ବଡ଼ବିଲ ୨୩।୦୭ : ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିହେଲା ଥାର୍। ଦୁର୍ଘଟଣାରେ ଗୋଟିଏ ପରିବାରର ତିନିଜଣ ମୃତ, ଜଣେ ଗୁରୁତର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୨୦ ନମ୍ବର ଜାତୀୟ ରାଜପଥର ରଜିଆ ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା ।

ଖବର ଅନୁଯାୟୀ, ବୁଧବାର ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ସିଜୁକଳା ଗାଁର  ତ୍ରିଲୋଚନ ଆପଟ ଅସୁସ୍ଥ ହୋଇ ପଡିବାରୁ  ପରିବାର ଲୋକ ତାଙ୍କୁ ଏକ ଥାର୍ ଗାଡ଼ିରେ ଚମ୍ପୁଆ ଡାକ୍ତରଖାନା ନେଇଯାଉଥିଲେ। ଗାଡ଼ିରେ ତାଙ୍କ ପୁଅ ରଞ୍ଜିତ ଆପଟ, ସ୍ତ୍ରୀ କଇଁଫୁଲ ଆପଟ ଓ ଭାଇ ଭାସ୍କର ଆପଟଙ୍କ ସହ ମୋଟ ୪ଜଣ ଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ଭାସ୍କର ଆପଟଙ୍କ ମୃତ୍ୟୁ ଘଟିଥିବାବେଳେ, ସ୍ଥାନୀୟ ଲୋକ ଓ  ଅଗ୍ନିଶମ ବିଭାଗର ସହଯୋଗରେ ଅନ୍ୟ ତିନିଜଣଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା ।

Also Read:-Sunglasses : ଶସ୍ତା ସନଗ୍ଲାସ୍ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଆଖି ଉପରେ ଏହା କି ପ୍ରଭାବ ପକାଏ...

ଅନ୍ୟପଟେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତାରେ ତ୍ରିଲୋଚନ ଓ ସ୍ତ୍ରୀ କଇଁଫୁଲଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ପୁଅ ରଞ୍ଜିତ ଆପଟଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚମ୍ପୁଆ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଘଟଣା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।