ଯାଜପୁର, ୧୬/୧୦ : ଯାଜପୁର ଜିଲ୍ଲାର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି। ଏବିଭିପି, ବିସିଜେଡି, ଛାତ୍ର କଂଗ୍ରେସ ସହ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ପରେ ବିସିଜେଡିକୁ ବିପୁଳ ସଫଳତା ମିଳିଛି। ସ୍ବଳ୍ପ ସମୟ ଭିତରେ ବିସିଜେଡି ପ୍ରାର୍ଥୀ ନିଜ ସମର୍ଥନରେ ଭୋଟ୍ ସଂଗ୍ରହ କରି ୭ଟି କଲେଜରେ ସଭାପତି ପଦକୁ ଦଖଲ କରିବାରେ ସଫଳ ହୋଇଛନ୍ତି। ଏବିଭିପି ତିନୋଟି କଲେଜରେ ସଭାପତି ପଦ ହାତେଇଛି। ବିସିଜେଡିର ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଜୟୀ ପ୍ରାର୍ଥୀଙ୍କର ଆଜି କଲେଜ ପରିସରରେ ଶପଥ ପାଠ ଉତ୍ସବ ରହିଥିବା ଜଣାପଡ଼ିଛି।

ଜିଲ୍ଲାରେ ୧୩ଗୋଟି କଲେଜରେ ଛାତ୍ର ନିର୍ବାଚନ ହେବ ବୋଲି ଘୋଷଣା ପରେ କଲେଜ ଠାରୁ ଛକ ବଜାର ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଦୀର୍ଘ ୮ବର୍ଷ ପରେ କଲେଜ ନିର୍ବାଚନ ହେଉଥିବାରୁ ସ୍ବଳ୍ପ ସମୟ ଭିତରେ କିଏ ନିଜ ଦଖଲକୁ କଲେଜ ନେବ ତାକୁ ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା। ଗୋଟିଏ ପଟରେ ଏବିଭିପି ତ ଆଉ ଗୋଟିଏ ପଟରେ ବିସିଜେଡି ନିଜର ନେତା ବାଛିବାରେ ଲାଗି ପଡ଼ିଥିଲେ। ଏହା ଭିତରେ ପଛରେ ପଡ଼ିଯାଇଥିବା ଛାତ୍ର କଂଗ୍ରେସ ମଧ୍ୟ ରଣକ୍ଷେତ୍ରକୁ ଓହ୍ଲାଇବାକୁ ପ୍ରସ୍ତୁତି କରିଥିଲା।

Also Read :- ରମାଦେବୀରେ BCJDର ବିପୁଳ ବିଜୟ : ବାଜି ମାରିଲେ ସୋନାଲି ବେହେରା, ହାରିଲା ABVP

ପ୍ରାକ୍ ନିର୍ବାଚନୀ ହିଂସା ଯୋଗୁ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ, ରସୁଲପୁର ବ୍ଳକ୍ ଅଧୀନ ଉପେନ୍ଦ୍ର ନାଥ ସାରଦା ମହାବିଦ୍ୟାଳୟ ଏବଂ ମଧୁପୁର ମହାବିଦ୍ୟାଳୟରେ ନିର୍ବାଚନ ବନ୍ଦ ହୋଇଯାଇଥିଲା। ଅନ୍ୟପଟେ ୧୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣାରେ ଧର୍ମଶାଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀ ନିର୍ଦ୍ଦ୍ୱନ୍ଦ୍ୱରେ ବିଜୟ ଲାଭ କରିଥିବା ଘୋଷଣା ହୋଇଥିଲା। ଧର୍ମଶାଳା କଲେଜର ସମସ୍ତ ପ୍ରାର୍ଥୀ ଏବିଭିପିର ହୋଇଥିବାରୁ ବିଜୟ ଘୋଷଣା ପରେ ସଂଗଠନ ବିଜୟ ଉତ୍ସବ ପାଳନ କରିଥିଲା। ବାକି ୮ଟି କଲେଜରେ ନିର୍ବାଚନ ପାଇଁ ଲଢ଼େଇ ଆରମ୍ଭ ହୋଇଥିଲା।

ସୂଚନା ମୁତାବକ, ଯାଜପୁର ସହରସ୍ଥିତ ନରସିଂହ ଚୌଧୁରୀ କଲେଜରେ ସମସ୍ତ ପଦ ବିସିଜେଡିକୁ ଯାଇଛି। ସଭାପତି ପ୍ରାର୍ଥୀ ସଞ୍ଜମ ମହାନ୍ତି ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ସୁସ୍ମିତା ନନ୍ଦ ବିଜୟୀ ହୋଇଛନ୍ତି। ଦଶରଥପୁର ବ୍ଳକ୍ ସାଧୁ ଗୌରେଶ୍ଵର ମହାବିଦ୍ୟାଳୟରେ ବିସିଜେଡି ସଭାପତି ପ୍ରାର୍ଥୀ ଦେବାଶିଷ ଦାସ ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ପ୍ରଜ୍ଞା ପରମିତା ପତି ଜିତିଥିବା ବେଳେ ବରୀ ବ୍ଲକ୍ ଅଧୀନ ଗୋପବନ୍ଧୁ ଚୌଧୁରୀ କଲେଜରେ ସଭାପତି ପ୍ରାର୍ଥୀ ବିରଜା ପ୍ରସାଦ ଜେନା ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ପ୍ରେମସାଗର ପତି ବିପୁଳ ବିଜୟ ପାଇ ବିସିଜେଡିକୁ ବାଜିମାତ୍ କରାଇଛନ୍ତି।

ବିଞ୍ଝାରପୁର ବ୍ଲକ୍ ବରୁଣେଶ୍ଵର ମହାବିଦ୍ୟାଳୟରେ ବିସିଜେଡି ସଭାପତି ପ୍ରାର୍ଥୀ ବିଶ୍ୱରାଜ ଧଳ, ସାଧାରଣ ସମ୍ପାଦକ ପ୍ରାର୍ଥୀ ମିନର୍ଭା ପଣ୍ଡା, ଖରସ୍ରୋତା କଲେଜରେ ବିସିଜେଡି ସଭାପତି ପ୍ରାର୍ଥୀ ସୁହାସ ରଞ୍ଜନ ପଡ଼ିହାରୀ ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ବାଣିଶ୍ରୀ ପୃଷ୍ଟି ବିଜୟୀ ହୋଇଛନ୍ତି। ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟର ବିଜୟୀ ସଭାପତି ପ୍ରାର୍ଥୀ ନବୀନ କୁମାର ପଣ୍ଡା ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ଦେବସ୍ମିତା ଜେନା ବିସିଜେଡିର ହୋଇଥିବା ବେଳେ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟରେ ବିଜୟୀ ସଭାପତି ପ୍ରାର୍ଥୀ ବିବେକ ବିଶ୍ଵାଳ ଏବିଭିପିର ଏବଂ ସାଧାରଣ ସମ୍ପାଦକ ପ୍ରାର୍ଥୀ ଅଶ୍ୱିନୀ କୁମାର ଦାସ ବିସିଜେଡିର।

ନୂଆହାଟସ୍ଥିତ ବିଷ୍ଣୁ ସାମନ୍ତରାୟ କଲେଜରେ ବିଜୟୀ ସଭାପତି ପ୍ରାର୍ଥୀ ଅଭିଜିତ ନାୟକ ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ସୁପ୍ରଭା ସିଂ ଉଭୟ ଏବିଭିପିର ହୋଇଥିବାରୁ ଏଠାରେ ବିସିଜେଡି ନିଜର ପରକାଷ୍ଠା ଦେଖାଇବାରେ ବିଫଳ ହୋଇଛି।