କାଠମାଣ୍ଡୁ: ନେପାଳରେ ଯାହା ଘଟିଗଲା ସେଥିପାଇଁ ଭାରତ, ଆମେରିକା ଓ ଚୀନ ଦାୟୀ। ଏଭଳି ଅଭିଯୋଗ ଆଣିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ ଶିସିର କାନାଲ। ଖାଲି ସେତିକି ନୁହେଁ, ପ୍ରକୃତିର ଏହି ତାଣ୍ଡବ ପାଇଁ ଏହି ୩ ଦେଶ କ୍ଷତିପୂରଣ ଦେବେ। ନହେଲେ ନେପାଳ ବାଧ୍ୟ ହୋଇ ଏମାନଙ୍କ ବିରୁଦ୍ଧରେ ଜାତିସଂଘରେ ଫେରାଦ ହେବ ବୋଲି କହିଛନ୍ତି ନେପାଳ ସରକାର।

ଅଗଷ୍ଟ ୨୬ରେ ନେପାଳର ଭୋଟେକୋଶୀ ନଦୀ ଅବବାହିକାରେ ଆସିଥିବା ଭୟାବହ ବନ୍ୟା ବାଗମତି ରାଜ୍ୟର ରାସୁୱା, ନୁୱାକୋଟ୍ ଓ ଧାଦିଙ୍ଗ୍ ଜିଲ୍ଲାର ବ୍ୟାପକ ଅଞ୍ଚଳକୁ ଧ୍ୱଂସ କରିଦେଇଛି। ବନ୍ୟାରେ ଘରଦ୍ୱାର, ରାସ୍ତା, ବ୍ରିଜ୍ ଏବଂ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ହଜାର ହଜାର ଲୋକ ଏବେ ବି ବିସ୍ଥାପିତ ଅବସ୍ଥାରେ ଅଛନ୍ତି। ନେପାଳ ଏହି ବିପର୍ଯ୍ୟୟକୁ “ହିମାଳୟ ସୁନାମି”ବୋଲି ବର୍ଣ୍ଣନା କରିଛି।

ଏପର୍ଯ୍ୟନ୍ତ ସରକାରୀ ଭାବରେ ୧୧୨୭ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ୩୯୦୦୦ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ୩ ହଜାର ପାର୍ ହୋଇପାରେ ବୋଲି କୁହାଯାଉଛି। ବନ୍ୟାରେ ଧ୍ୱଂସ ହୋଇଥିବା ଭିତ୍ତିଭୂମିର ପୁନଃ ନିର୍ମାଣ କରିବା ପାଇଁ ନେପାଳକୁ ପ୍ରାୟ ୪ରୁ ୫ ବିଲିୟନ୍ ଡଲାର ଆବଶ୍ୟକ ହୋଇପାରେ। ଏହି ରାଶି ଦେଶର ମୋଟ ଅର୍ଥନୀତିର ପ୍ରାୟ ୧୦ ପ୍ରତିଶତ ବୋଲି ନେପାଳର ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗ୍ଲେ ଗତ ସପ୍ତାହରେ ରଏଟର୍ସକୁ କହିଥିଲେ।

Also Read- ଋଷରେ ପୁଟିନଙ୍କୁ ଦିଆଯିବ ଫାଶୀ ! ଭ୍ଲାଦିମିରଙ୍କୁ ଘାରିଛି 'ଡେଥ୍ ଫିଅର', କାରଣ ଆହୁରି ଭୟଙ୍କର...

ଏତେ ସାହାଯ୍ୟ ପରେ କାହିଁକି ଭାରତକୁ ଦାୟୀ କଲା ନେପାଳ ?

ତେବେ ଏହି ଭୟାବହ ଘଟଣା ପାଇଁ ନେପାଳ କାହିଁକି ଭାରତ,ଆମେରିକା ଓ ଚୀନକୁ ଦାୟୀ କଲା ତାହା ଜାଣିବା ଜରୁରୀ। ଚୀନ୍, ଭାରତ ଓ ଆମେରିକା ବିଶ୍ୱର ସର୍ବାଧିକ ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନକାରୀ ଦେଶମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ବୋଲି ନେପାଳ ଅଭିଯୋଗ ଆଣିଛି। ଯାହା ପ୍ରକୃତିର ସନ୍ତୁଳନ ନଷ୍ଟ କରୁଛି, ତେଣୁ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ନେପାଳ ଏମାନଙ୍କ ଠାରୁ ଜଳବାୟୁ କ୍ଷତିପୂରଣ ଦାବି କରିଛି।

ଜଳବାୟୁ କ୍ଷତିପୂରଣ ଦାବି ନେଇ କାଠମାଣ୍ଡୁ ଗମ୍ଭୀର ଥିବା ଜଣାପଡ଼ୁଛି। କାରଣ ଏହି ପ୍ରସଙ୍ଗକୁ ଜାତିସଂଘ ସାଧାରଣ ସଭା (UNGA)ରେ ଉଠାଇବା ପାଇଁ ଖୋଦ୍ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଯୋଜନା କରୁଥିବା ସୁଚନା ମିଳିଛି। ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ୍ କହିଛନ୍ତି, ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନରେ ଯେଉଁ ଦେଶଗୁଡ଼ିକର ଅବଦାନ ନଗଣ୍ୟ, ସେହି ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର ଭୟାବହ ପରିଣାମ ଭୋଗୁଛନ୍ତି। ତେଣୁ ଏହି ସଙ୍କଟର ଶିକାର ହେଉଥିବା ଦୁର୍ବଳ ଦେଶଗୁଡ଼ିକୁ କ୍ଷତିପୂରଣ ଦେବାର ଦାୟିତ୍ୱ ଏହି ତିନି ଦେଶ—ଚୀନ୍, ଭାରତ ଓ ଆମେରିକାର ରହିଛି ବୋଲି ସେ ଦାବି କରିଛନ୍ତି।

ଘଟଣାରେ କାଠମାଣ୍ଡୁ ତୁରନ୍ତ ଆର୍ଥିକ ସହାୟତା ପାଇଁ ଜାତିସଂଘ ସମର୍ଥିତ ‘ଫଣ୍ଡ୍ ଫର୍ ରେସ୍ପଣ୍ଡିଂ ଟୁ ଲସ୍ ଆଣ୍ଡ ଡାମେଜ୍’ ନିକଟରେ ଔପଚାରିକ ଭାବେ ଆବେଦନ କରିଛି। ଏହା ସହ ବିପର୍ଯ୍ୟୟ ଏବଂ ଜଳବାୟୁ ନ୍ୟାୟ ପାଇଁ ନିଜର ଦାବିକୁ ଅନ୍ତର୍ଜାତୀୟ ମଞ୍ଚରେ ଜୋରଦାର ଭାବେ ଉଠାଇବାକୁ ମଧ୍ୟ ନେପାଳ ପ୍ରସ୍ତୁତି ଚଳାଇଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।

କାନ୍ତିପୁର ଟିଭିକୁ ଦେଇଥିବା ସାକ୍ଷାତକାରରେ ଖାନାଲ୍ କହିଛନ୍ତି, “ଆମେ ଏବେ ଆମର କୂଟନୈତିକ ଆଭିମୁଖ୍ୟକୁ ସହାୟତାରୁ ନ୍ୟାୟଚିତ କ୍ଷତିପୂରଣ ଦିଗକୁ ପରିବର୍ତ୍ତନ କରୁଛୁ।” ନେପାଳର ଏହି ଦାବି ପରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଆଙ୍ଗୁଳି ଏବେ ଭାରତ ଉପରେ ନିହାତି ଉଠିବ। କାରଣ ପାଶ୍ଚାତ୍ୟ ଦେଶଗୁଡ଼ିକ ମୋଟ କାର୍ବନ୍ ନିର୍ଗମନ ଆଧାରରେ ଭାରତକୁ ସମାଲୋଚନା କରୁଥିଲେ ମଧ୍ୟ, ପ୍ରତି ବ୍ୟକ୍ତି ହିସାବରେ ଭାରତର କାର୍ବନ୍ ନିର୍ଗମନ ବିକଶିତ ଦେଶଗୁଡ଼ିକ ତୁଳନାରେ ବହୁତ କମ୍।

Also Read- ଇରାନ ଉପରେ ପୁଣି ବିମାନ ଆକ୍ରମଣ କଲା ଆମେରିକା, ପ୍ରଚଣ୍ଡ ବିସ୍ଫୋରଣରେ କମ୍ପିଲା ବନ୍ଦର ଅବ୍ବାସ

ବନ୍ୟା କ୍ଷତିପୂରଣ ଦାବି ଜାତିସଂଘରେ ଉଠାଇପାରନ୍ତି ବାଲେନ୍ ଶାହ

‘ବନ୍ୟା କ୍ଷତିପୂରଣ’ ଦାବିକୁ ଆହୁରି ଜୋରଦାର କରିବା ପାଇଁ ବାଲେନ୍ ଶାହ ନ୍ୟୁୟର୍କ ଯାଇ ୮୧ତମ ଜାତିସଂଘ ସାଧାରଣ ସଭା (UNGA)ରେ ଯୋଗଦେଇପାରନ୍ତି ବୋଲି ଦ କାଠମାଣ୍ଡୁ ପୋଷ୍ଟ ରିପୋର୍ଟ କରିଛି। ରାସୁୱା ବନ୍ୟାର ଭୟାବହତା, ଜଳବାୟୁ ନ୍ୟାୟ ଏବଂ କ୍ଷତିପୂରଣ ଦାବିକୁ ବିଶ୍ୱ ମଞ୍ଚରେ ସିଧାସଳଖ ଉଠାଇବା ପାଇଁ ଶାହଙ୍କ ଯାତ୍ରା ନେଇ ଆଲୋଚନା ଚାଲିଛି।

ପୂର୍ବରୁ ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲଙ୍କୁ  UNGAରେ ପ୍ରତିନିଧିତ୍ୱ କରିବାର ଯୋଜନା ଥିଲା। ଜାତିସଂଘ ସାଧାରଣ ସଭା ସେପ୍ଟେମ୍ବର ୮ରୁ ଆରମ୍ଭ ହେଉଥିବାବେଳେ, ସାଧାରଣ ବିତର୍କ ସେପ୍ଟେମ୍ବରର ତୃତୀୟ ଓ ଚତୁର୍ଥ ସପ୍ତାହରେ ହେବ।

ସେପ୍ଟେମ୍ବର ୧ ସୁଦ୍ଧା ନେପାଳ ପୋଲିସର ତ ଅନୁଯାୟୀ, ବନ୍ୟାରେ ୧୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ନେପାଳ-ଚୀନ୍ ସୀମା ନିକଟ ଉଚ୍ଚ ପାର୍ବତ୍ୟ ଅଞ୍ଚଳରୁ ବନ୍ୟାର ଉତ୍ପତ୍ତି ହୋଇଥିବା ଅଧିକାରୀ ଓ ବିଶେଷଜ୍ଞମାନେ ଆଶଙ୍କା କରୁଥିଲେ ମଧ୍ୟ, ଏହାର ପ୍ରକୃତ କାରଣ ଏବଂ ଜଳବାୟୁ ପରିବର୍ତ୍ତନ ସହ ଏହାର ସମ୍ପର୍କ ନିର୍ଦ୍ଧାରଣ ପାଇଁ ଆହୁରି ବୈଜ୍ଞାନିକ ଅଧ୍ୟୟନ ଆବଶ୍ୟକ। ନେପାଳ ବିଶ୍ୱର ମୋଟ ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନରେ ଅତି ନଗଣ୍ୟ ଅବଦାନ ରଖୁଥିବା ସତ୍ତ୍ୱେ ହିମସ୍ଖଳନ ତରଳିବା, ପାହାଡ଼ ଧସିବା ଏବଂ ଗ୍ଲେସିୟର ବନ୍ୟାର ବିପଦକୁ ଅଧିକ ମାତ୍ରାରେ ସାମ୍ନା କରୁଛି ବୋଲି ଦାବି କରୁଛି।

‘ଦାନ ନୁହେଁ, ନ୍ୟାୟ ଦରକାର’

ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ୍ କହିଛନ୍ତି, ରାସୁୱା ବିପର୍ଯ୍ୟୟକୁ କେବଳ ଏକ ମାନବୀୟ ସଙ୍କଟ ଭାବେ ଦେଖାଯାଇ ଦାନ କିମ୍ବା ସହାୟତା ଦିଆଯିବା ଉଚିତ୍ ନୁହେଁ। ବରଂ ବଡ଼ ଶିଳ୍ପଭିତ୍ତିକ ଅର୍ଥନୀତିଗୁଡ଼ିକର ନିର୍ଗମନ ଯୋଗୁ ଯେଉଁ ଦେଶଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି, ସେମାନଙ୍କ ପ୍ରତି କ୍ଷତିପୂରଣ ଏକ ଦାୟିତ୍ୱ ବୋଲି ସେ ଯୁକ୍ତି ଦେଇଛନ୍ତି।

କାନ୍ତିପୁର ଟିଭିକୁ ଖାନାଲ୍ କହିଛନ୍ତି, “ଏହା ଦାନର ପ୍ରଶ୍ନ ନୁହେଁ; ଏହା ଆଇନଗତ ଓ ନୈତିକ ଦାୟିତ୍ୱର ପ୍ରଶ୍ନ।” ସେ ଚୀନ୍, ଆମେରିକା ଓ ଭାରତକୁ ବିଶ୍ୱର ତିନି ବଡ଼ ବର୍ତ୍ତମାନର ନିର୍ଗମନକାରୀ ଦେଶ ଭାବେ ଉଲ୍ଲେଖ କରି, ନେପାଳ ଭଳି ଦେଶକୁ କ୍ଷତିପୂରଣ ଦେବାର ଦାୟିତ୍ୱ ସେମାନଙ୍କର ରହିଛି ବୋଲି କହିଛନ୍ତି। ତେବେ ଜଳବାୟୁ ଦାୟିତ୍ୱର ପ୍ରସଙ୍ଗଟି ଅଧିକ ଜଟିଳ। ଭାରତର ଯୁକ୍ତି ରହିଆସିଛି ଯେ ଜଳବାୟୁ ଦାୟିତ୍ୱ ନିର୍ଦ୍ଧାରଣ ବେଳେ ଐତିହାସିକ ନିର୍ଗମନ, ପ୍ରତି ବ୍ୟକ୍ତି ନିର୍ଗମନ, ବିକାଶର ଆବଶ୍ୟକତା ଏବଂ ପୂର୍ବରୁ ଶିଳ୍ପାୟନ କରିଥିବା ଦେଶମାନଙ୍କ ଦାୟିତ୍ୱକୁ ବିଚାର କରାଯିବା ଦରକାର।

ବିଶ୍ୱ ଫଣ୍ଡ୍କୁ ନେପାଳର ଆବେଦନ

ବନ୍ୟା ପରେ ନେପାଳ ସରକାର କ୍ଷତି ଏବଂ କ୍ଷୟକ୍ଷତିର ଭରଣା ପାଇଁ ପାଣ୍ଠି ନିକଟରେ ଔପଚାରିକ ଭାବେ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛି। ଏହାକୁ ଭାରତ, ଚୀନ୍ ଓ ଆମେରିକା ବିରୋଧରେ ପୃଥକ୍ ପୃଥକ୍ ଦ୍ୱିପାକ୍ଷିକ କ୍ଷତିପୂରଣ ଦାବି ଭାବେ ସାର୍ବଜନୀନ କରାଯାଇନାହିଁ।

୨୦୨୨ର COP27ରେ ଏହି ଫଣ୍ଡ୍ ପାଇଁ ସହମତି ହୋଇଥିଲା ଏବଂ COP28ରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନରେ ବିଶେଷ ଭାବେ ଅସୁରକ୍ଷିତ ବିକାଶଶୀଳ ଦେଶଗୁଡ଼ିକୁ ସହାୟତା କରିବା ଏହାର ଉଦ୍ଦେଶ୍ୟ। ନେପାଳ କେବଳ ତୁରନ୍ତ ରିଲିଫ୍ ନୁହେଁ, ପୁନର୍ବାସ ଓ ପୁନର୍ନିର୍ମାଣ ପାଇଁ ଅର୍ଥ, ଟନେଲ୍ ରେସ୍କ୍ୟୁ ଟିମ୍, ଫରେନସିକ୍ ବିଶେଷଜ୍ଞ ଏବଂ ବେଲି ବ୍ରିଜ୍ ଭଳି ବିଶେଷ ସହାୟତା ମଧ୍ୟ ଚାହୁଁଛି। ନେପାଳର ବାର୍ତ୍ତା ସ୍ପଷ୍ଟ ଯେ ଜଳବାୟୁ ପରିବର୍ତ୍ତନରେ ଯେଉଁ ଦେଶର ଅବଦାନ ସବୁଠାରୁ କମ୍, ସେହି ଦେଶଗୁଡ଼ିକୁ ବାରମ୍ବାର ନିଜ ଖର୍ଚ୍ଚରେ ଉଦ୍ଧାର ଓ ପୁନର୍ନିର୍ମାଣର ଭାର ବହନ କରିବାକୁ ଛାଡ଼ି ଦିଆଯାଇପାରିବ ନାହିଁ।