ନୂଆଦିଲ୍ଲୀ: ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ଯାଇଛି ଭାରତ ବନାମ ଓ୍ଵେଷ୍ଟଇଣ୍ଡିଜ ଟି-୨୦ ସିରିଜ୍। ଉଭୟ ଦଳ ଦୁଇଟି ଦୁଇଟି ମ୍ୟାଚ୍ ଜିତିବାରୁ ସିରିଜ୍ ୨-୨ରେ ବରାବର ସ୍ଥିତିରେ ରହିଛି। ୧୭ ତାରିଖ ଖେଳାଯିବ ଅନ୍ତିମ ତଥା ପଞ୍ଚମ ଟି-୨୦। ସିରିଜରେ ବ୍ୟାଟର ନିଜର କାମ କରିଥିବା ବେଳେ ବୋଲର ଘୋର ନିରାଶ କରିଛନ୍ତି। ବୋଲରଙ୍କ ଖରାପ ପ୍ରଦର୍ଶନ କାରଣରୁ ଏହି ସିରିଜ୍ ବର୍ତ୍ତମାନ ଭାରତୀୟ ଦଳ ପାଇଁ ମାନ ସମ୍ମାନର ବିଷୟ ପାଲଟିଛି। ଏହା ମଧ୍ୟରେ ଟିମ୍ ଇଣ୍ଡିଆକୁ ନେଇ ଆସିଛି ବଡ଼ ଖବର। ପଞ୍ଚମ ଟି-୨୦ରେ ଦଳରେ ସାମିଲ୍ ହୋଇ ପାରନ୍ତି ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ଵର କୁମାର। ଶନିବାର ପଞ୍ଚମ ଟି-୨୦ରେ ଭୁବନେଶ୍ଵର କୁମାର ଖେଳିବେ କି ନାହିଁ ଏହା ସ୍ପଷ୍ଟ ହୋଇ ନାହିଁ। ମାତ୍ର ଏହା ଉପରେ ନିଷ୍ପତ୍ତି ଶୀଘ୍ର ହୋଇପାରେ।

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆରେ ଭୁବନେଶ୍ଵର କୁମାରଙ୍କ ଚୟନ ହୋଇଛି। ସେ ଏହି ଗସ୍ତ ପାଇଁ ନିଜକୁ ପ୍ରସ୍ତୁତ କରି ରଖିଛନ୍ତି। ବେଙ୍ଗାଲୁରୁରେ ଶନିବାର ଖେଳା ଯିବାକୁ ଥିବା ନିର୍ଣ୍ଣାୟକ ଟି-୨୦ରେ ଏହି ତାରକା ବୋରଲଙ୍କୁ ସୁଯୋଗ ମିଳିପାରେ। ଭୁବନେଶ୍ଵରଙ୍କୁ ଦଳରେ ଏଥିପାଇଁ ସାମିଲ୍ କରାଯାଇପାରେ କାରଣ ଦ୍ରୁତ ବୋଲର ଅର୍ଶଦୀପ ସିଂ ଚତୁର୍ଥ ଟି-୨୦ରେ ଆହତ ହୋଇଛନ୍ତି। ବ୍ୟାଟିଂ ସମୟରେ ତାଙ୍କୁ କ୍ରିଜରୁ ପାଭିଲିୟନ ଫେରିବାକୁ ପଡ଼ିଥିଲା। ତେଣୁ କୁହାଯାଉଛି ଯଦି ଅର୍ଶଦୀପ ସିଂ ଫିଟ୍ ନ ହୁଅନ୍ତି ତେବେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ଭୁବନେଶ୍ଵର କୁମାରଙ୍କୁ ପଞ୍ଚମ ଟି-୨୦ରେ ସାମିଲ୍ କରାଯାଇପାରେ।

Also Read: 'ଖାଲି ପିଚ୍ କୁ ଦୋଷ ଦିଅନି, ନିଜେ ପ୍ରଥମେ ଭଲ ବୋଲିଂ କର' : ବୋଲରଙ୍କୁ ସତର୍କ କରାଇଲେ ଗାଭାସ୍କର

ଭାରତୀୟ ଦଳ ପ୍ରବନ୍ଧକ ଶେଷ ସମୟରେ ଭୁବନେଶ୍ଵର କୁମାରଙ୍କ ଉପରେ ନିଷ୍ପତ୍ତି ନେଇପାରେ। ରିପୋର୍ଟ ଅନୁଯାୟୀ, ଭୁବନେଶ୍ଵର କୁମାର ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ ଅଛନ୍ତି। ଯଦି ଅର୍ଶଦୀପ ଫିଟ୍ ନ ହୁଅନ୍ତି ତେବେ ଭୁବନେଶ୍ଵରଙ୍କୁ ପଞ୍ଚମ ଟି-୨୦ରେ ଖେଳା ଯାଇପାରେ। ଏମିତି ହେଲେ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଏହି ଡାହାଣହାତୀ ବୋଲରଙ୍କୁ ଅଭ୍ୟାସ୍ କରିବାର ସୁଯୋଗ ମିଳିଯିବ।

ଯଦି ଦଳ ପ୍ରବନ୍ଧକ ଚାହିଁବ ଭୁବନେଶ୍ଵର କୁମାରଙ୍କୁ ଟିମରେ ସାମିଲ୍ ପାଇଁ ବୋର୍ଡଙ୍କୁ କହି ପାରିବେ ଏବଂ ବୋର୍ଡ ତୁରନ୍ତ ନିଷ୍ପତ୍ତି ନେଇ ପାରିବ। ସିରିଜ୍ ବର୍ତ୍ତମାନ ୨-୨ରେ ସମାନ ସ୍ଥିତିରେ ରହିଛି। ସବୁଠୁ ବଡ଼ କଥା ତିନି ଥରର ବିଶ୍ଵ ଚାମ୍ପିଅନ ନିଜ ଘରେ ଟି-୨୦ ସିରିଜ୍ ହାରିବା ଲଜ୍ଜାଜନକ କଥା ହେବ। ସେ ପୁଣି ରାଙ୍କିଙ୍ଗରେ ସାତ ନମ୍ବରରେ ଥିବା ଦଳଠୁ। ଅନ୍ୟପକ୍ଷେ ସିରିଜରେ ଅର୍ଶଦୀପଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଗୋଟିଏ ମ୍ୟାଚକୁ ବାଦ୍ ଦେଲେ ବାକି ତିନି ମ୍ୟାଚରେ ସେ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ୪ଟି ମ୍ୟାଚରେ ସେ ୧୫୦ରୁ ଅଧିକ ରନ ବ୍ୟୟ କରିଛନ୍ତି। ଏହାକୁ ଦେଖିଲେ ଭୁବନେଶ୍ଵର କୁମାରଙ୍କୁ ନିର୍ଣ୍ଣାୟକ ମ୍ୟାଚରେ ସାମିଲ୍ କରିବା ଦଳ ପାଇଁ ଶୁଭଙ୍କର ହୋଇପାରେ।