ନୂଆଦିଲ୍ଲୀ:ଘର ଅଥବା ଗାଡ଼ି କିଣିବାକୁ ଭାବୁଛନ୍ତି କି?ତେବେ ନଭେମ୍ବର ମାସ ମଧ୍ୟରେ କିଣିଦେଲେ ଲାଭରେ ରହିବେ। ନଚେତ ଡିସେମ୍ବର ମାସ ବେଳକୁ ହୁଏତ ଆଉ ସମ୍ଭବ ହୋଇ ନପାରେ। ବୈଶ୍ୱିକ ପରିସ୍ଥିତିକୁ ଦେଖିଲେ ଆଗାମୀ ୨-୩ ମାସରେ ଘର ଓ ଗାଡ଼ି ନିର୍ମାଣ ବ୍ୟୟ ବୃଦ୍ଧି ଯୋଗୁ ଏ ସବୁର ଦାମ ବଢିବ। ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ ବଢାଯିବା କାରଣରୁ ଋଣରେ ସୁଧହାର ବଢିବା ଏକ ପ୍ରକାର ସୁନିଶ୍ଚିତ ଲାଗୁଛି।

ମୁଦ୍ରାସ୍ଫୀତିର ଚାପକୁ ଦେଖିଲେ ଡିସେମ୍ବର ମାସରେ ଆରବିଆଇ ପୁଣି ଥରେ ରେପୋ ରେଟ ବୃଦ୍ଧି କରିପାରନ୍ତି ବୋଲି ଆର୍ଥିକ ବିଶେଷଜ୍ଞମାନେ ଏବେଠୁ ଆକଳନ କରୁଛନ୍ତି। ଆରବିଆଇ ନିକଟରେ ରେପୋ ରେଟ ବୃଦ୍ଧି କରିଛନ୍ତି। ଯାହାର ପ୍ରଭାବ ଏବେ ଖର୍ଚ୍ଚ ଉପରେ ମଧ୍ୟ ଦେଖା ଗଲାଣି। କେତେକ ବିଶେଷଜ୍ଞ ଡିସେମ୍ବର ପରେ ମଧ୍ୟ ଆରବିଆଇ ମାର୍ଚ୍ଚ ମାସରେ ପୁଣି ରେପୋ ରେଟ୍ ବୃଦ୍ଧି କରିପାରନ୍ତି ବୋଲି ଆକଳନ କରୁଛନ୍ତି। ଏଣୁ ଆଶଙ୍କା କରାଯାଉଛି ବ୍ୟାଙ୍କମାନଙ୍କ ସୁଧ ହାର ଗତ ମାସ ତୁଳନାରେ ୫୦ ଆଧାର ଅଙ୍କ ପର୍ଯ୍ୟନ୍ତ ବଢି ଯାଇ ପାରେ ଓ ଘର କ୍ରୟ କରିବାକୁ ଭାବୁଥିବା ଲୋକଙ୍କୁ ଇଏମଆଇରେ ଅଧିକ ସୁଧ ଦେବାକୁ ପଡିପାରେ।

ଦେଶରେ ଗାଡ଼ି ହେଉ କି ଘର ପାଖାପାଖି ୭୦% ବ୍ୟାଙ୍କ ଋଣରେ କିଣାଯାଏ। ଏଥିରେ କାର ଋଣ ଅବଧି ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ରହୁଥିବା ବେଳେ ଏହାର ଋଣ କିସ୍ତି ମଧ୍ୟ ଅଧିକ ଦେବାକୁ ହୁଏ। ଏଥିରେ ଅର୍ବାନ ମନିର ସହ ସଂସ୍ଥାପକ ଅମିତ ପ୍ରକାଶ ସିଂହଙ୍କ କହିବା କଥା ହେଉଛି ଡିସେମ୍ବରରେ ଦର ବଢିଗଲେ କମ ଅଥବା ମଧ୍ୟମ ବଜେଟର ଘର କିଣିବାକୁ ଚାହୁଁଥିବା ଲୋକେ ନିଶ୍ଚିତ ରୂପେ ନିଜ ଖର୍ଚ୍ଚର ମୂଲ୍ୟାଙ୍କନ କରିବେ ଓ ଦରକାର ପଡିଲେ କ୍ରୟକୁ ଟାଳି ମଧ୍ୟ ପାରନ୍ତି। କାରଣ କମ ବଜେଟର କ୍ରେତାମାନେ ଘର କିଣିବା ବେଳେ ଲୋନ ଇଏମଆଇ ରାଶି ଉପରେ ପୁରା ଧ୍ୟାନ ଦେଇଥାନ୍ତି।

ପଶ୍ଚିମ ଏସିୟା ସଂକଟ କାରଣରୁ ଆଶୋଧିତ ତୈଳ ଦର ଲଗାତାର ବଢିବାରେ ଲାଗିଛି। ଏଣୁ ବୈଶ୍ୱିକ ସ୍ତରରେ ମୂଲ୍ୟ ବୃଦ୍ଧିର ପବନ ଏବେ ବହୁଛି। ଘରୋଇ ସ୍ତରରେ ମୁଦ୍ରାସ୍ଫୀତି ଏବେ ୫.୫ ପ୍ରତିଶତ ସ୍ତରକୁ ପାର କରିଯାଇଛି। ଏଥିରେ ଡିସେମ୍ବର ମାସ ବେଳକୁ ଏହା ୬ ପ୍ରତିଶତ ଉପରକୁ ପହଞ୍ଚି ପାରେ। ଗୁରୁବାର ଅଶୋଧିତ ତୈଳ ବ୍ୟାରଲ ପିଛା ଦର ୧୧୫ ଡଲାରକୁ ପହଞ୍ଚିଥିଲା। ଅଶୋଧିତ ତୈଳ ଦର ବଢିଲେ ସରକାରଙ୍କୁ ଅଧିକ ଡଲାର ଖର୍ଚ୍ଚ କରିବାକୁ ହୁଏ। ଏଣୁ ଟଙ୍କା ଦର ହ୍ରାସ ହୁଏ।