ନୂଆଦିଲ୍ଲୀ: ବିଦେଶ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ତାଜା ରିପୋର୍ଟ ଅନୁସାରେ ପାଖାପାଖି ୨୬୭ ଜଣ ଭାରତୀୟ ନାଗରିକ ଋଷିଆ ସଶସ୍ତ୍ର ବଳରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୧ ଜଣଙ୍କ କଥିତ ମୃତ୍ୟୁ ହୋଇଥିବା ବେଳେ ୧୩୯ ଜଣଙ୍କୁ ସେବାମୁକ୍ତ କରାଯାଇଛି। ସରକାର ଏପରି ମାମଲାର ମଧ୍ୟ ସୂଚନା ଦେଇଛନ୍ତି ଯେଉଁଥିରେ ଭାରତୀୟ ନାଗରିକ ଆର୍ଥିକ ଲାଭ ନିମନ୍ତେ ସ୍ୱେଚ୍ଛାରେ ସେନାରେ ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରୁ କେତେକ ଭାବନ୍ତି ଅନ୍ତତଃ ସେମାନେ ଭାରତୀୟ କୂଟନୈତିକ ସହାୟତାରେ ସେମାନଙ୍କ ମୁକ୍ତି ନିଶ୍ଚିତ ହୋଇ ପାରିବ।

ବିଦେଶ ମନ୍ତ୍ରାଳୟଙ୍କ ଦ୍ୱାରା ଅକ୍ଟୋବର ୧୨ ତାରିଖରେ ପ୍ରସ୍ତୁତ ରିପୋର୍ଟ ଅନୁସାରେ ଭାରତ ସରକାର ଓ ମସ୍କୋରେ ଭାରତୀୟ ଦୂତାବାସ ୭୭ ଜଣ ଭାରତୀୟ ନାଗରିକଙ୍କ ସନ୍ଧାନ ନିମନ୍ତେ ଋଷୀୟ ଅଧିକାରୀଙ୍କ ସହ ସମ୍ପର୍କରେ ଥିଲେ। ଲାଇଭ ଲ ଅନୁସାରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଋଷୀୟ ଅଧିକାରୀ ନିଖୋଜ ଘୋଷଣା କରିଛନ୍ତି। ଭାରତ ସରକାରଙ୍କ ଏହି ସୂଚନା ଋଷିଆ ସେନାରେ ଭର୍ତ୍ତି ହେବା ବିରୋଧରେ ଜାରି ଅଧିକାରୀକ ଚେତାବନୀ ସହ ମେଳ ଖାଉଛି। ବିଦେଶମନ୍ତ୍ରାଳୟ ଚେତାବନୀ ଜାରି କରିଛି ଯେ ଯେଉଁମାନେ ଆର୍ଥିକ ଲାଭ ନିମନ୍ତେ ଓ ପରେ ସରକାରୀ ହସ୍ତକ୍ଷେପ ମାଧ୍ୟମରେ ଘରକୁ ଫେରିବା ଆଶାରେ ଋଷିଆ ସେନାରେ ଯୋଗ ଦେଉଛନ୍ତି ସେମାନେ ନିଜକୁ ବିପଦରେ ପକାଉଛନ୍ତି।

ବିଦେଶ ମନ୍ତ୍ରାଳୟ ସେପ୍ଚେମ୍ବର ୩୦ରେ ଜାରି ଏକ ପରାମର୍ଶରେ କହିଛନ୍ତି ଯେ ତାଙ୍କୁ ଏପରି ଅନେକ ମାମଲା ମିଳିଛି ଯେଉଁଥିରେ ଭାରତୀୟ ନାଗରିକ ସ୍ୱେଚ୍ଛାରେ ଋଷିଆ ସେନାରେ ଯୋଗ ଦେଉଛନ୍ତି। ସେମାନେ ଏହି ଆଶା ରଖୁଛନ୍ତି ଯେ ଏହା ଦ୍ୱାରା ସେମାନଙ୍କୁ ଆର୍ଥିକ ଲାଭ ମିଳିବ ଓ ପରେ ଭାରତ ସରକାରଙ୍କ ସହଯୋଗରେ ମୁକ୍ତି ସୁନିଶ୍ଚିତ ହୋଇଯିବ। ମନ୍ତ୍ରାଳୟ ଅନୁସାରେ ଗତ ୨ ବର୍ଷରେ ସରକାର ଭାରତୀୟ ନାଗରିକଙ୍କୁ ଅଜ୍ଞାତ ଲୋକଙ୍କ ଠାରୁ ନିଯୁକ୍ତି ପ୍ରସ୍ତାବ ସ୍ୱୀକାର ନ କରିବାକୁ ଚେତାବନୀ ଦେଇଥିଲେ ଓ ଏହିପରି ନିଯୁକ୍ତିର ବିପଦ ନେଇ ବାରମ୍ବାର ସୂଚିତ କରୁଥିଲେ। ଏହା ଏକ ବିପଦଜନକ ରାସ୍ତା ଓ ସରକାର ଏହାକୁ ଦୃଢତାର ସହ ହତୋତ୍ସାହିତ କରୁଛନ୍ତି।

ଏହି ପରାମର୍ଶରେ ସେହି ମାମଲା ଗୁଡିକ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା ଯେଉଁଥିରେ ଭାରତୀୟ ନାଗରିକ ଋଷିଆ ସେନାରେ ଯୋଗ ଦେବା ଲାଗି ପ୍ରଥମେ ନିଜର ଭାରତୀୟ ନାଗରିକତା ଛାଡିବା ଓ ଋଷିଆ ପାସପୋର୍ଟ ହାସଲ ପାଇଁ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ। ସରକାରଙ୍କ କହିବା ଅନୁସାରେ କିଛି ଲୋକେ ସ୍ୱଳ୍ପକାଳୀନ ଆର୍ଥିକ ପ୍ରଲୋଭନରେ ଆକର୍ଷିତ ହୋଇ ଭାରତୀୟ ଅଧିକାରୀଙ୍କ ସହ ପୂର୍ବ ପରାମର୍ଶ ନ କରି ଏପରି କାର୍ଯ୍ୟାନୁଷ୍ଠାନ କରିଛନ୍ତି।