ନୂଆଦିଲ୍ଲୀ: ଭାରତରେ ଏବେ ବଡ଼ ଚର୍ଚ୍ଚାର ପ୍ରସଙ୍ଗ Cockroach Janta Party (CJP) । ସୋସିଆଲ ମିଡିଆରେ ଏହାର ଲୋକପ୍ରିୟତା ଆକାଶଛୁଆଁ । ହେଲେ ଲଞ୍ଚ ହେବାର ୪ ଦିନ ପରେ ଏହାର ଟ୍ବିଟର ଆକାଉଣ୍ଟକୁ ଡିଲିଟ୍ କରିଦିଆଯାଇଛି । କିନ୍ତୁ ଏବେ ଏହାର ସ୍ରଷ୍ଟା ଅଭିଜିତ ଦିପକେଙ୍କୁ ହତ୍ୟା ଧମକ ମିଳୁଛି । ଏକଥା ନିଜେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଅଭିଜିତ । ଏହା ସହ ସେ କିଛି ମେସେଜର ସ୍କ୍ରିନସଟ୍‌ ମଧ୍ୟ ସେୟାର କରିଛନ୍ତି । ଅଭିଜିତ୍ ଦିପକେଙ୍କ କହିଛନ୍ତି, ତାଙ୍କୁ ସୋସିଆଲ ମିଡିଆରୁ କକ୍ରୋଚ ଜନତା ପାର୍ଟି'ର ଆକାଉଣ୍ଟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବା ପାଇଁ ହ୍ୱାଟ୍ସଆପ୍ (WhatsApp)ରେ ଏକ ମେସେଜ୍ ଆସିଥିଲା। ଏହି ଆକାଉଣ୍ଟକୁ ବନ୍ଦ କରିବା ବଦଳରେ ତାଙ୍କୁ ବହୁ ପରିମାଣର ଟଙ୍କା ଅଫର କରାଯାଇଥିଲା । ଯଦି ସେ ଆକାଉଣ୍ଟ ବନ୍ଦ ନକରନ୍ତି, ତେବେ ତାଙ୍କୁ ଆମେରିକା (US)ରେ ମଧ୍ୟ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି । ଏବେ ବି ତାଙ୍କୁ ହତ୍ୟା ଧମକ ମିଳୁଛି ବୋଲି କହିଛନ୍ତି ଅଭିଜିତ ।

ଧମକ ମିଳିବା ପରେ ଅଭିଜିତ୍ ଚୁପ୍ ନରହି ଏହାର ପ୍ରମାଣ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ସେ ନିଜର ମାଇକ୍ରୋବ୍ଲଗିଂ ସାଇଟ୍ 'ଏକ୍ସ' (ପୂର୍ବର ଟ୍ୱିଟର) ଆକାଉଣ୍ଟରେ ହ୍ୱାଟ୍ସଆପ୍ ଚାଟ୍ର କିଛି ସ୍କ୍ରିନସଟ୍ (Screenshots) ସେୟାର୍ କରିଛନ୍ତି। ସ୍କ୍ରିନସଟ୍ ସେୟାର୍ କରି ସେ ଲେଖିଛନ୍ତି, ‘ବର୍ତ୍ତମାନ ଜୀବନରୁ ମାରିଦେବାକୁ ଧମକ ମିଳୁଛି।’ ଧମକପୂର୍ଣ୍ଣ ମେସେଜରେ ସ୍ପଷ୍ଟ ଭାବେ ଲେଖାଯାଇଛି, “ଆମେ ତୁମକୁ କକ୍ରୋଚ୍ ଜନତା ପାର୍ଟିର ଆକାଉଣ୍ଟ ବନ୍ଦ କରିବା ପାଇଁ ଟଙ୍କା ଦେବୁ। ନଚେତ୍, ଆମେ ତୁମକୁ ଆମେରିକାରେ ମଧ୍ୟ ମାରିଦେବୁ।”

କକ୍ରୋଚ ଜନତା ପାର୍ଟି (CJP) କ’ଣ ?

ସୋସିଆଲ ମିଡିଆରେ ସକ୍ରିୟ ଥିବା ଲୋକଙ୍କ ପାଇଁ ଏହି ନାମଟି ଆଦୌ ନୂଆ ନୁହେଁ। ଏହା କୌଣସି ପ୍ରକୃତ ରାଜନୈତିକ ଦଳ ନୁହେଁ, ବରଂ ଏକ ପ୍ରସିଦ୍ଧ ବ୍ୟଙ୍ଗାତ୍ମକ (Parody/Satire) ଆକାଉଣ୍ଟ । ନିଜର ନିଆରା ପୋଷ୍ଟ ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ଏହି ପେଜ୍ ଲକ୍ଷ ଲକ୍ଷ ଫଲୋୟର୍ସଙ୍କ ମନ ଜିତିବାରେ ସଫଳ ହୋଇଛି । ବୋଷ୍ଟନ ବିଶ୍ୱବିଦ୍ୟାଳୟର ଛାତ୍ର ଅଭିଜିତ ଦିପକେ କିଛି ଦିନ ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି ଅଭିଯାନ ଆରମ୍ଭ କରିଥିଲେ। ମେ’ ୧୬ରୁ ଆଜି ମଧ୍ୟରେ ଏହାର ଇନଷ୍ଟାଗ୍ରାମ୍ (@cockroachjantaparty) ଫଲୋୟର୍ସଙ୍କ ସଂଖ୍ୟା ୨୦ ମିଲିୟନ ଟପିଛି । ଏହା ପୂର୍ବରୁ ଗୁରୁବାର କକ୍ରୋଚ ଜନତା ପାର୍ଟିର ଏକ୍ସ ଆକାଉଣ୍ଟ ଉପରେ ରୋକ ଲାଗିଥିଲା । ପରେ ଅଭିଜିତ ଦିପକେ ‘କକ୍ରୋଚ ଇଜ୍ ବ୍ୟାକ୍’ ନାମରେ ଆଉ ଏକ ଆକାଉଣ୍ଟ ଖୋଲିଥିଲେ । ଦିପକେ ଏହା ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କ ବ୍ୟକ୍ତିଗତ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଅନେକ ଥର ଚେଷ୍ଟା କରାଯାଇଛି ।

ଚିନ୍ତାରେ ଦିପକେଙ୍କ ବାପା-ମା’

ଏକ ମରାଠୀ ନ୍ୟୁଜ୍ ଚ୍ୟାନେଲ ସହ ସାକ୍ଷାତକାରରେ ଛତ୍ରପତି ସମ୍ଭାଜୀନଗରରେ ରହୁଥିବା ଦିପକେଙ୍କ ବାପା-ମା, ଭଗବାନ ଦିପକେ ଏବଂ ଅନିତା ଦିପକେ କହିଛନ୍ତି ଯେ, ଅଭିଜିତ ଆଇନଗତ ସମସ୍ୟାରେ ପଡ଼ିପାରନ୍ତି ବୋଲି ସେମାନେ ଚିନ୍ତା କରୁଛନ୍ତି । ଯଦି ଆମେ ବର୍ତ୍ତମାନର ରାଜନୀତିକୁ ଦେଖିବା, ତେବେ ଭୟ ଲାଗିବା ସ୍ୱାଭାବିକ ବୋଲି ଅଭିଜିତଙ୍କ ବାପା କହିଛନ୍ତି । ସେପଟେ ଭାରତ ଫେରିଲେ ତାଙ୍କୁ ଗିରଫ କରାଯିବ ବୋଲି ଖୋଦ ଅଭିଜିତ ମଧ୍ୟ ଆଶଙ୍କା ପ୍ରକାଶ କରିଥିଲେ । ତେଣୁ ଭବିଷ୍ୟତରେ ପୁଅ ଅଭିଜିତଙ୍କ ଅଡ଼ୁଆ ବଢ଼ିବା ଭୟରେ ଅଛନ୍ତି ତାଙ୍କ ବାପା-ମା ।

AAP ସହ କନେକ୍ସନ ?

କକ୍ରୋଚ୍ ଜନତା ପାର୍ଟିକୁ ଏକ ସ୍ୱତନ୍ତ୍ର ଏବଂ ନିରପେକ୍ଷ ବ୍ୟଙ୍ଗାତ୍ମକ ପେଜ୍ ବୋଲି ଦର୍ଶାଯାଉଥିଲେ ମଧ୍ୟ, ଏହାର ପ୍ରତିଷ୍ଠାତା ଅଭିଜିତ୍ ଦିପକେ ପୂର୍ବରୁ ଆମ୍ ଆଦମୀ ପାର୍ଟି ସହ ସିଧାସଳଖ ଜଡ଼ିତ ଥିଲେ। ସୋସିଆଲ ମିଡିଆ ରେକର୍ଡ ଏବଂ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ଅନୁସାରେ, ଅଭିଜିତ୍ ଦିପକେ ଆମ୍ ଆଦମୀ ପାର୍ଟିର ସୋସିଆଲ ମିଡିଆ ଟିମ୍ (Social Media Team) ରେ ଜଣେ ସକ୍ରିୟ ସଦସ୍ୟ ବା କ୍ରିଏଟର ଭାବେ କାମ କରୁଥିଲେ। ସେ ଦଳ ପାଇଁ ଅନେକ ଡିଜିଟାଲ୍ କ୍ୟାମ୍ପେନ୍ ମଧ୍ୟ ପରିଚାଳନା କରୁଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀ ଓ ବିରୋଧୀ ରାଜନୈତିକ ସମର୍ଥକମାନଙ୍କ ଅଭିଯୋଗ ଅନୁସାରେ, CJP ଆକାଉଣ୍ଟରୁ ପୋଷ୍ଟ କରାଯାଉଥିବା ଅଧିକାଂଶ ବ୍ୟଙ୍ଗ କେବଳ କେନ୍ଦ୍ର ସରକାର (BJP) କିମ୍ବା ଅନ୍ୟ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରି କରାଯାଉଛି , କିନ୍ତୁ ଆମ୍ ଆଦମୀ ପାର୍ଟି ବିରୁଦ୍ଧରେ ଏଥିରେ କୌଣସି ପୋଷ୍ଟ ଦେଖିବାକୁ ମିଳୁନାହିଁ। ସମାଲୋଚକଙ୍କ ଅନୁସାରେ, ‘କକ୍ରୋଚ ଜନତା ପାର୍ଟି’ କୌଣସି ସାଧାରଣ ବ୍ୟଙ୍ଗାତ୍ମକ ପେଜ୍ ନୁହେଁ। ଏହାକୁ ଆମ୍ ଆଦ ପାର୍ଟିର ଏକ 'ପ୍ରକ୍ସି' (Proxy) ଆକାଉଣ୍ଟ ଭାବେ ବ୍ୟବହାର କରାଯାଉଛି । ଏହା ଦ୍ବାରା ହାସ୍ୟରସ ବାହାନାରେ ବିରୋଧୀ ଦଳଗୁଡ଼ିକ ଉପରେ ରାଜନୈତିକ ଆକ୍ରମଣ କରାଯାଇପାରିବ।