ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଏବଂ ଏହାର ବିବିଧ ସଂସ୍କୃତି, ଭାଷା ଓ ପରମ୍ପରାକୁ ସବୁବେଳେ ପ୍ରଶଂସା କରିଆସିଛନ୍ତି । ସମୟ ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ବେଳର ଆଲୋଚନା ସଂପର୍କରେ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି । ନିକଟରେ ଏକ ସାକ୍ଷାତକାରରେ ପୁଟିନ୍‌ ପୁଣି ଥରେ ଭାରତୀୟ ସଂସ୍କୃତିକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତର ସାଂସ୍କୃତିକ ବିବିଧତା ତାଙ୍କୁ ମୁଗ୍ଧ କରିଛି । ଯେତିକି ଯେତିକି ସେ ଭାରତକୁ ଜାଣୁଛନ୍ତୁ, ତାଙ୍କ ମନରେ ସେତିକି କୌତୁହଳ ବୃଦ୍ଧି ପାଉଛି ବୋଲି କହିଛନ୍ତି ପୁଟିନ । 

ନରେନ୍ଦ୍ର ମୋଦୀଙ୍କ ସହ ହୋଇଥିବା ଏକ ବାର୍ତ୍ତାଳାପକୁ ମନେ ପକାଇ ଭାରତର ଭାଷାଗତ ବିବିଧତାକୁ ଭୂୟସୀ ପ୍ରଶଂସା କରିଛନ୍ତି ପୁଟିନ । ଦେଶର ଅଧାରୁ ଅଧିକ ଲୋକ କିପରି ନିଜ ନିଜର ଆଞ୍ଚଳିକ ଭାଷାରେ କଥାବାର୍ତ୍ତା କରନ୍ତି, ସେ ବିଷୟରେ ଜାଣି ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ମୁଗ୍ଧ ହୋଇଥିବା କହିଛନ୍ତି। ରୁଷୀୟ ଗଣମାଧ୍ୟମ 'ସ୍ପୁଟନିକ୍' ଅନୁଯାୟୀ, ପୁଟିନ କହିଛନ୍ତି ଯେ, ଭାରତୀୟ ସଭ୍ୟତା ହେଉଛି ବିଶ୍ୱର ସର୍ବପୂରାତନ ସଭ୍ୟତା । ଏହା ଅତ୍ୟନ୍ତ ରୋଚକ। ସେ ଏହା ବିଷୟରେ ଯେତେ ଅଧିକ ଜାଣୁଛନ୍ତି, ସେତେ ଅଧିକ ଆକର୍ଷିତ ହେଉଛନ୍ତି।

ସାକ୍ଷାତକାର ସମୟରେ ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ‘କିଛି ଦିନ ପୂର୍ବରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିଥିଲି ଯେ, ଭାରତର କେତେ ନାଗରିକ ଦେଶର ସରକାରୀ ଭାଷା କୁହନ୍ତି। ଏହାର ଉତ୍ତରରେ ମୋଦୀ କହିଥିଲେ ଯେ, ପ୍ରାୟ ୬୦ କୋଟି ଲୋକ ଏହି ଭାଷା ବ୍ୟବହାର କରନ୍ତି।  ମୋଟ ଜନସଂଖ୍ୟା ବିଷୟରେ ପଚାରିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଢ଼ ବିଲିୟନ (ପ୍ରାୟ ୧୫୦ କୋଟି) ବୋଲି କହିଥିଲେ।’ ଏହି ତଥ୍ୟ ଶୁଣି ସେ  ଅଭିଭୂତ ହୋଇଯାଇଥିଲେ । ଦେଶର କେବଳ ଏକ-ତୃତୀୟାଂଶ ଲୋକ ମୁଖ୍ୟ ଭାଷା କହୁଥିବା ବେଳେ ବାକି ଦୁଇ-ତୃତୀୟାଂଶ ଲୋକ ନିଜ ନିଜର ମାତୃଭାଷାରେ କଥା ହୁଅନ୍ତି । ଏହା ବାସ୍ତବରେ ଅଦ୍ଭୁତ ଏବଂ ଅବିଶ୍ୱସନୀୟ ବୋଲି କହିଥିଲେ ପୁଟିନ।

ଭାରତର କୌଣସି ନିର୍ଦ୍ଦିଷ୍ଟ ରାଷ୍ଟ୍ରୀୟ ଭାଷା ନଥିଲେ ମଧ୍ୟ ହିନ୍ଦୀ ଏବଂ ଇଂରାଜୀ ଦୁଇଟି ସରକାରୀ ଭାଷା ଭାବରେ ବ୍ୟବହାର ହେଉଛି । ଏହା ବ୍ୟତୀତ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ୨୨ଟି ପ୍ରମୁଖ ଭାଷାକୁ ମାନ୍ୟତା ଦିଆଯାଇଛି । ପୁଟିନଙ୍କର ଏହି ସାକ୍ଷାତକାରର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଭାରତର ବିବିଧତା ପ୍ରତି ତାଙ୍କର ଏହି ଦୃଷ୍ଟିକୋଣକୁ ବେଶ୍ ପସନ୍ଦ କରୁଛନ୍ତି। ଗତ ମାସରେ 'ଭାଲଦାଇ ଡିସକସନ୍ କ୍ଲବ'ରେ ସମ୍ବୋଧିତ କରିବା ସମୟରେ ମଧ୍ୟ ପୁଟିନ ଭାରତକୁ ଏକ ଅନନ୍ୟ, ବିବିଧତାପୂର୍ଣ୍ଣ ଏବଂ ଏକଜୁଟ ରାଷ୍ଟ୍ର ଭାବେ ବର୍ଣ୍ଣନା କରିଥିଲେ।