ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି ମଣିଷ । ଦୀର୍ଘ ୮ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ମହାକାଶରେ ପ୍ରାୟ ୧୦ ବିଲିୟନ କିଲୋମିଟର ଯାତ୍ରା କରି ଶେଷରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଛି BepiColombo । ଜାପାନ ଓ ୟୁରୋପର ମିଳିତ ମହାକାଶଯାନ 'ବେପିକଲମ୍ବୋ' ସଫଳତାର ସହ ବୁଧ ଗ୍ରହର କକ୍ଷପଥରେ ପ୍ରବେଶ କରିଛି। ୟୁରୋପୀୟ ମହାକାଶ ଏଜେନ୍ସି (ESA) ରବିବାର ଏହି ଐତିହାସିକ ସଫଳତା ବିଷୟରେ ସୂଚନା ଦିଆଯାଇଛି। 

BepiColomboର ଜଟିଳ ଯାତ୍ରା
ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟ କରି ସଂସ୍ଥା କହିଛି ଯେ, ଅଧ ଘଣ୍ଟାରୁ ଅଧିକ ସମୟ ଧରି ଏହାର ଥ୍ରଷ୍ଟରଗୁଡ଼ିକୁ ଚାଲୁ ରଖିବା ପରେ ମହାକାଶଯାନଟି ବୁଧର ମାଧ୍ୟାକର୍ଷଣ ବଳୟ ମଧ୍ୟରେ ସ୍ଥାପିତ ହୋଇପାରିଛି। ଆଗାମୀ ପଦକ୍ଷେପଗୁଡ଼ିକ ବିଷୟରେ ଆସନ୍ତା ସପ୍ତାହରେ ସୂଚନା ଦିଆଯିବ ବୋଲି ଏଜେନ୍ସି ସ୍ପଷ୍ଟ କରିଛି। ୨୦୧୮ ମସିହାରେ ପୃଥିବୀରୁ ଉତକ୍ଷେପଣ କରାଯାଇଥିବା ଏହି ଚାରି ଟନ୍ ଓଜନ ବିଶିଷ୍ଟ ମହାକାଶଯାନଟି ସୂର୍ଯ୍ୟର ସବୁଠାରୁ ନିକଟତମ ଗ୍ରହ ବୁଧ ନିକଟରେ ପହଞ୍ଚିବା ପାଇଁ ଏକ ଜଟିଳ ଯାତ୍ରା ଶେଷ କରିଛି। 

ଜଣାପଡ଼ିବ ‘ବୁଧ’ର ଅଜଣା କଥା !
ସୌରଜଗତର ସବୁଠାରୁ କ୍ଷୁଦ୍ର ତଥା ଏପର୍ଯ୍ୟନ୍ତ ସବୁଠାରୁ କମ୍ ଜଣାଶୁଣା ଗ୍ରହ ବୁଧ ଗ୍ରହ। ଚଳିତ ବର୍ଷ ଆରମ୍ଭରେ ଇଏସଏ ମିଶନ ମୁଖ୍ୟ ସାଣ୍ଟା ମାର୍ଟିନେଜ୍ ଗଣମାଧ୍ୟମକୁ କହିଥିଲେ ଯେ, ଏହି ଅଭିଯାନ ମାନବଜାତିକୁ ବୁଧ ଗ୍ରହ ସଂପର୍କରେ ଅନେକ ଅଜଣା ତଥ୍ୟ ଦେବ । ଏପରି କିଛି ଅଦେଖା ଦୃଶ୍ୟ ଦେଖାଇବ, ଯାହା ପୂର୍ବରୁ କେବେ ଦେଖାଯାଇ ନ ଥିଲା । ଏହା ସୌରଜଗତର ରହସ୍ୟକୁ ବୁଝିବାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ମିଶନର ଯୋଜନା ଅନୁଯାୟୀ, ଆସନ୍ତା ଡିସେମ୍ବର ୯ ଏବଂ ୧୦ ତାରିଖରେ ଏହି ମହାକାଶଯାନରେ ଥିବା ୟୁରୋପୀୟ ଏବଂ ଜାପାନୀ ଅଂଶ ଦୁଇଟି ପରଷ୍ପରଠାରୁ ଅଲଗା ହୋଇ ନିଜ ନିଜର ନିର୍ଦ୍ଦିଷ୍ଟ କକ୍ଷପଥକୁ ଚାଲିଯିବେ।

ବୁଧ ଗ୍ରହର ପରିବେଶ ଅତ୍ୟନ୍ତ ଜଟିଳ
​​​​​​​ଏହା ପରେ ୟୁରୋପୀୟ ଅର୍ବିଟରଟି ବୁଧ ପୃଷ୍ଠରୁ ମାତ୍ର ୪୮୦ କିଲୋମିଟର ଉଚ୍ଚତାରେ ରହି ଗ୍ରହର ଭୂପୃଷ୍ଠ ଓ ଗଠନ ବିଷୟରେ ଅନୁଧ୍ୟାନ କରିବ। ଅନ୍ୟପକ୍ଷରେ, ଜାପାନ ଅର୍ବିଟର ଏକ ଅଣ୍ଡାକାର କକ୍ଷପଥରେ ଗ୍ରହଠାରୁ ୧୧,୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାଇ ବୁଧ ଗ୍ରହର ଚୁମ୍ବକୀୟ କ୍ଷେତ୍ର ଉପରେ ଗବେଷଣା କରିବ। ସୂର୍ଯ୍ୟର ଅତି ନିକଟରେ ଥିବାରୁ ବୁଧ ଗ୍ରହର ପରିବେଶ ଅତ୍ୟନ୍ତ ପ୍ରତିକୂଳ ଓ ରହସ୍ୟମୟ। ଏଠାରେ ତାପମାତ୍ରା ରାତିରେ ମାଇନସ୍‌ ୧୮୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଚାଲିଯାଏ । ସେହିଭଳି ଦିନରେ ବୁଧ ଗ୍ରହରେ ତାପମାତ୍ରା ୪୫୦ ଡିଗ୍ରୀ ସେଲସିୟସ ପାର୍‌ କରିଯାଏ । ଏହା ପୂର୍ବରୁ ୧୯୭୪ ମସିହାରେ ନାସାର 'ମାରିନର ୧୦' ପ୍ରଥମ ମହାକାଶଯାନ ଭାବରେ ବୁଧ ଗ୍ରହ ନିକଟ ଦେଇ ଅତିକ୍ରମ କରିଥିଲା ।