ଭୁବନେଶ୍ୱର, ୧୬/୧୦ : ରମାଦେବୀ ବିଶ୍ୱବିଦ୍ୟାଳୟ ଗଣତିକୁ ନେଇ ଜୋରଦାର ହଙ୍ଗାମା। ସବୁଠି ପ୍ରତିବାଦ, ରାସ୍ତାରୋକ ଆଉ ମୁହାଁମୁହିଁ ସ୍ଥିତି । କ୍ୟାମ୍ପସ ଭିତର ବାହାର ପୁଲିସ ଛାଉଣୀ। ତଥାପି ରାତି ସାଢ଼େ ୨ଟା ସୁଦ୍ଧା ଘୋଷଣା ହୋଇଥିବା ୧୧ଟି ବିଶ୍ଵ ବିଦ୍ୟାଳୟରୁ ଏବିଭିପି ୬ଟିରେ ସଭାପତି ପଦ ଦଖଲ କରିଛି। ବାକି ୫ଟିରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ପ୍ରାର୍ଥୀ ବିଜୟୀ ହୋଇଥିବା ସଂପୃକ୍ତ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି।

Also Read :- ରମାଦେବୀରେ BCJDର ବିପୁଳ ବିଜୟ : ବାଜି ମାରିଲେ ସୋନାଲି ବେହେରା, ହାରିଲା ABVP

କିଏ କେଉଁଠି ଜିତିଲେ ?

ଉତ୍କଳ ବିଶ୍ୱବିଦ୍ୟାଳୟ, ବିକ୍ରମଦେବ, ବ୍ରହ୍ମପୁର, ଖଲ୍ଲିକୋଟ, ସମ୍ବଲପୁର, ଧରଣୀଧର ବିଶ୍ଵବିଦ୍ୟାଳୟରେ ଏବିଭିପିର ସଭାପତି ପ୍ରାର୍ଥୀ ନିର୍ବାଚିତ ହୋଇଥିବା ଦାବି କରାଯାଉଛି। ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ, ଫକୀରମୋହନ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ବିସିଜେଡି ସଭାପତି ପ୍ରାର୍ଥୀଙ୍କ ବିଜୟ ଦାବି କରାଯାଇଛି।

ଘୋଷଣା ହୋଇଥିବା ୨୮୫ଟି କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବିସିଜେଡି ମଧ୍ୟରେ ଏଥର କଡ଼ା ଟକ୍କର ହୋଇଛି। ଏବିଭିପି ୧୪୨ଟି ସଭାପତି ଆସନ ଦଖଲ କରିଥିବାବେଳେ ବିସିଜେଡି ୧୨୧ଟିରେ ବାଜିମାତ୍ କରିଥିବା ଦାବି କରିଛନ୍ତି। ସେହିପରି ଏନଏସୟୁଆଇ ପ୍ରାର୍ଥୀ ୫ଟି କଲେଜରେ ସଭାପତି ପଦରେ ବିଜୟୀ ହୋଇଥିବା ସଂଗଠନ ପକ୍ଷରୁ ଦାବି କରାଯାଇଛି।

Also Read :- ରମାଦେବୀରେ BCJDର ବିପୁଳ ବିଜୟ : ବାଜି ମାରିଲେ ସୋନାଲି ବେହେରା, ହାରିଲା ABVP

କଲେଜ ନିର୍ବାଚନ ଲଢ଼େଇ ଛାତ୍ର ନେତାଙ୍କ ପତିଆରାରେ ଅଟକିଯାଇନି, ଫଳାଫଳରେ ବିଧାୟକମାନଙ୍କ ଶକ୍ତି ପରୀକ୍ଷା ହୋଇଛି। ଅନେକ ବିଧାୟକ ଓ ବଡ଼ ନେତା ବି ନିଜ ଗଡ଼ରେ ଝଟକା ଖାଇଛନ୍ତି। କଲେଜ କ୍ୟାମ୍ପସ ଦବଦବା ବିଧାୟକ/ ବିଧାୟିକାଙ୍କ ହାତରୁ ଖସିଯାଇଛି। ଆଉ କିଛି ସ୍ଥାନରେ ଦଳ ସମର୍ଥିତ ପ୍ରାର୍ଥୀ ବିରୋଧରେ ବିଦ୍ରୋହୀ ପ୍ରାର୍ଥୀ ଦେଇ କିଛି ବିଧାୟକ ନିଜ ଟେକ ରଖିଛନ୍ତି।

CMଙ୍କ ଜିଲ୍ଲାରେ ଏବିଭିପିର ବାଜିମାତ୍

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଏବିଭିପିକୁ ବଡ଼ ସଫଳତା ମିଳିଥିବା କୁହାଯାଉଛି। ଛାତ୍ର ସଂଗଠନଗୁଡ଼ିକର ଦାବି ଅନୁସାରେ କେନ୍ଦୁଝରରେ ଏବିଭିପିକୁ ୧୫ଟି ସଭାପତି ଆସନ ଓ ବିସିଜେଡିକୁ ୩ଟି ଆସନ ମିଳିଛି। ଗଞ୍ଜାମରେ ଏବିଭିପି ପ୍ରାର୍ଥୀ ୨ଟି ବିଶ୍ବବିଦ୍ୟାଳୟ ଓ ୨୫ଟି କଲେଜରେ ସଭାପତି ଆସନ ଜିତିଥିବା ଦାବି କରାଯାଉଛି। ଜିଲ୍ଲାରେ ବିସିଜେଡିକୁ ୬ଟି ସଭାପତି ଆସନ ମିଳିଛି। ସମ୍ବଲପୁରରେ ଏବିଭିପି ୯, ବିସିଜେଡି ୨ଟି ସଭାପତି ପଦ ପାଇଥିବା ଦାବି କରାଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ବିସିଜେଡି ୧୦ଟି ସଭାପତି ଆସନ ଜିତି ଦମ୍ ଦେଖାଇଥିବାବେଳେ ଏବିଭିପି ୫ଟି ସଭାପତି ଆସନ ଦଖଲ କରିଛି।

କଟକ ଜିଲ୍ଲାରେ ବିସିଜେଡି ୮ ଓ ଏବିଭିପି ୨ଟି ଆସନ ଏବଂ କଟକ ସହରରେ ବିସିଜେଡିକୁ ୭ ଏବଂ ଏବିଭିପିକୁ ୨ଟି ୨ଟି ଆସନ ମିଳିଥିବା ସଂଗଠନଗୁଡ଼ିକ ଦାବି କରିଛନ୍ତି। ଭୁବନେଶ୍ୱରର ୨ଟି ଯାକ ବିଶ୍ଵବିଦ୍ୟାଳୟ ବାଦ ଏବିଭିପି ୬ଟି ଏବଂ ବିସିଜେଡି ଗୋଟିଏ ଆସନରେ ସଭାପତି ଦଖଲ କରିଥିବା ଦାବି କରାଯାଉଛି।

ସୁନ୍ଦରଗଡ଼, ନୟାଗଡ଼, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଆଦି ଜିଲ୍ଲାରେ ପୂରା ଟକରାଟକରି ଓ ରୋମାଞ୍ଚକର ରହିଥିଲା ଏବିଭିପି-ବିସିଜେଡି ମଧ୍ୟରେ ଲଢ଼େଇ। ନୂଆପଡ଼ା, ମାଲକାନଗିରି, କନ୍ଧମାଳ ଜିଲ୍ଲାରେ ଏନଏସୟୁଆଇକୁ କିଛି ସଫଳତ ମିଳିଛି।

ଗାଳିଗୁଲଜ, ଗୋଷ୍ଠୀ ସଂଘର୍ଷ, ରାସ୍ତାରୋକ, ପୋଲିସ ଛାଉଣୀରେ ସରିଲା ଛାତ୍ର ସଂସଦ ନିର୍ବାଚନ । ୮ ବର୍ଷ ପରେ ଛାତ୍ର ସଂସଦ ଲଢ଼େଇ ଏତେ ତଗଡ଼ା ଥିଲା, ହଙ୍ଗାମାରେ ରାତି ପାହିଗଲା। ସକାଳୁ ରାତି ଯାଏ ରାଜ୍ୟବ୍ୟାପୀ କଲେଜ ନିର୍ବାଚନ ଧାଁଧପଡ଼ ଚାଲିଥିଲା। ବିଧାନସଭା ନିର୍ବାଚନ ଭଳି ରାତି ଅଧ ଯାଏ ହଙ୍ଗାମା ଦେଖିବାକୁ ମିଳିଥିଲା । ଅନେକ ଜିଲ୍ଲାରେ ଏବିଭିପି –ବିସିଜେଡି ମଧ୍ୟରେ ଜୋରଦାର ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି। କଲେଜ କ୍ୟାମ୍ପସର ଏ ତାତି ରାଜ୍ୟ ରାଜନୀତିକୁ ବି ତତଲା କରିଦେଇଛି।

ସରକାରୀ ତଥ୍ୟ କହୁଛି, ରାତି ୧୦ଟା ସୁଦ୍ଧା ୨୪୭ଟି କଲେଜର ନିର୍ବାଚନ ଫଳ ଘୋଷଣା ହୋଇଛି। ଏହି ସବୁ କଲେଜମାନଙ୍କରେ ୨୬୦୨ ପ୍ରାର୍ଥୀ ବିଜୟ ହୋଇଛନ୍ତି ଏଥିରୁ ୧୧୬୯ ଜଣ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବାକି ୧୪୩ ଜଣ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି। ସେହିପରି ବିଶ୍ଵବିଦ୍ୟାଳୟସ୍ତରରେ ୬ଟି ବିଶ୍ଵବିଦ୍ୟାଳୟର ଫଳ ପ୍ରକାଶ ପାଇଛି। ମୋଟ ୬୬ ଜଣ ବିଜୟୀ ହୋଇଛନ୍ତି। ଏଥିରୁ ୪୨ ଜଣ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ବାକି ୨୪ ଜଣ ନିର୍ଦ୍ଵନ୍ଦ୍ବରେ ବିଜୟ ହୋଇଛନ୍ତି ।