ନୂଆଦିଲ୍ଲୀ: ୨୦୨୭ରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ବଡ଼ ଆର୍ଥିକ କ୍ଷତିର ସାମ୍ନା କରିପାରେ । ଆସନ୍ତା ବର୍ଷ ବୋର୍ଡକୁ ପ୍ରାୟ ୫୦ ନିୟୁତ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ପ୍ରାୟ ୬୨୭ କୋଟି ଟଙ୍କାର କ୍ଷତି ହେବା ଆଶଙ୍କା ରହିଛି । ରିପୋର୍ଟ ଅନୁସାରେ ଏହାର ଦୁଇଟି ପ୍ରମୁଖ କାରଣ ରହିଛି । ପ୍ରଥମଟି ହେଉଛି ୨୦୨୭ରେ ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ନାହିଁ । ଦ୍ୱିତୀୟଟି ହେଉଛି ଆଇସିସି ପକ୍ଷରୁ ସଦସ୍ୟ ବୋର୍ଡଗୁଡ଼ିକୁ ଦିଆଯିବାକୁ ଥିବା ପ୍ରସାରଣ ରାଜସ୍ୱର କିଛି ଅଂଶ ରଖିବା ।

ବ୍ରିଟିଶ ଖବରକାଗଜ ଦ ଗାର୍ଡିୟନର ରିପୋର୍ଟ ଅନୁସାରେ, ୨୦୨୫ ମସିହା ମେ ମାସରେ ହିଁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ୨୦୨୭ରେ ବଡ଼ ଆର୍ଥିକ କ୍ଷତି ହେବା ନେଇ ଆଶଙ୍କା ପ୍ରକାଶ କରିଥିଲା । ତେବେ ଏବେ ଆକଳନ କରାଯାଉଥିବା କ୍ଷତିର ପରିମାଣ ପୂର୍ବ ଆଶଙ୍କାଠାରୁ ବହୁ ଅଧିକ । ତେବେ ଅତିରିକ୍ତ ବାଣିଜ୍ୟିକ ଆୟ ଏବଂ ଆଇସିସିରୁ ମିଳିବାକୁ ଥିବା ଅର୍ଥକୁ ନେଇ ଶେଷରେ କ୍ଷତିକୁ ୩୫ ନିୟୁତ ପାଉଣ୍ଡ ବା ପ୍ରାୟ ୪୩୯ କୋଟି ଟଙ୍କାକୁ ହ୍ରାସ କରାଯାଇପାରେ ବୋଲି ବୋର୍ଡର କିଛି ସୂତ୍ର ଆଶା ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ବେଶ୍ ଲାଭଦାୟକ ହୋଇଥାଏ । ଭାରତ ବିପକ୍ଷ ଘରୋଇ ସିରିଜରୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡକୁ ଟିକେଟ୍ ବିକ୍ରି, ପ୍ରସାରଣ ଅଧିକାର ଏବଂ ବିଜ୍ଞାପନ ମାଧ୍ୟମରେ ବିପୁଳ ଆୟ ମିଳିଥାଏ । କିନ୍ତୁ ୨୦୨୭ରେ ଭାରତର ଇଂଲଣ୍ଡ ଗସ୍ତ ନାହିଁ । ଏହାଦ୍ୱାରା ବୋର୍ଡର ଆୟରେ ବଡ଼ ହ୍ରାସ ଘଟିବା ଆଶଙ୍କା ରହିଛି । ଅନ୍ୟପଟେ, ୨୦୨୭ରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସେସ୍ ସିରିଜ୍ ଖେଳାଯିବ । ଏହି ସିରିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥିଲେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଏହା ଭାରତ ଗସ୍ତ ଭଳି ଲାଭ ଦେଇପାରିବ ନାହିଁ ।

Also Read: ଏହି ୨୦ ଖେଳାଳିରୁ ଚୟନ କରାଯିବ 2027 ODI ବିଶ୍ଵକପର ଟିମ୍ ଇଣ୍ଡିଆ !

ସେପଟେ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ଆର୍ଥିକ ସମସ୍ୟାକୁ ବଢ଼ାଇଛି ଆଇସିସିର ଏକ ନିଷ୍ପତ୍ତି । ସାଧାରଣତଃ ଆଇସିସିର ପ୍ରସାରଣ ଚୁକ୍ତିର ଶେଷ ବର୍ଷରେ ସଦସ୍ୟ ବୋର୍ଡଗୁଡ଼ିକୁ ଅଧିକ ରାଜସ୍ୱ ମିଳିଥାଏ । କିନ୍ତୁ ୨୦୨୭ରେ ଆଇସିସି ଏହି ରାଜସ୍ୱର କିଛି ଅଂଶ ଅଟକାଇ ରଖିବାକୁ ନିଷ୍ପତ୍ତି ନେଇଛି । ୨୦୨୮ରୁ ନୂଆ ପ୍ରସାରଣ ଚୁକ୍ତି ଆରମ୍ଭ ହେବାକୁ ଥିବାରୁ ଭବିଷ୍ୟତରେ ଆୟ ହ୍ରାସ ଆଶଙ୍କାକୁ ଦୃଷ୍ଟିରେ ରଖି ଆଇସିସି ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।