ନୂଆଦିଲ୍ଲୀ :  ବଦଳୁଛି ସମୟ, ବଦଳୁଛି ଦୁନିଆ। ବିଜ୍ଞାନ ଯେତିକି ଆଗକୁ ବଢ଼ୁଛି, ମଣିଷର କଳ୍ପନା ମଧ୍ୟ ସେତିକି ବିସ୍ତାର ହେଉଛି । ହେଲେ ଆଗାମୀ ଦିନରେ ଦୁନିଆ କେଉଁ ଦିଗକୁ ଗତି କରିବ ? ମଣିଷ ଆହୁରି ଶକ୍ତିଶାଳୀ ହେବ ନା ମହାବିନାଶ ଆଡ଼କୁ ମୁହାଁଇବ ପୃଥିବୀ ? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ୨୦୨୭କୁ ନେଇ ବାବା ଭେଙ୍ଗାଙ୍କ କିଛି ଭବିଷ୍ୟବାଣୀ ।

ବୁଲଗେରିଆର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା। ୧୯୯୬ ରେ ତାଙ୍କର ଦେହାନ୍ତ ହୋଇଥିଲା। ହେଲେ ତାଙ୍କ ନାଁରେ ପ୍ରଚାରିତ ଭବିଷ୍ୟବାଣୀ ଆଜି ବି ଲୋକଙ୍କ ମଧ୍ୟରେ ସୃଷ୍ଟି କରୁଛି ଉତ୍କଣ୍ଠା। ବିଶେଷକରି ବିଶ୍ୱରେ ଯେତେବେଳେ କୌଣସି ବଡ଼ ଘଟଣା ଘଟେ, ସେତେବେଳେ ତାଙ୍କର ପୁରୁଣା ଭବିଷ୍ୟବାଣୀକୁ ନେଇ ଆରମ୍ଭ ହୋଇଯାଏ ଚର୍ଚ୍ଚା । ତାଙ୍କ ସମର୍ଥକଙ୍କ ଦାବି, ସେ କୋଭିଡ୍ ମହାମାରୀ, ୯/୧୧ ଆତଙ୍କବାଦୀ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ସମ୍ପର୍କରେ ପୂର୍ବରୁ ସଙ୍କେତ ଦେଇଥିଲେ।

୨୦୨୭କୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦାବି ହେଉଛି ମଣିଷଙ୍କ ଶରୀରରେ ଅସାଧାରଣ ଶକ୍ତିର ବିକାଶ। ବାବା ଭେଙ୍ଗାଙ୍କ ଅନୁଗାମୀଙ୍କ ଅନୁସାରେ, କୌଣସି ଜିନ୍ ଗତ ପରୀକ୍ଷଣ ଯୋଗୁଁ କିଛି ମଣିଷଙ୍କ ଶରୀରରେ ଅଦ୍ଭୁତ ପରିବର୍ତ୍ତନ ଆସିପାରେ। ଫଳରେ ସେମାନେ ସାଧାରଣ ମଣିଷଙ୍କଠାରୁ ହୋଇପାରନ୍ତି ଅଧିକ କ୍ଷମତାଶାଳୀ । ଏହି ଶକ୍ତି କେଉଁ ପ୍ରକାରର ହେବ, ତାକୁ ନେଇ କୌଣସି ସ୍ପଷ୍ଟ ବିବରଣୀ ନାହିଁ। ମଣିଷର ଶାରୀରିକ କ୍ଷମତା ବଢ଼ିବ ନା ମସ୍ତିଷ୍କର କାର୍ଯ୍ୟକ୍ଷମତାରେ ଅସାଧାରଣ ପରିବର୍ତ୍ତନ ଆସିବ, ସେ ସମ୍ପର୍କରେ ମଧ୍ୟ କୁହାଯାଇନି। କେବଳ ଏତିକି ଦାବି ଯେ, କୌଣସି ରୋଗ କିମ୍ବା ବୈଜ୍ଞାନିକ ପରୀକ୍ଷଣର ପ୍ରଭାବରେ କିଛି ଲୋକ ସୁପରହ୍ୟୁମାନ୍ ଭଳି ଶକ୍ତି ପାଇପାରନ୍ତି।

ପୁଟିନ୍ ହେବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା!- ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଉତ୍ଥାନ। ଦାବି ଅନୁସାରେ, ଆଗାମୀ ଦିନରେ ପୁଟିନ୍ ବିଶ୍ୱ ରାଜନୀତିରେ ଏକ ବଡ଼ ଶକ୍ତି ଭାବେ ଉଭା ହେବେ। ଏପରିକି ସେ ବିଶ୍ୱ ଉପରେ ନିଜର ପ୍ରଭାବ ଓ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି।

ସୁନା ଦର ସମ୍ବନ୍ଧୀୟ ପୂର୍ବାନୁମାନ: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୭ ସୁଦ୍ଧା ସୁନା ଦର ଆହୁରି ବୃଦ୍ଧି ପାଇବ।

ଏକ ନୂତନ ଶକ୍ତି ଉତ୍ସର ବିକାଶ: ୨୦୨୭ରେ ଏକ ନୂଆ ତଥା ରହସ୍ୟମୟ ଶକ୍ତି ଉତ୍ସର ଆବିଷ୍କାର ଉପରେ କାର୍ଯ୍ୟ ଆରମ୍ଭ ହୋଇପାରେ। ଯାହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିପାରେ ବିଶ୍ୱସ୍ତରରେ ।

2026 ପାଇଁ ବାବା ଭେଙ୍ଗା କିଛି ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଥିଲେ। ଯାହା କିଛି ସତ ହୋଇଛି ତ କିଛି ହୋଇନି। ଜାଣିବା ସେ ବିଷୟରେ...

ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା- ୨୦୨୬ରେ ବାବାଙ୍କ ସମର୍ଥକମାନେ ଏକ ବଡ଼ ଯୁଦ୍ଧର ଆଶଙ୍କା କରିଥିଲେ। ଏହି ଯୁଦ୍ଧ ପୂର୍ବ ଦିଗରୁ ପଶ୍ଚିମ ଦେଶଗୁଡ଼ିକ ପର୍ଯ୍ୟନ୍ତ ବ୍ୟାପିବାର ଦାବି ହୋଇଛି। ତୃତୀୟ ବିଶ୍ୱଯୁଦ୍ଧ ସମ୍ପର୍କିତ ଭବିଷ୍ୟବାଣୀ ବି ପ୍ରଚାରିତ ହେଉଛି। ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ସଂଘର୍ଷ, ଦେଶଗୁଡ଼ିକ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ସାମରିକ ଶକ୍ତି ପ୍ରଦର୍ଶନରେ ଏଭଳି ଭବିଷ୍ୟବାଣୀ କିଛିକାଂଶରେ ସତ ହେବା ପରି ମନେ ହୁଏ।

ପ୍ରାକୃତିକ ବିପର୍ଯ୍ୟୟରେ ଥରିବ ପୃଥିବୀ - ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ମଧ୍ୟ ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ। ୨୦୨୬ରେ ବଡ଼ ବଡ଼ ଭୂମିକମ୍ପ, ବନ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ତାଙ୍କ ଅନୁଗାମୀମାନେ ଦାବି କରିଥିଲେ। ଭେନେଜୁଏଲା, କଲମ୍ବିଆ, ଜାପାନ ଓ ଇଣ୍ଡୋନେସିଆ ଭଳି ଦେଶରେ ବଡ଼ ଭୂମିକମ୍ପ ଏବଂ ନେପାଳ-ତିବ୍ବତ ଅଞ୍ଚଳରେ ବିନାଶକାରୀ ବନ୍ୟା ପରେ ଏହି ଭବିଷ୍ୟବାଣୀ ସତ ହେବା ପରି ମନେ ହୁଏ କିନ୍ତୁ ଏହାର ସଠିକ ପ୍ରମାଣ ନାହିଁ।

Also Read- History of Tulasi Kshetra : ଗୋଟିଏ ଗାଈର କ୍ଷୀରଧାରାରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଆବିର୍ଭାବ, ହେଲେ କାହିଁକି ଝରିଥିଲା ରକ୍ତ ?

ଏଆଇ ନେବ ମଣିଷର ଚାକିରି, ଆସିବେ କି ଏଲିଏନ୍?- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଦୁନିଆକୁ ନେଇ ମଧ୍ୟ ରହିଛି ଅନେକ ଚର୍ଚ୍ଚା। କୁହାଯାଉଛି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ଆଗାମୀ ଦିନରେ ମଣିଷର ଜୀବନକୁ ସମ୍ପୂର୍ଣ୍ଣ ବଦଳାଇଦେବ। ଏହାର ପ୍ରଭାବରେ ମଣିଷଙ୍କ ଆବଶ୍ୟକତା କମିପାରେ ଏବଂ ଚାକିରି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିପାରେ। ବର୍ତ୍ତମାନ ଏଆଇର ବ୍ୟବହାର ଶିକ୍ଷା, ସ୍ୱାସ୍ଥ୍ୟ, ଗଣମାଧ୍ୟମ, ଶିଳ୍ପ ଓ ବ୍ୟବସାୟ ଭଳି ଅନେକ କ୍ଷେତ୍ରରେ ବଢ଼ୁଛି। ଏହା ଅନେକ କାମକୁ ସହଜ କରୁଥିବା ବେଳେ ଚାକିରିର ଭବିଷ୍ୟତକୁ ନେଇ ମଧ୍ୟ ଚିନ୍ତା ବଢ଼ାଇଛି। ଏହା ସହ ଏଲିଏନ୍ ବା ପୃଥିବୀ ବାହାରର ଜୀବଙ୍କ ଆଗମନକୁ ନେଇ ମଧ୍ୟ ଏକ ରୋଚକ ଦାବି ରହିଛି। ତେବେ ଏଆଇ କିଛି ମାତ୍ରାରେ ସତ ହୋଇଥିବାବେଳେ ଏଲିଏନ୍ ଆସିବା ଦାବିର ସତ୍ୟତାକୁ ନେଇ କୌଣସି ଠୋସ୍ ପ୍ରମାଣ ନାହିଁ। ବାବା ଭେଙ୍ଗାଙ୍କ ନାଁରେ ପ୍ରଚାରିତ ଭବିଷ୍ୟବାଣୀଗୁଡ଼ିକ ପ୍ରତିବର୍ଷ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ାଏ। କିନ୍ତୁ ଏହି ଭବିଷ୍ୟବାଣୀଗୁଡ଼ିକର କିଛି ନିର୍ଭରଯୋଗ୍ୟ ପ୍ରମାଣ ମିଳିନାହିଁ। ଆଗାମୀ ଦିନରେ ପ୍ରକୃତରେ କ'ଣ ଘଟିବ, ତାହା ତ ସମୟ କହିବ।