ନୂଆଦିଲ୍ଲୀ: ହଠାତ ବନ୍ଦ ହୋଇଗଲା ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମ ‘X’। ସୋମବାର ସନ୍ଧ୍ୟାରେ ଏକ୍ସ ଠପ୍ ପଡ଼ିବାରୁ ବିଶ୍ବବ୍ୟାପୀ ୟୁଜର୍ସ ଅସୁବିଧା ଭୋଗିଛନ୍ତି । ଭାରତ ଏବଂ ଅନ୍ୟ କେତେକ ଦେଶର ବ୍ୟବହାରକାରୀମାନେ ସାଇଟ୍ ଆକ୍ସେସ୍ କରିପାରି ନଥିଲେ। ୟୁଜରମାନେ ଟ୍ୱିଟ୍ ପୋଷ୍ଟ କରିବାରେ ଏବଂ ଟାଇମଲାଇନ୍ ରିଫ୍ରେଶ୍ କରିବାରେ ସମସ୍ୟା ଭୋଗିଥିବା ନେଇ ରିପୋର୍ଟ କରିଥିଲେ । ୟୁଜରମାନେ ପ୍ଲାଟଫର୍ମରେ ଅଭିଯୋଗ କରିଥିଲେ ।

ଏକ୍ସର ଏହି ବିଭ୍ରାଟ ଆଜି ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିଲା। ଏକ ରିଅଲ୍-ଟାଇମ୍ ଟ୍ରାକିଂ ପ୍ଲାଟଫର୍ମ ଡାଉନଡିଟେକ୍ଟର ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭:୦୫ ସୁଦ୍ଧା ୩,୦୦୦ ରୁ ଅଧିକ ଅଭିଯୋଗ ମିଳିଥିଲା । ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୬୭% ୱେବସାଇଟରେ ଲଗଇନ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ରିପୋର୍ଟ ଅନୁସାରେ, ୧୮% ୟୁଜର ଆପ୍ ଖୋଲିବାରେ ସମସ୍ୟା ଭୋଗିଥିଲେ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅସୁବିଧା ହୋଇଥାଇପାରେ । ସର୍ଭର ଓଭରଲୋଡ୍ ହେଲେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୁଏ । ସେହିଭଳି, ବିଭ୍ରାଟ ନେଇ ଖବର ମିଳିବା ପରେ ଅଧିକରୁ ଅଧିକ ୟୁଜର ପ୍ଲାଟଫର୍ମରେ ଲଗଇନ୍ କରିବେ । ଏହା ଦ୍ବାରା ମଧ୍ୟ ପ୍ଲାଟଫର୍ମରେ ଲୋଡ୍ ପଡ଼ିବ । କମ୍ ସମୟ ମଧ୍ୟରେ ୟୁଜର ସଂଖ୍ୟା ଅଧିକ ବଢ଼ିଗଲେ, ପ୍ଲାଟଫର୍ମ ଠପ୍ ହେବାର ମଧ୍ୟ ଆଶଙ୍କା ଥାଏ । ସେପଟେ ସମସ୍ୟା ସର୍ବଦା ପ୍ଲାଟଫର୍ମରେ ହୁଏ ନାହିଁ । ଆପଣ ବ୍ୟବହାର କରୁଥିବା ଇଣ୍ଟରନେଟ୍ ସ୍ଲୋ ହେଲେ ମଧ୍ୟ ଏଭଳି ଅସୁବିଧା ଉପୁଜେ । ବିଭିନ୍ନ ସମୟରେ ଆପ୍ ଅପଡେଟ୍ ହୋଇନଥିଲେ, ଏଭଳି ସମସ୍ୟା ଦେଖାଦେଇପାରେ ।