ଭୁବନେଶ୍ୱର: ପାଖରେ ପଇସା ନଥିଲେ ବି ପାର୍ବଣ ଅଫରରେ ଆମେ କ୍ରେଡିଟ କାର୍ଡରେ ଜିନିଷ କିଣିବାକୁ ପଛାଉ ନା। ନୋ କଷ୍ଟ ଇଏମ୍ଆଇର ଅଫର ଥିଲେ ତ ଆହୁରି ମଜା। ହେଲେ ଆପଣ ଜାଣନ୍ତି କି ଏହି ନୋ କଷ୍ଟ ଇଏମ୍ଆଇ ପୂରା ଫ୍ରି ନୁହେଁ। ଏଥିରେ ପ୍ରୋସେସିଂ ଫି, ୧୮% ଜିଏସଟି ଓ ତୁରନ୍ତ ମିଳିବାକୁ ଥିବା ଡିସକାଉଣ୍ଟ ନ ମିଳିବା, ଗ୍ରାହକଙ୍କ କିଣାକିଣିକୁ ମହଙ୍ଗା କରିଦିଏ। ନୋ କଷ୍ଟ ଇଏମଆଇର ଚକ୍କରକୁ ଆସନ୍ତୁ ଭଲଭାବରେ ବୁଝିବା ।

୧. ପ୍ରୋସେସିଂ ଫିସର ଏକ୍ସଟ୍ରା ବୋଝ

କେତେକ ବ୍ୟାଙ୍କ ଓ କ୍ରେଡିଟ କାର୍ଡ କମ୍ପାନୀ ନୋ କଷ୍ଟ ଇଏମଆଇ ଅପସନରେ ଅଲଗା ଭାବେ ପ୍ରୋସେସିଂ ଫି ନିଅନ୍ତି। ଏହି ଫି ୯୯ ଟଙ୍କାରୁ ନେଇ ୧୦୦୦ ଟଙ୍କାରୁ ବି ଅଧିକ ହୋଇଥାଏ। ପ୍ରଡକ୍ଟ କିଣା ଉପରେ ସୁଧ ନ ଦେବାକୁ ପଡ଼ୁଥିଲେ ବି ଏକାଥରେ କମ୍ପାନୀ ଯେଉଁ ଫି ସବୁ ଆଦାୟ କରିଥାଏ, ତାହା ଗ୍ରାହକଙ୍କୁ ମହଙ୍ଗା ପଡ଼ିଥାଏ

୨. ସୁଧ ଓ ପି ଉପରେ ୧୮ ପ୍ରତିଶତ ଜିଏସ୍‌ଟି

ନୋ-କଷ୍ଟ ଇଏମଆଇରେ ମର୍ଚ୍ଚାଣ୍ଟ କିମ୍ବା ବ୍ୟାଙ୍କ ସୁଧରାଶିକୁ ପ୍ରଡକ୍ଟରର ମୂଲ୍ୟରୁ ଡିସ୍କାଉଣ୍ଟ ଭାବରେ ହ୍ରାସ କରିଦେଇଥାନ୍ତି। ଟେକ୍ନିକାଲି ଦେଖିଲେ ବ୍ୟାଙ୍କ ସେହି ଟ୍ରାଞ୍ଜାକ୍ସନ ଉପରେ ସୁଧ ଆଦାୟ କରିଥାଏ। ନିୟମ ଅନୁସାରେ ଏଇଏମଆଇର ସୁଧ ଓ ପ୍ରୋସେସିଂ ଫି ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଲାଗିଥାଏ। ଯାହା ଗ୍ରାହକଙ୍କୁ ଦେବାକୁ ପଡ଼େ।

୩. ଅପଫ୍ରଣ୍ଟ ଓ ଇନଷ୍ଟାଣ୍ଟ ଡିସ୍କାଉଣ୍ଟର କ୍ଷତି

ପାର୍ବଣ ସମୟରେ ବ୍ୟାଙ୍କଗୁଡ଼ିକ କ୍ରେଡିଟ୍ କାର୍ଡ ଉପରେ ସିଧା ୧୫୦୦ ଟଙ୍କା ପର୍ଯ୍ୟନ୍ତ ଫ୍ଲାଟ୍ ୧୦% କିମ୍ବା ଇନଷ୍ଟାଣ୍ଟ ଡିସକାଉଣ୍ଟ ଦିଅନ୍ତି। ହେଲେ ଆପଣ ନୋ କଷ୍ଟ ଇଏମଆଇ ବିକଳ୍ପ ବାଛିଲେ ଆପଣଙ୍କୁ ଏହି ଫ୍ଲାଟ୍ ରିହାତି ମିଳେ ନାହିଁ। ଏପରି ସ୍ଥଳରେ ଯଦି ଆପଣ ଫୁଲ ପେମେଣ୍ଟ କରିବେ ତେବେ EMI ତୁଳନାରେ ପ୍ରଡକ୍ଟ ଆପଣଙ୍କୁ ଶସ୍ତା ପଡ଼ିବ।

୪. ପ୍ରି କ୍ଲୋଜର ଓ ଫୋରକ୍ଲୋଜର ଚାର୍ଜ

ଯଦି ଏମଆଇ ଅବଧି ସରିବା ପୂର୍ବରୁ ଆପଣ କ୍ରେଡିଟ କାର୍ଡର ବାକି ଟଙ୍କା ପରିଶୋଧ କରିବାକୁ ଚାହୁଁଛନ୍ତି ତେବେ ବ୍ୟାଙ୍କ ଆପଣଙ୍କ ଠାରୁ ଫୋରକ୍ଲୋଜର ବା ପ୍ରିପେମେଣ୍ଟ ଚାର୍ଜ ନେଇପାରେ। ଏହି ଚାର୍ଜ ସାଧାରଣତ ବାକି ଥିବା ମୋଟ ଦେୟର ୨ରୁ ୫ ପ୍ରତିଶତ ହୋଇଥାଏ। ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗିଥାଏ।

୫. ସ୍ମାର୍ଟ ସପିଂ ପାଇଁ କଣ କରିବେ ?

କେବଳ ଇଏମଆଇ ଦେଖି କିଣାକିଣି କରନ୍ତୁ ନାହିଁ। କୌଣସି ଅଫର ବାଛିବା ପୂର୍ବରୁ, ଫାଇନାଲ ବିଲ୍ ପ୍ରୋସେସିଂ ଚାର୍ଜ, ଟ୍ୟାକ୍ସ ଏବଂ ହରାଇଥିବା ଡିସକାଉଣ୍ଟକୁ ମିଶାଇ ଫୁଲ ପେମେଣ୍ଟର ତୁଳନା କରନ୍ତୁ। ବଜେଟ୍ରେ ଜିନିଷ କିଣିବା ଓ ପାର୍ବଣ ସରିବା ପରେ ଯେମିତି ବୋଝ ନ ରହିବା ହିଁ ସଠିକ ଡିଲ୍ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।ନୋ କଷ୍ଟ ଇଏମଆଇ କେମିତି କାମ କରିଥାଏ ? ଆଇନଗତ ଭାବରେ ଦେଖିଲେ ବ୍ୟାଙ୍କ ୦% ସୁଧରେ ଋଣ ଦେଇପାରିବ ନାହିଁ। ଏଥିପାଇଁ ନୋ କଷ୍ଟ ଇଏମଆଇରେ ବ୍ୟାଙ୍କ ଆପଣଙ୍କ ଠାରୁ ଯେତିକି ସୁଧ ନେଇଥାଏ, ସେତିକି ଟଙ୍କା(ଦୋକାନୀ କିମ୍ବା ଇ-ମକର୍ଶ ସାଇଟ୍) ଆପଣଙ୍କ ପ୍ରଡକ୍ଟ ଉପରେ ଡିସ୍କାଉଣ୍ଟ କରିଦିଆଯାଏ। କିନ୍ତୁ ଡିସକାଉଣ୍ଟ ଉପରେ ୧୮ ପ୍ରତିଶତ GST ଗ୍ରାହକଙ୍କୁ ହିଁ ଦେବାକୁ ପଡିଥାଏ।