ମେକ୍ସିକୋ ସିଟି, ୨୨।୧୧ : ହିଂସା, ଲୁଟ୍, ଦଙ୍ଗା । ଜଳୁଛି ମେକ୍ସିକୋ । ମେକ୍ସିକୋର ସିନାଲୋଆରେ ଡ୍ରଗ୍ସ ମାଫିଆ ଫାଷ୍ଟୋ ଇସିଡ୍ରୋ ମେଜା ଫ୍ଲୋରେସ ଓରଫ ଏଲ୍ ପାୟୋ ଇସିଡ୍ରୋକୁ ଏଫବିଆଇ ଗିରଫ କରିବା ପରେ ହିଂସା ଦେଖିବାକୁ ମିଳିଛି । ଲୋକେ ରାସ୍ତାରେ ଆସି ବିକ୍ଷୋଭ କରୁଛନ୍ତି । ପୋଡ଼ାଜଳା କରୁଛନ୍ତି । ଏପରିକି ରାସ୍ତାରେ ଗୁଳିକାଣ୍ଡର ଖବର ମଧ୍ୟ ଆସିଛି । ଅନ୍ୟ ଦିଗରେ ହିଂସାକୁ ରୋକିବା ପାଇଁ ସୈନ୍ୟ ହେଲିକପ୍ଟରରୁ ନିଶା କାରବାରୀଙ୍କ ଉପରେ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି । ଏସବୁକୁ ନେଇ ସାଧାରଣ ଲୋକେ ନାନା ହଇରାଣ ହରକତର ସାମ୍ନା କରୁଛନ୍ତି । ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସୈନ୍ୟ ହେଲିକପ୍ଟରରୁ ଲଗାତାର ଭାବେ ଫାୟାରିଂ କରାଯାଉଛି । ଲଗାତାର ଭାବେ ଡ୍ରଗ୍ସ ଡିଲର ଏବଂସୁରକ୍ଷାକର୍ମୀ ମୁହାଁମୁହିଁ ହେଉଛନ୍ତି । କିଛି ଜାତୀୟ ରାଜପଥରେ ଟ୍ରକକୁ ଜାଳି ଦିଆଯାଇଛି । ତସ୍କରମାନେ ଅନେକ ରାସ୍ତାକୁ ବନ୍ଦ କରିଦେଇଛନ୍ତି । ହଜାର ହଜାର ଗାଡି ରାସ୍ତାରେ ଫସି ରହିଛି ।

Also Read :- ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବଡ଼ ରେକର୍ଡ : '୭' ପାର୍ଟନରସିପରେ ପ୍ରଥମ ଥର ଐତିହାସିକ ମାଇଲଷ୍ଟୋନ୍

ମେକ୍ସିକୋ ପ୍ରତିରକ୍ଷା ମନ୍ତ୍ରାଳୟର କହିବାନୁସାରେ, ଆମେରିକାର ଗୁଇନ୍ଦା ବିଭାଗ ତଥ୍ୟ ଦେଇଥିଲା । ଏହାପରେ ମେଜା ଫ୍ଲୋରେସର ଠିକଣା ଜଣା ପଡିଥିଲା । ହଠାତ ଆକ୍ସନ ନିଆଯାଇ ତାକୁ ଗିରଫ କରାଯାଇଛି । ତାର ସାଥୀମାନଙ୍କୁ ମଧ୍ୟ ରୋକାଯାଇଥିଲା । ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଏବଂ ବୋମାମାଡ଼ ହୋଇଛି । ଏହାପରେ ଫ୍ଲୋରେସକୁ ଗିରଫ କରାଯାଇଥିଲା । ସେହିପରି ଆହୁରି ସୂଚନା ଦିଆଯାଇଛି ଯେ, ତିନି ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଅନ୍ୟ ଦୁଇ ସହଯୋଗୀ ରହିଛନ୍ତି ।

ତେବେ ନିଶା ତସ୍କରଙ୍କ ବିରୋଧରେ ସେହି ସମୟରେ ଆକ୍ସନ୍ ନିଆଯାଇଛି ଯେତେବେଳେ ମେକ୍ସିକୋ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲଗାତାର ଚାପ ପକାଉଥିଲେ । ବେଆଇନ ନିଶା କାରବାରକୁ ରୋକିବା ପାଇଁ ଅଧିକ ଚାପ ରହୁଥିଲା । ମେକ୍ସିକୋ ରାଷ୍ଟ୍ରପତି ମଧ୍ୟ ଡ୍ରଗ୍ସ କାରବାର ରୋକିବା ପାଇଁ ଲଗାତାର ପଦକ୍ଷେପ ନେଉଥିଲେ । କିନ୍ତୁ ଆମେରିକା ସୈନ୍ୟଙ୍କ ସିଧାସଳଖ ହସ୍ତକ୍ଷେପ ମେକ୍ସିକୋବାସୀଙ୍କୁ ପସନ୍ଦ ଆସିନଥିବା କୁହାଯାଉଛି ।