ଭୁବନେଶ୍ୱର, ୧୬/୧୦ : ରମାଦେବୀ (ଆରଡି) ମହିଳା ବିଶ୍ବବିଦ୍ୟାଳୟରେ ଗଡ଼ ରଖିଲା ବିଜୁ ଛାତ୍ର ଜନତା ଦଳ । ୮ ବର୍ଷ ପରେ ହୋଇଥିବା ନିର୍ବାଚନରେ ଦଳର ପ୍ରାର୍ଥୀମାନେ ବୃହତ୍ ବିଜୟ ଲାଭ କରିଛନ୍ତି। ସଭାପତି, ସମ୍ପାଦକ ଠାରୁ ଆରମ୍ଭ କରି ଅଧିକାଂଶ ପଦରେ ବିଜୟୀ ହୋଇଛନ୍ତି।

Also Read :- ଉତ୍କଳ ବିଶ୍ୱ ବିଦ୍ୟାଳୟରେ ବାଜି ମାରିଲା ABVP :ଦ୍ୱିତୀୟରେ ଛାତ୍ର କଂଗ୍ରେସ, ତୃତୀୟକୁ ଖସିଲା ବିସିଜେଡି

ବିସିଜେଡି ସମର୍ଥିତ ପ୍ରାର୍ଥୀ ସୋନାଲି ବେହେରା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ସାଇ ଅର୍ପିତା ମହାପାତ୍ର (ବିସିଜେଡି ସମର୍ଥିତ), ଲକ୍ଷ୍ମୀପ୍ରିୟା ବିଶ୍ଵାଳ ସାଧାରଣ ସମ୍ପାଦକ, ସୁଦେଷ୍ଣା ଖୁଣ୍ଟିଆ ଯୁଗ୍ମ ସାଧାରଣ ସମ୍ପାଦକ, ଅଙ୍କିତା ମଲ୍ଲିକ କ୍ରୀଡ଼ା ସମ୍ପାଦକ, ରୂପାଲି ପାଣି ନାଟ୍ୟ ସମ୍ପାଦକ, ପ୍ରୀତିସ୍ମିତା ବାରିକ ସାଇନ୍ସ ସୋସାଇଟି ସମ୍ପାଦକ, ସମୀକ୍ଷା ସୁମନ ଡିଏସଏ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ଦିନ ସାରା ଉତ୍ତେଜନା

ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କ୍ୟାମ୍ପସ ଉଠିଲା ପଡ଼ିଲା। ବୋମା ମାଡ଼, ଠେଲାପେଲା, ଗାଳିଗୁଲଜ, ହୋହାରେ କମ୍ପିଲା ବିଶ୍ବବିଦ୍ୟାଳୟ ଚୌହଦୀ। ଦିନ ଉତ୍ତେଜନା ଥମିବା ଆଗରୁ ସନ୍ଧ୍ୟାରେ ଭୋଟ ଗଣତିକୁ ନେଇ ଏମିତି ବିବାଦ ଉଠିଲା ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥିତି ଅଣାୟତ୍ତ ହୋଇପଡ଼ିଲା। ପ୍ରବଳ ସଂଘର୍ଷ ଭିତରେ ରାତି ଅଧରେ ବୋମା ମାଡ଼ରେ ଥରିଲା କ୍ୟାମ୍ପସ ଚୌହଦୀ । ପୁଲିସ ନାକେଦମ ହୋଇଗଲା। ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ି ବି ପହଞ୍ଚିଲା। ଦିନ ୨ଟାରୁ ମତଦାନ ସରିଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫଳାଫଳ ଘୋଷଣା ହୋଇପାରିନଥିଲା। ରମାଦେବୀ ବିଶ୍ବବିଦ୍ୟାଳୟ ଭୋଟକୁ ନେଇ ଉତ୍ତେଜନା ଭିତରେ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଦିନରେ ପୁଲିସ ଅଟକ ରଖିଥିଲା । ଇପ୍ସିତାଙ୍କୁ ପୁଲିସ ଭ୍ୟାନକୁ ନେବା ପାଇଁ ପୁଲିସ ଢେର ନାକେଦମ ହୋଇଥିଲା।

ସନ୍ଧ୍ୟାରେ ଭୋଟ ଗଣତିକୁ ନେଇ ଆରମ୍ଭ ହେଲା ଆଉ ଏକ ସଂଘର୍ଷ । ସଭାପତି ପଦରେ ଛାତ୍ର ବିଜେଡି ପ୍ରାର୍ଥୀ ଜିତିଥିବା ଖବରରେ ଆରମ୍ଭ ହୋଇଗଲା ସେଲିବ୍ରେସନ୍। ଗଣମାଧ୍ୟମରୁ ସାମାଜିକ ଗଣମାଧ୍ୟମ ଯାଏ ଏ ଖବର ଛାଇଗଲା। ବାଣ ଫୁଗଇ ଜିତିବାର ଖୁସି ମନାଇଲେ ବିସିଜେଡି ସମର୍ଥକ। ଅନ୍ୟପକ୍ଷରେ ଏବିଭିପି ସଂଗଠନର ଛାତ୍ରୀମାନେ ଏହାର ପ୍ରତିବାଦ କରିଥିଲେ। ଗଣତି ସରିନଥିବାବେଳେ ବିସିଜେଡି ସମର୍ଥିତ ପ୍ରାର୍ଥୀ କେମିତି ଜିତିଲେ ବୋଲି ଏବିଭିପି ପ୍ରଶ୍ନ ଉଠାଇଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ଭିତରେ ଯୁକ୍ତିତର୍କରୁ ହୋହଲ୍ଲା ବଢ଼ିଲା କ୍ୟାମ୍ପସ ବାହାରେ। ଦ୍ବନ୍ଦ୍ବ ବଢ଼ିବାରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପିଜି କାଉନସିଲ୍ ଅଧ୍ଯକ୍ଷା ପ୍ରଫେସର ମଧୁସ୍ମିତା ପତି ଭିଡିଓ ଜାରି କରି ସୂଚନା ଦେଲେ, ଭୋଟ୍ ଗଣତି ଶେଷ ହୋଇନି। ଗଣତି ଚାଲୁଥିବାବେଳେ ଗୋଟିଏ ଦଳର ଏଜେଣ୍ଟମାନେ ନିଜ ସିଟରୁ ଉଠି ପଳାଇଥିଲେ। ଫଳରେ ଗଣତି ଅଧାରୁ ବନ୍ଦ ହୋଇଥିଲା।

ଗେଟ୍ ନିକଟକୁ ଆସି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପ୍ରାର୍ଥୀ କିମ୍ବା ତାଙ୍କର ଏଜେଣ୍ଟ ଗଣତି ପାଇଁ ପହଞ୍ଚିବାକୁ ଅନୁରୋଧ କରିଥିଲେ । ଏହା ପରେ ପୁଣି ଆରମ୍ଭ ହେଲା। ହଠାତ ଚତୁର୍ଥ ରାଉଣ୍ଡ ଗଣତି ବେଳେ ଜଣେ ପ୍ରାର୍ଥୀଙ୍କ ଏଜେଣ୍ଟ ଗଣତି କେନ୍ଦ୍ରରୁ ଉଠି ପଳାଇ ଆସିଥିଲେ। ପୁଣି ଗଣତି ବନ୍ଦ ହେଲା। ଏହି ବିବାଦ ଧୀରେ ଧୀରେ ଛାତ୍ର ସଙ୍ଗଠନରୁ ବାହାରି ରାଜନୈତିକ ଦଳର ପ୍ରସଙ୍ଗ ପାଲଟିଥିଲା। ଉଭୟ ବିଜେଡି ଓ ବିଜେପିର ନେତାମାନେ ରମାଦେବୀ ମୁଖ୍ୟ ଫାଟକ ସାମ୍ନାରେ ପହଞ୍ଚିଥିଲେ। ଗୋଟିଏ ଫାଟକ ସାମ୍ନାରେ ଏବିଭିପି ସମର୍ଥକ, ଅନ୍ୟ ଫାଟକ ବାହାରେ ଛାତ୍ର ବିଜେଡି ସମର୍ଥକ। ଛାତ୍ର ବିଜେଡି ପଟୁ ଗୋ ବ୍ୟାକ୍ ନାରା ଶୁଭୁଥିଲା। ଏବିଭିପି ପକ୍ଷରୁ ଡାଉନ୍ ଡାଉନ୍ ନାରାବାଜି ଦିଆଯାଉଥିଲା ।

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମସି ମେୟର ସୁଲୋଚନା ଦାସ, ଯୁବ ବିଜେଡି ନେତ୍ରୀ ସୋଫିଆ ଆଲାମ ପ୍ରମୁଖ ସେଠାରେ ପହଞ୍ଚି ଛାତ୍ର ବିଜେଡିକୁ ସମର୍ଥନ କରିଥିଲେ। ମାତ୍ର ୧୫ଶହ ଭୋଟ୍ ଗଣିବାକୁ ଏତେ ସମୟ କାହିଁକି ଲାଗିଲା ବୋଲି ବିଜେଡି ପ୍ରଶ୍ନ କରିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ବିସିଜେଡି ଏବଂ ଏବିଭିପି ଶିବିର ବାରମ୍ବାର ମୁହାଁମୁହିଁ ସ୍ଥିତିକୁ ଆସିଥିଲେ। କ୍ୟାମ୍ପସ ଭିତର ଓ ବାହାରେ ପୁଲିସ ଛାଉଣୀ ହୋଇଯାଇଥିଲା। ।