ହାଇଦ୍ରାବାଦ୍: ତେଲେଙ୍ଗାନାରେ ଗ୍ରୀଷ୍ମ ଲହରି ଏବେ ବିକରାଳ ରୂପ ଧାରଣ କରିଛି। ବିଭିନ୍ନ ସ୍ଥାନରେ ଅଂଶୁଘାତ ଯୋଗୁ ୧୬ ଜଣଙ୍କ ମୃତ୍ୟୁ ହେଲାଣି। ରାଜ୍ୟ ରାଜସ୍ୱ ମନ୍ତ୍ରୀ ପି.ଶ୍ରୀନିବାସ ରେଡ୍ଡୀ ଶନିବାର ଏହି ସୂଚନା ଦେଇଛନ୍ତି। ସରକାର ଅଂଶୁଘାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଚଳିତବର୍ଷ ତେଲେଙ୍ଗାନାରେ ଭୀଷଣ ଗରମ ପଡିଛି। ଫଳରେ ସାରା ରାଜ୍ୟରେ ଗ୍ରୀଷ୍ମ ଲହର ଜାରିଥିବାବେଳେ ରାଜ୍ୟର ଅଲଗା ଅଲଗା ୭ ଜିଲ୍ଲାରେ ଅଂଶୁଘାତ ମୃତ୍ୟୁ ରେକର୍ଡ ହୋଇଥିବା ରାଜସ୍ୱମନ୍ତ୍ରୀ କହିଛନ୍ତି।

ଏ ନେଇ ରାଜସ୍ୱମନ୍ତ୍ରୀ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ହିଟୱେଭ ଯୋଗୁ ଉପୁଜିଥିବା ପରିସ୍ଥିତି ନେଇ ଆଲୋଚନା ହୋଇଛି। ବୈଠକ ପରେ ମନ୍ତ୍ରୀ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ କଲେକ୍ଟରଙ୍କ ରିପୋର୍ଟ ଅନୁସାରେ ଜୟଶଙ୍କର ଭୂପାଲପଲ୍ଲୀ ଜିଲ୍ଲାରେ ସର୍ବାଧିକ ୪ଟି ଅଂଶୁଘାତ ମୃତ୍ୟୁ ହୋଇଛି। ଏହା ପଛକୁ ୱାରଙ୍ଗଲ ଅର୍ବାନ, କରୀମ ନଗର ଓ ନିଜାମାବାଦରେ ୩ ଜଣ ଲେଖାଏ ଲୋକ ପ୍ରାଣ ହରାଇଛନ୍ତି। 

ସେହିପରି ଜୋଗୁଲମ୍ବା ଗଡ଼ୱାଲ, ରଙ୍ଗାରେଡ୍ଡୀ ଓ ସୂର୍ୟାପେଟରେ ଜଣେ ଲେଖାଏଁ ଲୋକଙ୍କ ଅଂଶୁଘାତ ମୃତ୍ୟୁ ହୋଇଛି। ଅଂଶୁଘାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କୁ ସହାୟତା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ପ୍ରତି ମୃତକଙ୍କ ପରିବାର ଲୋକଙ୍କ ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ। ଏହି ସୂଚନା ସରକାରଙ୍କ ଦ୍ୱାରା ଜାରି ଅଧିକାରୀକ ବିଜ୍ଞପ୍ତିରେ ମଧ୍ୟ ସୂଚିତ କରାଯାଇଛି।

ତେଲେଙ୍ଗାନାରେ ଏବେ ତାପମାତ୍ରା ଲଗାତାର ବଢିବାରେ ଲାଗିଛି। ଅନେକ ଅଞ୍ଚଳରେ ଗ୍ରୀଷ୍ମ ଲହର ଚାଲିଛି। ତେବେ ପାଣି ପାଗ ବିଭାଗ ପୂର୍ବରୁ ଲୋକଙ୍କୁ ଏଥି ପାଇଁ ସତର୍କ କରିଥିଲେ। ଗରମ ଦିପହରେ ବାହାରକୁ ନ ବାହାରିବା, ଖରାରୁ ବର୍ତ୍ତିବା ଓ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦେଇଥିଲେ। ଅସହ୍ୟ ଗରମ ଲୋକଙ୍କୁ ଏବେ ସମସ୍ୟାରେ ପକାଇଛି। ବିଶେଷ କରି ବୟଷ୍କ, ପିଲା ଓ ଅସୁସ୍ଥ ଲୋକଙ୍କୁ ଅଧିକ ସାବଧାନତା ଅବଲମ୍ବନ କରିବାକୁ କୁହାଯାଉଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିହାତି କାମ ନଥିଲେ ଘରୁ ପଦାକୁ ବାହାରିବାକୁ ବାରଣ କରାଯାଇଛି।