ମୁମ୍ଵାଇ ୦୨।୦୭; ସାଉଥ୍ ସୁପରଷ୍ଟାର୍ ୟଶ୍‌ ମୋଷ୍ଟ ଅୱେଟେଡ୍ ବା ବହୁ ପ୍ରତୀକ୍ଷିତ ଫିଲ୍ମ 'ଟକ୍ସିକ୍'ର ନୂଆ ଟିଜର୍ ରିଲିଜ୍ ହେବା ମାତ୍ରେ ହିଁ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ଏହି ଟିଜର୍ରେ ନୟନତାରା, କିଆରା ଆଡଭାନୀ, ତାରା ସୁତାରିଆ, ହୁମା କୁରେସି ଏବଂ ରୁକ୍ମିଣୀ ବସନ୍ତଙ୍କ ଚରିତ୍ରର ପ୍ରଥମ ଝଲକ ଦେଖାଯାଇଛି। ଅନେକ ଦର୍ଶକ ଏହି ଟିଜରକୁ ଦେଖିଲା ପରେ ବେଶ୍ ପ୍ରଶଂସା କରିଛନ୍ତି। ତେବେ ଅଧିକ ଲୋକ ଏହି ଟିଜରରେ ଅଭିନେତ୍ରୀମାନଙ୍କୁ ଯେଉଁଭଳି ଶୈଳୀରେ ଦେଖାଯାଇଛି, ତା’ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନେକ ଲୋକ ଏହି ଟିଜର୍କୁ ଶତାବ୍ଦୀର ସବୁଠାରୁ ଅଶ୍ଳୀଳ ଟିଜର୍ ବୋଲି କହୁଛନ୍ତି।

'ଲେଡିଜ୍ ଆଣ୍ଡ ଲେଡିଜ୍' ନାମରେ ଜାରି ହୋଇଥିବା ଏହି ଟିଜର୍ରେ ଫିଲ୍ମର ସମସ୍ତ ଲିଡ୍ ଅଭିନେତ୍ରୀଙ୍କର ଅଲଗା ଅଲଗା ଭାବେ ପରିଚୟ କରାଯାଇଛି। କିନ୍ତୁ କିଛି ଲୋକଙ୍କ ମତରେ, ଏଥିରେ ମହିଳା ଚରିତ୍ରଗୁଡ଼ିକୁ ଆବଶ୍ୟକତାଠାରୁ ଅଧିକ ଗ୍ଲାମରସ୍ ଏବଂ ଆକର୍ଷଣର କେନ୍ଦ୍ର କରି ଉପସ୍ଥାପନ କରାଯାଇଛି। ଏହି କାରଣରୁ ରିଲିଜ୍ ହେବାର କିଛି ସମୟ ମଧ୍ୟରେ ହିଁ ଏହି ଟିଜର୍ ସୋସିଆଲ ମିଡିଆରେ ଏକ ବଡ଼ ବିତର୍କର ବିଷୟ ପାଲଟିଯାଇଛି।

ଜଣେ ୟୁଜର୍ ‘ଏକ୍ସ’ରେ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଏହା ବର୍ଷଗୁଡ଼ିକରେ ସବୁଠାରୁ ଆପତ୍ତିଜନକ ଟିଜର୍। ତାଙ୍କ କହିବା କଥା ହେଲା, ଫିଲ୍ମରେ ମହିଳାମାନଙ୍କୁ କେବଳ ଆକର୍ଷଣୀୟ ବସ୍ତୁ ଭାବରେ ଦେଖାଯାଇଛି ଏବଂ ଏହାର ଡାଇଲଗ୍ (ସଂଳାପ) ମଧ୍ୟ ମହିଳାମାନଙ୍କ ପ୍ରତି ସମ୍ମାନଜନକ ମନେହେଉ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ମହିଳାମାନଙ୍କୁ ସମ୍ମାନ କରନ୍ତି, ସେମାନେ ଏଭଳି ଫିଲ୍ମକୁ ଆଦୌ ସମର୍ଥନ କରିବା ଉଚିତ୍ ନୁହେଁ। ଅନ୍ୟ ଜଣେ ୟୁଜର୍ ପ୍ରଶ୍ନ ଉଠାଇଛନ୍ତି ଯେ କ’ଣ ସମ୍ପୂର୍ଣ୍ଣ ଫିଲ୍ମଟି କେବଳ ହିଂସା ଏବଂ ଏହିଭଳି ଅଶ୍ଳୀଳ ଓ ବୋଲ୍ଡ କଣ୍ଟେଣ୍ଟ ଚାରିପାଖରେ ଘୂରି ବୁଲୁଛି?। ଏହି ଫିଲ୍ମ ପାରିବାରିକ ଦର୍ଶକଙ୍କ ପାଇଁ ଜମାରୁ ବି ଠିକ୍ ହେବନାହିଁ। କିଛି ଲୋକ ଏହି ଟିଜର୍କୁ କଣ୍ଡୋମ୍ ବିଜ୍ଞାପନ ସହିତ ତୁଳନା କରିଛନ୍ତି। ଆଉ ଜଣେ ୟୁଜର୍ ଲେଖିଛନ୍ତି ଯେ ଯଦି ଏହିଭଳି ଟିଜର୍ ଅନ୍ୟ କୌଣସି ନିର୍ଦ୍ଦେଶକ, ବିଶେଷ କରି ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ଫିଲ୍ମର ହୋଇଥାନ୍ତା, ତେବେ ସୋଶାଲ ମିଡିଆରେ ଅଧିକ ବିରୋଧ ଦେଖିବାକୁ ମିଳିଥାନ୍ତା। ଅନ୍ୟ ଜଣେ କହିଛନ୍ତି, 'କୌଣସି ବି ସ୍ୱାଭିମାନୀ ମହିଳା ଏହି ଅଶ୍ଳୀଳ ଫିଲ୍ମ ଦେଖିବା ଉଚିତ୍ ନୁହେଁ ।

ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଟକ୍ସିକ୍: ଏ ଫେୟାରୀ ଟେଲ୍ ଫର୍ ଗ୍ରୋନ୍-ଅପ୍ସ' ୨୬ ଅଗଷ୍ଟରେ ରିଲିଜ୍ ହେବ। ଫିଲ୍ମର କାହାଣୀ ଗୋଆର ପୃଷ୍ଠଭୂମି ଉପରେ ଆଧାରିତ ଏବଂ ଏହା ୧୯୪୦ ରୁ ୧୯୭୦ ମସିହା ମଧ୍ୟରେ ବିସ୍ତାରିତ ତିନୋଟି ଦଶନ୍ଧିରେ ଏକ ଶକ୍ତିଶାଳୀ ଡ୍ରଗ୍ସ କାର୍ଟେଲ୍ (ଡ୍ରଗ୍ସ ମାଫିଆ ଦଳ)ର କାହାଣୀ ଦେଖାଉଛି। ଏହି ଫିଲ୍ମରେ ୟଶ୍ ଡବଲ୍ ରୋଲ୍ (ଦ୍ୱୈତ ଭୂମିକା) ନିଭାଉଛନ୍ତି। ଫିଲ୍ମର ଶୁଟିଂ କନ୍ନଡ ଏବଂ ଇଂରାଜୀ ଭାଷାରେ ଏକସଙ୍ଗେ କରାଯାଇଛି। ଏହାକୁ ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଭାଷାରେ ଡବ୍ କରାଯାଇଛି।