ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଗୁରୁବାର କହିଛନ୍ତି ଯେ ଅପରାଧ ଆଇନ ଅନୁସାରେ କୌଣସି ମହିଳାଙ୍କ ବିରୋଧରେ ମଧ୍ୟ ଗଣ ଦୁଷ୍କର୍ମ ଅଭିଯୋଗ ଅଣାଯାଇ ପାରିବ। ହୁଏତ ସେ ନିଜେ ଏହି କୃତ୍ୟ ନ କରିଥାନ୍ତୁ, କିନ୍ତୁ ଯଦି ସେ ପୀଡ଼ିତାଙ୍କ ଦୁଷ୍କର୍ମରେ ଅଭିଯୁକ୍ତଙ୍କୁ ସହାୟତା କରିଥିଲେ ତାଙ୍କ ବିରୋଧରେ ଅଭିଯୋଗ ହୋଇ ପାରିବ। ଯେପରି ଚୋରି କରିବାରେ ସିଡି ଧରିଥିବା ଲୋକକୁ ମଧ୍ୟ ସମାନ ଦୋଷୀ କରାଯାଏ।

ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅନୂପ ଜୟରାମ ଭିଂଭାନୀ ଜନୈକ ମହିଳାଙ୍କ ସେହି ଆବେଦନକୁ ଖାରଜ କରି ଏହି ରାୟ ଦେଇଛନ୍ତି ଯେଉଁଥିରେ ସେ ନିଜର ନାବାଳିକା ଝିଅକୁ ଅଭିଯୁକ୍ତ ସହ ଯୌନ ସମ୍ପର୍କ ସ୍ଥାପନା କରିବା ଲାଗି କଥିତ ରୂପେ ବାଧ୍ୟ କରିବା ମାମଲାରେ ଅଭିଯୋଗ ଫ୍ରେମକୁ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ କହିଛନ୍ତି ଯେ କୌଣସି ମହିଳାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୬-ଡି ଓ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୭୦ ଅନୁସାରେ ଦୁଷ୍କର୍ମ ଅଭିଯୋଗ କରାଯାଇ ପାରିବନି ଏହା ମାନିବାକୁ କୌଣସି ଆଧାର ନାହିଁ। ଏହି ରାୟରେ ଉଠିଥିବା ପ୍ରଶ୍ନର ଜବାବ ସେହି ଅନୁସାରେ ଦିଆଯାଏ।

ପ୍ରସିକ୍ୟୁସନ ପକ୍ଷଙ୍କ ଅନୁସାରେ ନାବାଳିକା ଝିଅ ଅଭିଯୋଗ କରିଛି ଯେ ମା ତାକୁ ଧମକାଇ ଅଭିଯୁକ୍ତ ସହିତ ଯୌନ ସମ୍ପର୍କ ସ୍ଥାପନା କରିବାକୁ ବାଧ୍ୟ କରିଥିଲା। ଝିଅଟି ଏହା ମଧ୍ୟ ଅଭିଯୋଗ କରିଛି ଯେ ଡିସେମ୍ବର ୨୦୨୩ରୁ ଜୁଲାଇ ୨୦୨୪ ମଧ୍ୟରେ ତା ସହିତ ବାରମ୍ବାର ଯୌନ ଉତ୍ପୀଡ଼ନ କରାଯାଇଛି। ପୀଡ଼ିତା କହିଛନ୍ତି ଯେ ଜୁଲାଇ ୨୦୨୪ରେ ଯେତେବେଳେ ମା ତାକୁ ଦ୍ୱିତୀୟବାର ଅନ୍ୟ ଅଭିଯୁକ୍ତ ସହ ଶାରୀରିକ ସମ୍ପର୍କ ସ୍ଥାପନା ପାଇଁ ବାଧ୍ୟ କଲେ ସେତେବେଳେ ସେ ଘର ଛାଡି ପଳାଇଥିଲା।

ମହିଳାଙ୍କ ପକ୍ଷରୁ ହାଜର ଓକିଲ ତର୍କ ଦେଇଥିଲେ ଯେ ବିଏନଏସ ଧାରା ୬୩ରେ ଦୁଷ୍କର୍ମ ପରିଭାଷାରେ ଅପରାଧକାରୀ ଭାବେ ସ୍ପଷ୍ଟ ରୂପେ ପୁରୁଷର ଉଲ୍ଲେଖ ରହିଛି। ଏଣୁ କୌଣସି ମହିଳାଙ୍କ ବିରୋଧରେ ସାମୂହିକ ଦୁଷ୍କର୍ମ ଅଭିଯୋଗ କରାଯାଇ ପାରିବନି। ତେବେ ନ୍ୟାୟମିତ୍ର ଭାବେ କୋର୍ଟଙ୍କୁ ସହାୟତା କରୁଥିବା ଓକିଲ ରୋହନ ଜେ.ଅଲବା କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କୁ ଅଭିଯୁକ୍ତ କରାଯିବା କି ନା ଏହା ନିର୍ଦ୍ଧାରଣ କରିବା ସମୟରେ ସେ ପୁରୁଷ ବା ମହିଳା ହେବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି ସେହି ବ୍ୟକ୍ତି ସମୂହର ଅଂଶବିଶେଷ ଥିଲା ଓ ଅପରାଧ ରୂପାୟନରେ ତାର ଭୂମିକା ଥିଲା ତେବେ ତା ବିରୋଧରେ ମଧ୍ୟ ଆରୋପ ଲଗାଯାଇ ପାରିବ।