ବ୍ରାସିଲିଆ (ବ୍ରାଜିଲ): ହିନ୍ଦୀ ସିନେମା 'ଗୋପୀ କିଷନ'ରେ ଏକ ପ୍ରସିଦ୍ଧ ଡାଇଲଗ୍ ଥିଲା- "ମେରେ ଦୋ ଦୋ ବାପ୍ ହୈ"। ସିନେମାରେ ଏହା କେବଳ ଏକ ମଜାଳିଆ କଥା ଥିଲେ ମଧ୍ୟ, ବାସ୍ତବ ଜୀବନରେ ଠିକ୍ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଗୋଟିଏ ଦିନରେ ଦୁଇ ଜଣ ଅଲଗା ଅଲଗା ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ ହୋଇଥିଲେ ଏବଂ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଦୁଇ ପିଲାଙ୍କ ବାପା ଭିନ୍ନ ଭିନ୍ନ ବ୍ୟକ୍ତି ଅଟନ୍ତି।

Also Read: Odisha Politics: ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର, ସରଗରମ ରାଜନୀତି

କିପରି ସାମ୍ନାକୁ ଆସିଲା ସତ?

ଏହି ବିରଳ ଘଟଣାଟି ବ୍ରାଜିଲର ଗୋୟାସ୍ (Goiás) ପ୍ରଦେଶର ମିନେରୋସ୍ ସହରରେ ଘଟିଛି। ଜଣେ ୧୯ ବର୍ଷୀୟା ମହିଳା ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ପିଲାମାନଙ୍କୁ ୮ ମାସ ବୟସ ହେବା ପରେ ପିତୃତ୍ୱ ଜାଣିବା ପାଇଁ ଡିଏନଏ (DNA) ଟେଷ୍ଟ କରାଯାଇଥିଲା। କିନ୍ତୁ ରିପୋର୍ଟ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଜଣେ ପିଲାର ଡିଏନଏ ବାପାଙ୍କ ସହ ମେଳ ଖାଇଥିବା ବେଳେ, ଅନ୍ୟ ପିଲାର ଡିଏନଏ ଟେଷ୍ଟ ନେଗେଟିଭ୍ ଆସିଥିଲା।

Also Read: ସୋସିଆଲ ମିଡିଆରେ ଖରାପ ଶବ୍ଦ କହିଲେ ସାବଧାନ ! ଆସିବ ଆଇନ୍, ନିଆଯିବ କାର୍ଯ୍ୟାନୁଷ୍ଠାନ, ଚେତାଇଦେଲେ ଆଇନ୍ ମନ୍ତ୍ରୀ

ଗୋଟିଏ ଦିନରେ ଦୁଇ ଜଣଙ୍କ ସହ ସମ୍ପର୍କ

ରିପୋର୍ଟ ନେଗେଟିଭ୍ ଆସିବା ପରେ ମହିଳା ଜଣକ ସ୍ୱୀକାର କରିଥିଲେ ଯେ, ସେ ଗୋଟିଏ ଦିନରେ ଅନ୍ୟ ଜଣେ ପୁରୁଷଙ୍କ ସହ ମଧ୍ୟ ଶାରୀରିକ ସମ୍ପର୍କ ରଖିଥିଲେ। ତେଣୁ ସେହି ଦ୍ୱିତୀୟ ବ୍ୟକ୍ତିଙ୍କର ଡିଏନଏ ଟେଷ୍ଟ କରାଯିବାରୁ ତାହା ଦ୍ୱିତୀୟ ପିଲା ସହ ସମ୍ପୂର୍ଣ୍ଣ ମେଳ ଖାଇଥିଲା। ଅର୍ଥାତ୍, ଏହି ଯାଆଁଳା ସନ୍ତାନଙ୍କର ଦୁଇ ଜଣ ଭିନ୍ନ ଭିନ୍ନ ଜୈବିକ ପିତା ଅଛନ୍ତି। ଯଦିଓ ଦୁଇ ପିଲାଙ୍କର ପ୍ରକୃତ ବାପା ଅଲଗା, ତଥାପି ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ମହିଳାଙ୍କ ବର୍ତ୍ତମାନର ପାର୍ଟନରଙ୍କ ନାମ ହିଁ ଉଲ୍ଲେଖ କରାଯାଇଛି ଏବଂ ସେ ଖୁସିରେ ଉଭୟ ପିଲାଙ୍କ ଲାଳନପାଳନର ଦାୟିତ୍ୱ ନେଉଛନ୍ତି।

Also Read: ପୁଷ୍ପା ପରେ RAAKAରେ ଜଲଓ୍ଵା ଦେଖାଇବେ ଅଲ୍ଲୁ ଅର୍ଜୁନ, ସଭିଙ୍କୁ ଆଶ୍ଚର୍ଯ୍ୟ କଲା ଫିଲ୍ମର ପୋଷ୍ଟର

ଚିକିତ୍ସା ବିଜ୍ଞାନରେ ଏହାକୁ କ'ଣ କୁହାଯାଏ?

ଏହି ଅସାଧାରଣ ଘଟଣାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଭଳି ଅସ୍ୱାଭାବିକ ଗର୍ଭଧାରଣ ଉପରେ ଗବେଷଣା କରୁଥିବା ଡାକ୍ତର ଟୁଲିଓ ଜର୍ଜ ଫ୍ରାଙ୍କୋଙ୍କ (Dr. Tulio Jorge Franco) ମତରେ:

  1. ବିଶ୍ୱରେ ଏପର୍ଯ୍ୟନ୍ତ ଏଭଳି କେବଳ ୨୦ଟି ଘଟଣା ରେକର୍ଡ କରାଯାଇଛି, ଯେଉଁଠାରେ ଯାଆଁଳା ସନ୍ତାନଙ୍କର ଭିନ୍ନ ଭିନ୍ନ ପିତା ଥାଆନ୍ତି।
  2. ଚିକିତ୍ସା ବିଜ୍ଞାନ ଭାଷାରେ ଏହି ଅତି ବିରଳ ପ୍ରକ୍ରିୟାକୁ 'ହେଟେରୋପେରେଣ୍ଟାଲ୍ ସୁପରଫେକଣ୍ଡେସନ୍' (Heteroparental superfecundation) କୁହାଯାଏ।
  3. ମା'ର ଶରୀରରୁ ନିର୍ଗତ ଦୁଇଟି ଅଲଗା ଅଲଗା ଡିମ୍ବାଣୁ (Eggs), ଦୁଇ ଭିନ୍ନ ପୁରୁଷଙ୍କ ଶୁକ୍ରାଣୁ ଦ୍ୱାରା ଏକା ସମୟରେ ନିଷିକ୍ତ (Fertilized) ହେଲେ ଏଭଳି ବିରଳ ଗର୍ଭଧାରଣ ଘଟିଥାଏ।

ମହିଳାଙ୍କ ଗର୍ଭଧାରଣ ସମୟ ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲା ଏବଂ ଦୁଇ ପିଲା ସୁସ୍ଥ ଭାବେ ଜନ୍ମଗ୍ରହଣ କରିଥିଲେ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ବର୍ତ୍ତମାନ ପିଲାମାନଙ୍କୁ ୧ ବର୍ଷ ୪ ମାସ ବୟସ ହେଲାଣି। ନିଜର ପରିଚୟ ଗୋପନ ରଖିବା ସର୍ତ୍ତରେ ମହିଳା ଜଣକ ଡାକ୍ତରଙ୍କୁ ଏହି ତଥ୍ୟ ସାର୍ବଜନୀନ କରିବାକୁ ଅନୁମତି ଦେବା ପରେ ଏହି ରୋଚକ ତଥ୍ୟ ସାମ୍ନାକୁ ଆସିଛି।