ନୂଆଦିଲ୍ଲୀ, ୧୬/୧୦ : କକରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଶନିବାର ନୂଆଦିଲ୍ଲୀରେ ତ୍ରିରଙ୍ଗା ମାର୍ଚ୍ଚ କରଯିବ। ଅପରାହ୍ନ ୫ଟାରେ କନ୍ନଟ ପ୍ଲେସର ସେଣ୍ଟ୍ରାଲ ପାର୍କରେ ଏହି ପ୍ରଦର୍ଶନ କରାଯିବ। ସିଜେପିର ଦୁଇ ନେତା ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ପୁଲିସ ଗିରଫ କରିବା ପ୍ରତିବାଦରେ ଏହି ପ୍ରଦର୍ଶନ କରାଯିବ ବୋଲି ସିଜେପି ମୁଖ୍ୟ ଅଭିଜିତ ଦୀପକେ କହିଛନ୍ତି । ହାତରେ ତ୍ରିରଙ୍ଗା ପତାକା ଧରି ଏଥିରେ ବହୁସଂଖ୍ୟାରେ ସାମିଲ ହେବା ଲାଗି ସେ ଲୋକମାନଙ୍କୁ ନିବେଦନ କରିଛନ୍ତି।

Also Read :-ଉତ୍କଳ ବିଶ୍ୱ ବିଦ୍ୟାଳୟରେ ବାଜି ମାରିଲା ABVP :ଦ୍ୱିତୀୟରେ ଛାତ୍ର କଂଗ୍ରେସ, ତୃତୀୟକୁ ଖସିଲା ବିସିଜେଡି

ଦିଲ୍ଲୀରେ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ଅଭିଜିତ କହିଛନ୍ତି ଯେ ସୌରଭ ଓ ଆଶୁତୋଷ ଜନ୍ତରମନ୍ତର ଠାରେ ତ୍ରିରଙ୍ଗା ଉଡାଇବାରୁ ସେମାନଙ୍କୁ ଗିରଫ କରି ଜେଲରେ ଭର୍ତି କରାଯାଇଛି। ଗତ ୧୦-୧୫ ଦିନ ହେଲା ଦିଲ୍ଲୀରେ ବିଭିନ୍ନ ସଙ୍ଗଠନ କାର୍ଯ୍ୟକର୍ତ୍ତା, ଯୁବକ ଓ ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଘୋଷାଡି ନିଆଯାଉଛି । ସେମାନଙ୍କୁ ବଳପୂର୍ବକ ଅଟକ ରଖାଯାଉଛି I ସେମାନଙ୍କ ସମର୍ଥନରେ ବାହାରିଥିବା ବିରୋଧୀ ଦଳ ନେତାମାନଙ୍କୁ ମଧ୍ୟ ଛଡାଯାଉନାହିଁ । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅରବିନ୍ଦ କେଜରିଓ୍ୱାଲ, ପିନରାୟୀ ବିଜୟନଙ୍କ ଭଳି ନେତାଙ୍କୁ ରାସ୍ତାରୁ ବଳପୂର୍ବକ ଉଠାଇ ନିଆଯାଉଛି। ଏସବୁ କରାଯାଉଛି କେବଳ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାକୁ। ସେ ହେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର । ଦେଶରେ ଅଘୋଷିତ ଜରୁରି ପରିସ୍ଥିତି ଜାରି କରାଯାଇଛି। ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ସେମାନେ ତ୍ରିରଙ୍ଗା ଯାତ୍ରା କରିବେ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ଉପସ୍ଥିତ ଏଆଇଏସଏ କାର୍ଯ୍ୟକର୍ଭା ନେହା ବୋରା କହିଛନ୍ତି ଯେ ଆନ୍ଦୋଳନ ସମ୍ପର୍କରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ରାସ୍ତା ଉପରେ ଆକ୍ରମଣ କରାଯାଉଛି । ସେମାନଙ୍କୁ ରାସ୍ତାରେ ଘୋଷାତି ଉଠାଇ ନିଆଯାଉଛି । ବଳପୂର୍ବକ ଅଟକ ରଖାଯାଉଛି। ସେମାନେ ନିଜ ପରିଚୟପତ୍ର ଦେଖାଇଲେ ମଧ୍ୟ ପୁଲିସର ଅତ୍ୟାଚାରରୁ ବର୍ତ୍ତି ପାରିନାହାନ୍ତି । ହାଜତରେ ରଖି ମାରପିଟ କଲେ ଆନ୍ଦୋଳନକୁ ରୋକିପାରିବ ନାହିଁ । ଆମ ଆନ୍ଦୋଳନ କୌଣସି ଗୋଟିଏ ଦଳ, ଚିହ୍ନ କିମ୍ବା ବ୍ୟକ୍ତିଙ୍କର ନୁହେଁ । ଦିଲ୍ଲୀରୁ ଆରମ୍ଭକରି ମୁମ୍ବାଇ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବଞ୍ଚିଛି। ଆନ୍ଦୋଳନ ଜାରି ରହିଛି ଏବଂ ଆଗକୁ ମଧ୍ୟ ଚାଲିବ ବୋଲି ସେ କହିଥିଲେ।

ସେହିଭଳି ଅଭିନେତା ପ୍ରକାଶ ରାଜ କହିଥିଲେ ଯେଉଁବ୍ୟକ୍ତି ପିଲାଦିନେ କୁମ୍ଭୀର ଦେଖି ଡରିନଥିଲା ଆଜି ସେ କକ୍ଟ୍ରୋଚକୁ ଦେଖି ଭୟଭୀତ ହୋଇପଡିଛି।ସରକାର ଆମକୁ ଜନ୍ତରମନ୍ତରରୁ ତଡିବାକୁ ଚାହିଁଛନ୍ତି। କିନ୍ତୁ ସାରା ଦେଶ ଜନ୍ତରମନ୍ତର ପାଲଟିବାକୁ ଯାଉଛି। ଆମେ ଦେଶର ସବୁ ସହର ଓ ଗାଁକୁ ଜନ୍ତରମନ୍ତର ବନାଇବୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ତ୍ରିରଙ୍ଗା ମାର୍ଚ୍ଚ ହେବାକୁ ଥିବା କନ୍ନଟ ପ୍ଲେସର ସେଣ୍ଟ୍ରାଲ ପାର୍କକୁ ଆସନ୍ତା ୨ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ସନ୍ଧ୍ୟାରେ ଦିଲ୍ଲୀ ମ୍ୟୁନିସିପାଲ କାଉନସିଲ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି । ସେଥିରେ କୁହାଯାଇଛି କି ପ୍ରଶାସନିକ କାରଣରୁ ଆସନ୍ତା ୧୬ ଓ ୧୭ତାରିଖ ଦୁଇଦିନ ପାଇଁ ସାଧାରଣ ଜନତାଙ୍କ ନିମନ୍ତେ ପାର୍କ ବନ୍ଦ ରହିବ । କୁହାଯାଉଛି କି ସିଜେପିର ଆନ୍ଦୋଳନ ପରିପ୍ରେକ୍ଷୀରେ ପାର୍କକୁ ବଦ କରାଯାଇଛି । ତେଣୁ ପ୍ରଦର୍ଶନ ବେଳେ ସିଜେପି କାର୍ଯ୍ୟକର୍ଭା ଓ ପୁଲିସ ମଧ୍ୟରେ ପୁଣି ଟକରାଟକରି ଘଟିବା ସମ୍ଭାବନା ରହିଛି।