ନୂଆଦିଲ୍ଲୀ, ୮ /୧୧ : କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜର ଆଗାମୀ ଆତ୍ମଜୀବନୀକୁ ନେଇ ମନ ଖୋଲିଛନ୍ତି। ତାଙ୍କର ଏହି ପୁସ୍ତକ କୌଣସି ରାଜନୈତିକ ପୁସ୍ତକ ନୁହେଁ, ବରଂ ଏକ ବ୍ୟକ୍ତିଗତ ଜୀବନଯାତ୍ରାର କାହାଣୀ ବୋଲି ସେ ସ୍ପଷ୍ଟ କରିଛନ୍ତି। ନିଜ ପରିବାରର ସଦସ୍ୟମାନଙ୍କୁ ସେମାନଙ୍କର ପ୍ରକୃତ ରୂପରେ, ସେମାନଙ୍କ ଭଲପାଇବା, ସଂଘର୍ଷ ଓ ଦୁର୍ବଳତା ସହିତ ଉପସ୍ଥାପନ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି କହିଛନ୍ତି ସୋନିଆ। 

ତାଙ୍କର ଆଗାମୀ ପୁସ୍ତକ ‘Belonging: A Journey of Love’ ଭାରତରେ ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ। ପୁସ୍ତକ ପ୍ରକାଶନ ପୂର୍ବରୁ ‘ଦି ହିନ୍ଦୁ’ରେ ଲେଖିଥିବା ଏକ ଲେଖାରେ ସୋନିଆ ନିଜ ଜୀବନର ଅନେକ ଅକୁହା କଥା, ପରିବାର ପ୍ରତି ଭଲପାଇବା ଏବଂ ଭାରତ ସହିତ ତାଙ୍କର ଆତ୍ମୀୟତା ବିଷୟରେ ଉଲ୍ଲେଖ କରିଛନ୍ତି।

ସୋନିଆ ଗାନ୍ଧୀ କହିଛନ୍ତି, ତାଙ୍କ ପରିବାରକୁ ନେଇ ଅନେକ କଥା ଲେଖାଯାଇଛି। କିନ୍ତୁ ସେମାନେ କିଏ ଥିଲେ, ସେମାନଙ୍କ ଚିନ୍ତାଧାରା କ’ଣ ଥିଲା, ସେମାନେ କେଉଁ ସଂଘର୍ଷ ଦେଇ ଗତି କରିଥିଲେ ଏବଂ ସେମାନଙ୍କ ମଧ୍ୟରେ ଥିବା ମାନବୀୟ ଦୁର୍ବଳତା କ’ଣ ଥିଲା, ତାହାର ପ୍ରକୃତ ଚିତ୍ର ଖୁବ୍ କମ୍ ଦେଖିବାକୁ ମିଳିଛି। ସେଥିପାଇଁ ନିଜ ପରିବାରର ଲୋକମାନଙ୍କୁ ସେ ଯେପରି ଜାଣିଥିଲେ ଓ ଭଲ ପାଉଥିଲେ, ସେହିଭଳି ଭାବରେ ସତ୍ୟ ଓ ସଚ୍ଚୋଟତାର ସହ ପାଠକଙ୍କ ସମ୍ମୁଖରେ ରଖିବାକୁ ଚାହିଁଛନ୍ତି।

ସେ କହିଛନ୍ତି, “ଏହା କୌଣସି ରାଜନୈତିକ ପୁସ୍ତକ ନୁହେଁ। ଏହା ଏକ ବ୍ୟକ୍ତିଗତ ପୁସ୍ତକ। ମୋ ପରିବାର ବିଷୟରେ ଅନେକ କିଛି ଲେଖାଯାଇଛି, କିନ୍ତୁ ସେମାନେ ପ୍ରକୃତରେ କେମିତି ମଣିଷ ଥିଲେ, ସେମାନଙ୍କ ଉଦ୍ଦେଶ୍ୟ, ସଂଘର୍ଷ ଓ ମାନବୀୟ ଦୁର୍ବଳତାକୁ ନେଇ ଗଭୀର ଭାବରେ ଖୁବ୍ କମ୍ ଆଲୋଚନା ହୋଇଛି। ମୁଁ ସେମାନଙ୍କୁ ଯେଉଁଭଳି ଜାଣିଥିଲି ଓ ଭଲ ପାଉଥିଲି, ସେହିଭଳି ଭାବରେ ଉପସ୍ଥାପନ କରିବାକୁ ଚାହୁଁଥିଲି।”

ନିଜ ପୁସ୍ତକର ଆରମ୍ଭ ବିଷୟରେ ଲେଖି ସୋନିଆ କହିଛନ୍ତି, ଏହି ଯାତ୍ରା ଇଂଲଣ୍ଡରୁ ଆରମ୍ଭ ହୋଇଥିଲା। ଇଟାଲୀର ଏକ ଛୋଟ ସହରରୁ ଆସିଥିବା ୧୯ ବର୍ଷୀୟ ଯୁବତୀଙ୍କ ସାକ୍ଷାତ ଜଣେ ଯୁବ ଭାରତୀୟ ଛାତ୍ରଙ୍କ ସହ ହୋଇଥିଲା। ଏହି ସାକ୍ଷାତ ତାଙ୍କ ଜୀବନର ଦିଗ ବଦଳାଇ ଦେଇଥିଲା।

ପରବର୍ତ୍ତୀ ସମୟରେ ସେ ଏକ ନୂଆ ଦେଶ, ନୂଆ ପରିବାର ଏବଂ ନୂଆ ସମ୍ପର୍କ ସହ ଯୋଡ଼ି ହୋଇଥିଲେ। ତାଙ୍କ ଶାଶୂ ଇନ୍ଦିରା ଗାନ୍ଧୀଙ୍କ ସହ ଗଭୀର ଆତ୍ମୀୟତା ଗଢ଼ି ଉଠିଥିଲା। ଏହା ସହିତ ନିଜ ପିଲାମାନଙ୍କୁ ବଡ଼ କରିବାର ଅନୁଭୂତି ମଧ୍ୟ ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ସୋନିଆଙ୍କ କହିବା ଅନୁସାରେ, ତାଙ୍କ ଜୀବନର ପ୍ରତ୍ୟେକ ଅଧ୍ୟାୟରେ ଭଲପାଇବା ଓ ସେହି ଭଲପାଇବାରୁ ଜନ୍ମ ନେଇଥିବା ନିଷ୍ଠା ହିଁ ମୁଖ୍ୟ ଭୂମିକା ନେଇଛି।

ସୋନିଆଙ୍କ ଜୀବନରେ ଅନେକ ଦୁଃଖଦ ଘଟଣା ଘଟିଛି। ପ୍ରଥମେ ତାଙ୍କ ଶାଶୂ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହରାଇବାକୁ ପଡ଼ିଥିଲା ପରେ ୧୯୮୪ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ତାଙ୍କ ପରିବାର ପାଇଁ ଏକ ବଡ଼ ଦୁଃଖଦ ଘଟଣା ଥିଲା। ଏହାର କିଛି ବର୍ଷ ପରେ ୧୯୯୧ ମସିହାରେ ତାଙ୍କ ସ୍ୱାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହି ଦୁଇଟି ଘଟଣା ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ମଧ୍ୟରୁ ଅନ୍ୟତମ।

ସେ ନିଜ ଲେଖାରେ କହିଛନ୍ତି ଯେ, ଏତେ ବଡ଼ ଦୁଃଖ ସହିବା ପରେ ମଧ୍ୟ ତାଙ୍କୁ ଆଗକୁ ବଢ଼ିବା ପାଇଁ ସ୍ୱାମୀଙ୍କ ପ୍ରତି ଭଲପାଇବା ଏବଂ ଭାରତ ପ୍ରତି ଥିବା ଆତ୍ମୀୟତା ଶକ୍ତି ଯୋଗାଇଥିଲା। ସୋନିଆ ଗାନ୍ଧୀ କେବଳ ନିଜ ପରିବାରର କାହାଣୀ ନୁହେଁ, ବରଂ ଭାରତରେ ବିତାଇଥିବା ପାଞ୍ଚ ଦଶନ୍ଧିରୁ ଅଧିକ ସମୟର ଅନୁଭୂତିକୁ ମଧ୍ୟ ଏହି ପୁସ୍ତକରେ ସ୍ଥାନ ଦେଇଛନ୍ତି।

ଯଦିଓ ସୋନିଆ ଏହି ପୁସ୍ତକକୁ ଏକ ବ୍ୟକ୍ତିଗତ ଜୀବନଯାତ୍ରା ବୋଲି କହିଛନ୍ତି, ତଥାପି ଏଥିରେ ଭାରତୀୟ ରାଜନୀତିର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ସ୍ଥାନ ପାଇଛି। ବିଶେଷ କରି ୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟର ବିଜୟ ଏବଂ ଏହା ପରେ ସୋନିଆ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନ କରିବା ଘଟଣା ସମ୍ପର୍କରେ ମଧ୍ୟ ଏହି ପୁସ୍ତକରେ ଆଲୋଚନା ରହିଛି। ସେହି ସମୟରେ ସୋନିଆ ନିଜେ ପ୍ରଧାନମନ୍ତ୍ରୀ ନ ହୋଇ କଂଗ୍ରେସ ଦଳ ଏବଂ ମେଣ୍ଟର ନେତୃତ୍ୱ ନେଇଥିଲେ। ପରବର୍ତ୍ତୀ ଦଶ ବର୍ଷ ଧରି କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ କେନ୍ଦ୍ରରେ ସରକାର ଚଳାଇଥିଲା।

ଏହା ସହିତ ପରିବାରକୁ ପ୍ରଭାବିତ କରିଥିବା ଅନ୍ୟ କିଛି ବଡ଼ ଦୁଃଖଦ ଘଟଣା, ଯେପରିକି ସଞ୍ଜୟ ଗାନ୍ଧୀଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ, ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଏବଂ ରାଜୀବ ଗାନ୍ଧୀଙ୍କ ହତ୍ୟା ମଧ୍ୟ ପୁସ୍ତକର ବିଷୟବସ୍ତୁରେ ସ୍ଥାନ ପାଇଛି।

also read- ୨୦୨୭ରେ ୟୁପିକୁ ଦଖଲ କରିବ କିଏ ? NDAକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଯୋଗୀ ଆଦିତ୍ୟନାଥ

ହାର୍ପରକଲିନ୍ସ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ହେବାକୁ ଥିବା ‘Belonging: A Journey of Love’ ନଭେମ୍ବର ୧୦ ତାରିଖରେ ଭାରତୀୟ ପାଠକଙ୍କ ପାଇଁ ଉପଲବ୍ଧ ହେବ। ପୂର୍ବରୁ ଲେଖକଙ୍କ ପ୍ରତିନିଧି ଓ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ ମଧ୍ୟରେ ମତଭେଦ ଯୋଗୁଁ ଭାରତରେ ପୁସ୍ତକ ପ୍ରକାଶନକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ତେବେ ଏବେ ହାର୍ପରକଲିନ୍ସ ଇଣ୍ଡିଆ ଏହାକୁ ପ୍ରକାଶ କରିବାକୁ ଯାଉଛି l ସୋନିଆ ଗାନ୍ଧୀଙ୍କ ଏହି ପୁସ୍ତକ କେବଳ ଜଣେ ରାଜନେତାଙ୍କ ଜୀବନ କାହାଣୀ ନୁହେଁ, ବରଂ ଭଲପାଇବା, ପରିବାର, ବିୟୋଗ, ସଂଘର୍ଷ ଓ ନିଜର ପରିଚୟ ଖୋଜିବାର ଏକ ଅନୁଭୂତିପୂର୍ଣ୍ଣ ଯାତ୍ରା ଭାବେ ପାଠକଙ୍କ ସାମ୍ନାକୁ ଆସିବାକୁ ଯାଉଛି।