ପାଟନା: ମଦ ପିଇବାର ପରିଣାମ କେତେ ଭୟଙ୍କର ହୋଇପାରେ, ଏହାର ଦୁଃଖଦ ଚିତ୍ର ସାମନାକୁ ଆସିଛି। ବିଷାକ୍ତ ମଦ ପିଇ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଅନେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଠୁ ବଡ଼ କଥା ହେଲା- ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦୁଇଜଣ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇଥିବା ଜଣାପଡ଼ିଛି। ବିହାର ମୋତିହାରୀର ରଘୁନାଥପୁର ଥାନା ଅଞ୍ଚଳର ବାଲଗଙ୍ଗା ଗାଁରେ ଘଟିଥିବା ଏ ଘଟଣାକୁ ସାରା ରାଜ୍ୟରେ ଚାଞ୍ଚଲ୍ୟ।

ବୁଧବାର ରାତିରେ ୩୦ରୁ ୪୦ ଜଣ ଲୋକ ସ୍ପିରିଟ୍ ମିଶ୍ରିତ ମଦ ପିଇଥିଲେ। ଏହା ପରେ ଜଣେ ଯୁବକଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ପରେ ଅନେକ ଲୋକ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ଆଉ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କୁ ତୁର୍କାଉଲିଆ ଥାନା ଅଞ୍ଚଳର ପ୍ରମୋଦ ଯାଦବ ଭାବରେ ଚିହ୍ନଟ କରାଯାଇଛି। ତୁର୍କାଉଲିଆ ଥାନା ଦ୍ୱାରା ମୃତକଙ୍କ ଶରୀରର ପୋଷ୍ଟମର୍ଟମ୍ ପରୀକ୍ଷା କରାଯାଇଛି।

also read- ଫେସବୁକରେ ପ୍ରେମ, ୫ ବର୍ଷର ରିଲେସନସିପ୍; ବିବାହର ମାସେ ପରେ ଆତ୍ମହତ୍ୟା

ଆଉ ଦୁଇ ଜଣ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଲେ। ଉଭୟେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସେମାନେ ବର୍ତ୍ତମାନ କଥା କହିପାରୁ ନାହାଁନ୍ତି। ଚିକିତ୍ସା ସତ୍ତ୍ୱେ ଏପର୍ଯ୍ୟନ୍ତ ଦୃଷ୍ଟିଶକ୍ତି ଫେରି ପାଇନାହାଁନ୍ତି। ମୋତିହାରୀର ରଘୁନାଥପୁର ଥାନା ଏବଂ ତୁର୍କୌଲିଆ ଥାନା ମିଳିତ ଭାବରେ ଘଟଣାର ତଦନ୍ତ କରୁଛନ୍ତି। ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଛି। ବିଷାକ୍ତ ମଦ ଯୋଗୁଁ ହୋଇଛି କି ନାହିଁ, ସେ ଦିଗରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ମୃତ୍ୟୁର କାରଣ ନିଶ୍ଚିତ କରିବା ପାଇଁ ପୋଷ୍ଟମର୍ଟମ୍ ରିପୋର୍ଟକୁ ଏବେ ଅପେକ୍ଷା କରାଯାଇଛି।