Twisha Sharma Caseମଡେଲ ତଥା ଅଭିନେତ୍ରୀ ତ୍ୱିଶା ଶର୍ମାଙ୍କ ହାଇପ୍ରୋଫାଇଲ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଦୀର୍ଘ ୧୦ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା ତ୍ୱିଶାଙ୍କ ଓକିଲ ସ୍ୱାମୀ ସମର୍ଥ ସିଂ ଶୁକ୍ରବାର ଜବଲପୁର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହାପରେ ଜବଲପୁର ପୋଲିସ ତାଙ୍କୁ ହେପାଜତକୁ ନେଇ ଭୋପାଳ ସ୍ଥାନାନ୍ତର କରୁଛି। ସମର୍ଥଙ୍କ ଆତ୍ମସମର୍ପଣ ସମୟରେ କୋର୍ଟ ପରିସରରେ ପ୍ରବଳ ହଙ୍ଗାମା ଓ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

କୋର୍ଟରେ ହଙ୍ଗାମା, ପୀଡ଼ିତାଙ୍କ ଓକିଲଙ୍କୁ ଆକ୍ରମଣ ଅଭିଯୋଗ

ସମର୍ଥ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ଗୋଟିଏ କୋର୍ଟ ରୁମରୁ ଅନ୍ୟ କୋର୍ଟ ରୁମକୁ ବୁଲୁଥିବା ବେଳେ ବାହାରେ ପୋଲିସ ତାଙ୍କୁ ଗିରଫ କରିବାକୁ ଅପେକ୍ଷା କରିଥିଲା। ଏହି ସମୟରେ କୋର୍ଟ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ତ୍ୱିଶାଙ୍କ ପିତା ଗଣମାଧ୍ୟମକୁ କହିଛନ୍ତି ଯେ କୋର୍ଟ ଭିତରେ ଭୟର ବାତାବରଣ ସୃଷ୍ଟି କରାଯାଇଥିଲା ଏବଂ ସେମାନଙ୍କ ଓକିଲଙ୍କୁ ଆକ୍ରମଣ କରାଯାଇଛି। ସେ ଅଭିଯୋଗ କରିଛନ୍ତି, "ଏହା ଅତ୍ୟନ୍ତ ଲଜ୍ଜାଜନକ। ଆମ ଓକିଲଙ୍କୁ ମାଡ଼ ମରାଯାଇଛି। ଏହି ଲୋକମାନେ ନ୍ୟାୟପାଳିକାକୁ ନେଇ ପରିହାସ କରୁଛନ୍ତି।"

ସମର୍ଥଙ୍କ ସରେଣ୍ଡରକୁ ନେଇ କ'ଣ କହିଥିଲେ ହାଇକୋର୍ଟ?

ମଧ୍ୟପ୍ରଦେଶ ହାଇକୋର୍ଟ ସମର୍ଥ ସିଂଙ୍କ ଅଗ୍ରୀମ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରିବା ସହ ତାଙ୍କୁ ଭୋପାଳର ଟ୍ରାଏଲ କୋର୍ଟ କିମ୍ବା କଟାରା ହିଲ୍ସ ଥାନାର ତଦନ୍ତକାରୀ ଅଧିକାରୀ (IO)ଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ଅଭିଯୁକ୍ତ ପୋଲିସ ନିକଟରେ ଆତ୍ମସମର୍ପଣ କରେ, ତେବେ ପୋଲିସ ଆଇନ ଅନୁଯାୟୀ ୨୪ ଘଣ୍ଟା ଜେରା କରି କୋର୍ଟରେ ହାଜର କରିପାରିବ।

ଦ୍ୱିତୀୟ ପୋଷ୍ଟମର୍ଟମ ପାଇଁ କୋର୍ଟଙ୍କ ଅନୁମତି

ଉତ୍ତର ପ୍ରଦେଶର ନୋଇଡା ବାସିନ୍ଦା ୩୩ ବର୍ଷୀୟା ତ୍ୱିଶା ଶର୍ମାଙ୍କ ବିବାହ ମାତ୍ର ୫ ମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୦୨୫ରେ ସମର୍ଥଙ୍କ ସହ ହୋଇଥିଲା। ଗତ ମେ ୧୨ ତାରିଖରେ ଭୋପାଳସ୍ଥିତ ଶ୍ୱଶୁର ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯାହାକୁ ନେଇ ତ୍ୱିଶାଙ୍କ ବାପଘର ଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ। ମାମଲା ଆଗକୁ ବଢ଼ିବା ପରେ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ତ୍ୱିଶା ଆତ୍ମହତ୍ୟା କରିଥିବା କୁହାଯାଇଥିଲେ। ହେଲେ ତାଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ।। ଶ୍ୱଶୁର ଘର ଲୋକ ନିଜ ପ୍ରଭାବ ଖଟାଇ ରିପୋର୍ଟ ବଦଳାଇଥିବା ଅଭିଯୋଗ କରି ପରିବାର ଲୋକେ ଦ୍ୱିତୀୟ ପୋଷ୍ଟମର୍ଟମ ଦାବି କରିଥିଲେ।

Also Read- ଆମେରିକାରେ ବି ମାରିଦେବୁ... Cockroach Janta Partyର ମୁଖ୍ୟଙ୍କୁ କିଏ ଦେଉଛି ଧମକ ?

କୋର୍ଟ ଏହି ଆବେଦନକୁ ଗ୍ରହଣ କରି ଦ୍ୱିତୀୟ ପୋଷ୍ଟମର୍ଟମ ପାଇଁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ଟ୍ୱିଶାଙ୍କ ମୃତଦେହ ଭୋପାଳ AIIMS ଶବଗୃହ -୪ ଡିଗ୍ରୀ ସେଲସିୟସରେ ରଖାଯାଇଛି, ଯଦିଓ ଦୀର୍ଘ ସମୟ ସୁରକ୍ଷିତ ରଖିବା ପାଇଁ -୮୦ ଡିଗ୍ରୀ ତାପମାତ୍ରା ଆବଶ୍ୟକ।

ଯୌତୁକ ନିର୍ଯାତନା ବନାମ ଡ୍ରଗ୍ସ ଆଡିକ୍ସନ୍ ଅଭିଯୋଗ

ତ୍ୱିଶାଙ୍କ ପରିବାର ତାଙ୍କ ସ୍ୱାମୀ ସମର୍ଥ ସିଂ ଏବଂ ଶାଶୁ ଗିରିବାଲା ସିଂ (ଯିଏ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍)ଙ୍କ ବିରୋଧରେ ସଙ୍ଗୀନ ଯୌତୁକ ନିର୍ଯାତନା ଓ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ, ଅଭିଯୁକ୍ତ ପରିବାର ଦାବି କରିଛନ୍ତି ଯେ ତ୍ୱିଶା ଡ୍ରଗ୍ସ ନିଶାସକ୍ତ ଥିଲେ। ତାଙ୍କର ମାନସିକ ସମସ୍ୟା ଥିଲା। ଏହି ମାମଲାରେ ଶାଶୂ ଗିରିବାଳା ସିଂଙ୍କୁ ପୂର୍ବରୁ ଅଗ୍ରୀମ ଜାମିନ ମିଳିସାରିଛି।

ସୂଚନାଯୋଗ୍ୟ, ସମର୍ଥଙ୍କୁ ଗିରଫ କରିବା ପାଇଁ ପୋଲିସ ପୂର୍ବରୁ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରିବା ସହ ତାଙ୍କ ପାସପୋର୍ଟ ବାତିଲ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନ ଏହି ମାମଲାର ତଦନ୍ତ ଏକ ୬ ଜଣିଆ ବିଶେଷ ତଦନ୍ତକାରୀ ଦଳ (SIT) କରୁଛି ଏବଂ ପରିବାର ପକ୍ଷରୁ ସିବିଆଇ (CBI) ତଦନ୍ତ ଦାବି କରାଯାଉଛି।