ଭୁବନେଶ୍ୱର, ୦୮/୦୪ : ଅପଶବ୍ଦ ବ୍ୟବହାର ଉପରେ ଲାଗିବ ରୋକ୍ । ସୋସିଆଲ ମିଡିଆ ହେଉ କିମ୍ବା ବାହାରେ । କେଉଁଠି ବି କେହି ଅପଶବ୍ଦ ବ୍ୟବହାର କରିପାରିବେ ନାହିଁ । ସର୍ବ ସାଧାରଣ ସ୍ଥାନରେ ଖରାପ ଶବ୍ଦ ପ୍ରୟୋଗ କଲେ ଦଣ୍ଡ ବିଧାନର ବ୍ୟବସ୍ଥା କରାଯିବ । ଏନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀ କହିଛନ୍ତି ଯେ, ସୋସିଆଲ ମିଡିଆ ଅତ୍ୟନ୍ତ କୁତ୍ସିତ ମିଡିଆ ହେବା ଆରମ୍ଭ କଲାଣି । କାହାକୁ କଣ ସମ୍ମାନ ଦେବା କଥା ତାହା କେହି ମାନୁ ନାହାଁନ୍ତି । କେଉଁ ବୟସର ୟୁଜର ଦେଖୁଛନ୍ତି ତାହା କେହି ଭାବୁ ନାହାଁନ୍ତି । ଅନେକ ବ୍ୟକ୍ତି ମନଇଚ୍ଛା ଭାଷା ପ୍ରୟୋଗ କରୁଛନ୍ତି । କିଏ ସେମାନଙ୍କ ଭିଡିଓ କିମ୍ବା କଣ୍ଟେଣ୍ଟ୍ ଦେଖୁଛି ତାହା ସେମାନେ ଚିନ୍ତା କରୁ ନାହାଁନ୍ତି ।

ସେହିପରି ଯେଉଁମାନେ ସୋସିଆଲ ମିଡିଆରେ ଆଶାଳୀନ ଶବ୍ଦ ପ୍ରୟୋଗ କରୁଛନ୍ତି ସେମାନେ ହେଲେ ମାନସିକ ରୋଗୀ । ସେମାନଙ୍କୁ ପାଗଳଖାନାରେ କରେଣ୍ଟ୍ ଦିଆଯିବା ଭଳି ବ୍ୟବସ୍ଥା କରାଯିବା ଦରକାର । ଯଦି ସେମାନଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ନରଖା ଯାଏଁ ତେବେ ସେମାନେ ସୋସିଆଲ ମିଡିଆର ଶାଳୀନତାକୁ ଧ୍ୱଂସ କରିଦେବେ ବୋଲି ଆଇନ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଅପଶବ୍ଦ ପ୍ରୟୋଗ ଉପରେ ଅଙ୍କୁଶ ଆଣିବା ପାଇଁ ଏକ ଆଇନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି ଆଇନ କମିଶନ । ପ୍ରିଭେଣ୍ଟସନ୍ ଅଫ୍ ହେଟ୍ ସ୍ପିଚ୍ ଏବଂ ହେଟ୍ କ୍ରାଇମ୍ ଆକ୍ଟକୁ ଲାଗୁ କରିବା ପାଇଁ କମିଶନ ପ୍ରସ୍ତାବ ଦେଇଛନ୍ତି । ଏହା ଛଡ଼ା ଆରଟିଆଇକୁ ଆବାସିକ ମାଧ୍ୟମରେ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଲୋକଙ୍କ ଦରଖାସ୍ତର ଉତ୍ତରକୁ ୧୫ଦିନ ଭିତରେ ଦେବାକୁ ପ୍ରସ୍ତାବ ରହିଛି । 

ପ୍ରସ୍ତାବରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ୧୫ ଦିନ ଭିତରେ ଉତ୍ତର ଦେବା ପାଇଁ ଆଇନ ଆସିବ । ଯଦି ତଥ୍ୟ ଦିଆଯାଉ ନାହିଁ ତେବେ ସେ ଅଧିକାରୀଙ୍କ ସିସିଆରରେ ଏହା ଲେଖାଯିବ । ଏମିତି ଅନେକ ନୂଆ ଆଇନ ଓ ପୁରୁଣା ଆଇନକୁ ନେଇ ନିଜର ପ୍ରସ୍ତାବ ଦେଇଛନ୍ତି କମିଶନ ।

​​​​​​​

ବର୍ଷ ପୂର୍ତ୍ତିରେ ପ୍ରସ୍ତାବ

କମିଶନର ଏକ ବର୍ଷ ପୂର୍ତ୍ତି ଅବସରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବର୍ଷକ ମଧ୍ୟରେ ଆଇନ କମିଶନ ସଫଳତା ସହ କାର୍ଯ୍ୟକରିଥିବା ଆଇନ ମନ୍ତ୍ରୀ କହିଛନ୍ତି। ବୈଠକରେ ଆଇନ କମିଶନଙ୍କ ପକ୍ଷରୁ ସରକାରଙ୍କୁ ବିଭିନ୍ନ ଆଇନକୁ ସଂଶୋଧନ ଓ ଅଦରକାରୀ ଆଇନକୁ ପ୍ରତ୍ୟଖ୍ୟାନ ପାଇଁ ପ୍ରସ୍ତାବ ଦିଆଯାଇଛି ।୨୮୮ଟି ଆଇନକୁ ନେଇ କମିଶନ ପ୍ରସ୍ତାବ ଦେଇଛନ୍ତି ।୨୮୦ଟି ଆଇନକୁ ବନ୍ଦ କରିବା ସହ ଟି ଆଇନକୁ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଲୋକଙ୍କ ନିକଟରେ ସୁଶାସନ ଯୋଗାଇ ଦେବା ପାଇଁ ଏହି କମିଶନ ଆରମ୍ଭ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏପରିକିକ ଓ୍ୱେବସାଇଟ୍ ମଧ୍ୟ ଉନ୍ମୋଚନ ହୋଇଛି । ଯାହାକୁ ସାଧାରଣ ଜନତା ଆକସେସ୍ କରିପାରିବେ ।