନୁହେଁ ମହମବତୀ ଜଳାଇବା ବେଳେ ବି ବହୁତ ସାବଧାନ ରହିବାକୁ ପଡିଥାଏ । ମହମବତୀକୁ ସବୁବେଳେ ଏକ ସ୍ଥିର ଓ ଅଗ୍ନିନିରୋଧୀ ଷ୍ଟାଣ୍ଡରେ ରଖନ୍ତୁ। ଏହାକୁ ପରଦା, ସୋଫା, ବେଡ୍ ଓ କାଗଜପତ୍ର ଦୁରେଇ ଲଗାନ୍ତୁ । ଘରୁ ବାହାରକୁ ଯିବା ପୂର୍ବରୁ କିମ୍ବା ଶୋଇବା ପୂର୍ବରୁ ମହମବତୀକୁ ଲିଭାଇ ଦିଅନ୍ତୁ। ସେଭଳି ଘରେ ଜଳୁଥିବା ଇଲେକ୍ଟ୍ରି ଲାଇଟରେ ମଧ୍ୟ ରହିଛି ଅଧିକ ବିପଦ । ଦୀପାବଳିରେ ଘରକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାରର ଇଲେକ୍ଟ୍ରିକ୍ ଲାଇଟ୍ ଲଗାଇଥାନ୍ରି ଲୋକେ । ହେଲେ ଖରାପ ତାର କିମ୍ବା ନିମ୍ନମାନର ଲାଇଟ୍ ଅଗ୍ନିକାଣ୍ଡର କାରଣ ସାଜିପାରେ । ଯଦି ତାର କେଉଁଠି ଛିଡିଯାଇଥାଏ ତେବେ ଏଥିରେ କରେଣ୍ଟ ମଧ୍ୟ ଲାଗିପାରେ ।

ତେଣୁ ସବୁବେଳେ ଭଲ ଗୁଣବତ୍ତାର ଓ ପ୍ରମାଣିତ ଲାଇଟ୍ ବ୍ୟବହାର କରନ୍ତୁ। ଛିଣ୍ଡିଯାଇଥିବା ତାର କିମ୍ବା ଖରାପ ପ୍ଲଗ୍ ବ୍ୟବହାର କରନ୍ତୁ ନାହିଁ। ଘରୁ ବାହାରକୁ ଯିବା ବେଳେ ଲାଇଟ୍ସୁଇଚ୍ ବନ୍ଦ କରନ୍ତୁ। ଘରେ ରଖନ୍ତୁ ଅଗ୍ନି ନିର୍ବାପକ ସାମଗ୍ରୀ |ଦୀପାବଳି ସମୟରେ ଘରେ ଅଗ୍ନି ନିର୍ବାପକ ଯନ୍ତ୍ର କିମ୍ବା ଉପଯୁକ୍ତ ଅଗ୍ନି ନିର୍ବାପକ ସାମଗ୍ରୀ ରଖିବା ଭଲ। ବିଦ୍ୟୁତ୍ ଜନିତ ନିଆଁ ଲାଗିଲେ ପାଣି ଢାଳନ୍ତୁ ନାହିଁ। ପ୍ରଥମେ ମୁଖ୍ୟ ବିଦ୍ୟୁତ୍ ସଂଯୋଗ ବନ୍ଦ କରି ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ ଏବଂ ଆବଶ୍ୟକ ହେଲେ ଅଗ୍ନିଶମ ବିଭାଗର ସହାୟତା ନିଅନ୍ତୁ। ଦୀପାବଳି ହେଉଛି ଖୁସି, ଆଲୋକ ଓ ଉତ୍ସବର ପର୍ବ। ତେଣୁ ସାମାନ୍ୟ ସତର୍କତା ଅବଲମ୍ବନ କରି ନିଜ ଘର ସହ ପରିବାରକୁ ମଧ୍ୟ ସୁରକ୍ଷିତ ରଖନ୍ତୁ। ମନେ ରଖନ୍ତୁ, ସାଜସଜ୍ଜାଠାରୁ ନିଜ ଜୀବନ ପ୍ରତି ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥର ଦୀପାବଳିରେ ଘର ସଜାନ୍ତୁ, ଆଉ ବହୁତ ସାବଧାନତାର ସହ ଉତ୍ସବ ପାଳନ୍ତୁ ।