ନୂଆଦିଲ୍ଲୀ: ନେପାଳରେ ଘଟିଥିବା ପ୍ରଳୟଙ୍କରୀ ଫ୍ଲାସ୍ ଫ୍ଲଡ୍ (ଆକସ୍ମିକ ବନ୍ୟା) ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି।  ନ୍ୟାସନାଲ୍ ଡିଜାଷ୍ଟର ରିସ୍କ ରିଡକ୍ସନ୍ ଆଣ୍ଡ ମ୍ୟାନେଜମେଣ୍ଟ ଅଥରିଟିର ରିପୋର୍ଟ ଅନୁଯାୟୀ, ଏହି ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୧,୨୫୨କୁ ବୃଦ୍ଧି ପାଇଥିବା ବେଳେ ପ୍ରାୟ ୪,୨୧୬ ଜଣ ଏବେ ବି ନିଖୋଜ ଅଛନ୍ତି। ଏହି ସଙ୍କଟ ସମୟରେ ପୀଡ଼ିତଙ୍କୁ ସହାୟତା କରିବା ପାଇଁ ବଲିଉଡ୍ ଅଭିନେତା ସୋନୁ ସୁଦ ନେପାଳ ପହଞ୍ଚି ରିଲିଫ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି।

ସୋନୁଙ୍କୁ ସମାଲୋଚନା 
​​​​​​​ନେପାଳରେ ସୋନୁ ସୁଦଙ୍କ ଉପସ୍ଥିତିକୁ ନେଇ ଗୋଟିଏ ପଟେ ଲୋକେ ପ୍ରଶଂସା କରୁଥିବା ବେଳେ, ଅନ୍ୟପଟେ କିଛି ବ୍ୟକ୍ତି ତାଙ୍କୁ ସମାଲୋଚନା କରିଛନ୍ତି। ବରିଷ୍ଠ ସାମ୍ବାଦିକ ଅଜିତ ଅଞ୍ଜୁମ୍ ସୋସିଆଲ ମିଡିଆ ଏକ୍ସ (X)ରେ ପୋଷ୍ଟ କରି ଲେଖିଥିଲେ, ‘ଏହା ଯଦି ସୋନୁ ସୁଦଙ୍କ ଆତ୍ମ-ପ୍ରଚାର ନୁହେଁ, ତେବେ ଆଉ କ’ଣ ? ନେପାଳରେ ପହଞ୍ଚୁ ପହଞ୍ଚୁ ସେ ଶିଶୁମାନଙ୍କ ଅଭିଭାବକ ପାଲଟିଗଲେ। କାମ ଆରମ୍ଭ ହୋଇନି, ମାତ୍ର ତାଙ୍କୁ ଭଗବାନ ବନାଇବାର ମାର୍କେଟିଂ ଆରମ୍ଭ ହୋଇଗଲାଣି।’

ଏହି ସମାଲୋଚନାର ନମ୍ର ଜବାବ ଦେଇ ସୋନୁ ସୁଦ ଲେଖିଛନ୍ତି, ‘ଆପଣ ଜଣେ ଭଲ ମଣିଷ ଭାଇ ! ନେପାଳ ଆସନ୍ତୁ, ଦୁଇ ଭାଇ ମିଶି ଏକାଠି କାମ କରିବା।’ସୋନୁ ସୁଦ୍ ସୋସିଆଲ ମିଡିଆରେ ବନ୍ୟା ପ୍ରଭାବିତ 'ତ୍ରିଶୂଳୀ' ନଦୀ କୂଳର ଦୃଶ୍ୟ ସେୟାର କରି ଲେଖିଛନ୍ତି ଯେ, ବନ୍ୟା ଯୋଗୁଁ ଅନେକ ଘର ଓ ପରିବାର ଭାଙ୍ଗିଯାଇଛି। ନେପାଳ ଏକା ନାହିଁ, ସେ ସେମାନଙ୍କ ସହ ଛିଡ଼ା ହୋଇଛନ୍ତି ଏବଂ ପୁନର୍ବାର ସେମାନଙ୍କ ଜୀବନକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ସମ୍ଭବପର ସାହାଯ୍ୟ କରିବେ।

ସମ୍ବାଦ ସଂସ୍ଥା ANIକୁ ପ୍ରତିକ୍ରିୟା ଦେଇ ସୋନୁ କହିଛନ୍ତି ଯେ, ଭାରତରୁ ବହୁ ପରିମାଣର କମ୍ବଳ ଓ ଖାଦ୍ୟ ସାମଗ୍ରୀ ଅଣାଯାଇଛି। ଭାରତରୁ ସାମଗ୍ରୀ ପଠାଇବା କିଛିଟା ଆହ୍ୱାନପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଆଗାମୀ ମାସଗୁଡ଼ିକରେ ମଧ୍ୟ ରିଲିଫ୍ ସହାୟତା ଜାରି ରହିବ।