ନୂଆଦିଲ୍ଲୀ, ୧୬/୧୦ : ଘରୋଇ ଭାରତୀୟ ମହିଳା ଦଳ ଓ ଜିମ୍ବାୱେ ମଧ୍ୟରେ ଶୁକ୍ରବାର ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ। ଛତିଶଗଡ଼ର ରାଏପୁର ସ୍ଥିତ ସହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ଥର ଏଠାରେ ମହିଳା ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହେବ। ଏହି ମ୍ୟାଚ୍ ଜରିଆରେ ନବନିଯୁକ୍ତ ଅଧିନାୟିକା ସ୍ମୃତି ମନ୍ଧନାଙ୍କ ଯୁଗ ଆରମ୍ଭହେବ। ଅନ୍ୟ ପଟରେ ଜିମ୍ବାୱେ ପ୍ରଥମ ଥର ଦ୍ବିପାକ୍ଷିକ ସିରିଜ ଖେଳିବା ପାଇଁ ଭାରତ ଗସ୍ତରେ ଆସିଛି। ଦଳ ଭାରତକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ। ଫଳରେ ମ୍ୟାଚ୍ଟି କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।

ଜିମ୍ବାୱେ ବିପକ୍ଷ ସିରିଜ ପୂର୍ବରୁ ହର୍ମନପ୍ରୀତ କୌର ୩ଟି ଯାକ ଫର୍ମାଟରେ ଦଳର ଅଧିନାୟିକା ପଦ ଛାଡ଼ିଥିଲେ। ଏହାପରେ ବିସିସିଆଇ ମନ୍ଧନାଙ୍କୁ ନୂଆ ଅଧିନାୟିକା ନିଯୁକ୍ତ କରିଥିଲା। ହର୍ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ଏସିଆ କପ୍ ଓ ଏସୀୟ କ୍ରୀଡ଼ାରେ ଚାମ୍ପିଅନ୍ ହୋଇଥିଲା । ଏବେ ମନ୍ଧନାଙ୍କ ନେତୃତ୍ୱରେ ଦଳ ନୂଆ ଅଧ୍ୟାୟ ଯେଡ଼ିବାକୁ ପ୍ରସ୍ତୁତ ରହିଛି।

Also Read :- ଗଣ୍ଡଗୋଳ, ସସପେନ୍ସ ଓ ସେଲିବ୍ରେସନରେ ସରିଲା କଲେଜ୍ ଇଲେକ୍ସନ : ଅଧିକାଂଶ କ୍ୟାମ୍ପସରେ ABVP ବନାମ BCJD

ଜିମ୍ବାୱେ ବିପକ୍ଷରେ ଭାରତର ପଲା ଭାରି ରହିବା ସ୍ବାଭାବିକ। ସବୁ ବିଭାଗରେ ଦଳ ଶକ୍ତିଶାଳୀ ରହିଛି। ନୂଆ କରି ଉପଅଧିନାୟିକା ନିଯୁକ୍ତ ହୋଇଥିବା ଶେଫାଳି ବର୍ମା ଶେଷ ୫ଟି ଟି-ଟେଣ୍ଟିରେ ଯଥାକ୍ରମେ ୬୪, ୬୮, ଅପରାଜିତ ୪୦, ଅପରାଜିତ ୧୦୦, ୪୮ରନ୍ ସଂଗ୍ରହ କରିଛନ୍ତି। ସେହିପରି ମନ୍ଧନା ଜବରଦସ୍ତ ଫର୍ମରେ ରହିଛନ୍ତି। ନେତୃତ୍ବ ଛାଡ଼ିବା ପରେ ହର୍ମନପ୍ରୀତ ଚାପମୁକ୍ତ ହୋଇ ଖେଳିବେ। ଫଳରେ ତାଙ୍କଠୁ ବଡ଼ ଇନିଂସ୍ ଆଶା କରାଯାଉଛି । ବୋଲିଂ ବିଭାଗରେ ଦୀପ୍ତି ଶର୍ମା, ଶ୍ରୀ ଚରଣୀ, ନନ୍ଦନୀ ଶର୍ମାଙ୍କ ଉପରେ ନଜର ରହିବ।