ମୁମ୍ବାଇ: ବଲିଉଡରେ କାଷ୍ଟିଂ କାଉଚ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ । ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ତଥା ଅଭିନେତା ନମାଶୀ ଚକ୍ରବର୍ତ୍ତୀ ନିଜ ସଂଘର୍ଷମୟ କ୍ୟାରିୟରର ଏକ ଖରାପ ଅନୁଭୂତି ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ନିଜ ଅଭିନୟ କ୍ୟାରିୟର ଆରମ୍ଭ ସମୟରେ ସେ ଅନେକ ଅସୁବିଧାର ସାମ୍ନା କରିଛନ୍ତି । ତନ୍ମଧ୍ୟରୁ ସେ ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ କହିଛନ୍ତି । ଯେଉଁଥିରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି ତାଙ୍କୁ ଫିଲ୍ମରେ କାମ ଦେବାର ଲାଳସା ଦେଖାଇ କିପରି ରାତି ୧୧ଟାରେ ରୁମ୍କୁ ଆସିବାକୁ କହିବା ସହ ଅଶ୍ଳୀଳ ମେସେଜ୍ ପଠାଇଥିଲେ ସେନେଇ ସେ ଦାବି କରିଛନ୍ତି।

ନମାଶୀଙ୍କ କହିବା ଅନୁସାରେ, ଅଭିନୟ ଜଗତରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ସେ ଅନେକ ଅଡିସନ୍ ଦେଇଥିଲେ। ଏହି ସମୟରେ ତାଙ୍କୁ ଜଣେ ବୟସ୍କ ବ୍ୟକ୍ତିଙ୍କ ଅସ୍ୱାଭାବିକ ଆଚରଣର ସାମ୍ନା କରିବାକୁ ପଡ଼ିଥିଲା। ଉକ୍ତ ବ୍ୟକ୍ତି ତାଙ୍କୁ ରାତି ୧୧ଟାରେ ରୁମ୍କୁ ଆସି ଦେଖା କରିବାକୁ କହିଥିଲେ। ଏପରି ନକଲେ ଫିଲ୍ମରେ କାମ ମିଳିବ ନାହିଁ ବୋଲି ମଧ୍ୟ କହିଥିବା ନମାଶୀ ଅଭିଯୋଗ କରିଛନ୍ତି। ଏହା ସହ ତାଙ୍କୁ ଅଶ୍ଳୀଳ ମେସେଜ୍ ମଧ୍ୟ ପଠାଯାଇଥିଲା ବୋଲି ସେ କହିଛନ୍ତି। ଏହି ଘଟଣା ସମ୍ପର୍କରେ ନମାଶୀ ନିଜ ବାପା ମିଥୁନ ଚକ୍ରବର୍ତ୍ତୀଙ୍କୁ ସବୁ କଥା ଜଣାଇଥିଲେ।

ରିପୋର୍ଟ ଅନୁସାରେ, ମିଥୁନ ତାଙ୍କୁ ଏହି ଘଟଣାକୁ ଅଣଦେଖା କରିବାକୁ ପରାମର୍ଶ ଦେଇଥିଲେ। ପରେ ସେ ଉକ୍ତ ବ୍ୟକ୍ତିଙ୍କୁ ନିଜକୁ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ବୋଲି ଜଣାଇଥିଲେ। ଏହା ଜାଣିବା ପରେ ବ୍ୟକ୍ତି ଜଣକ ଭୟଭୀତ ହୋଇ ନମାଶୀଙ୍କୁ କ୍ଷମା ମାଗିଥିବା ସେ କହିଛନ୍ତି । ଏହି ଘଟଣା ନମାଶୀଙ୍କୁ ଗଭୀରଚିନ୍ତାରେ ପକାଇଥିଲା । ତାଙ୍କ କହିବା ଅନୁସାରେ, ଯଦି ତାଙ୍କ ସ୍ଥାନରେ କୌଣସି ସାଧାରଣ ଯୁବକ ଥାଆନ୍ତେ, ତେବେ ତାଙ୍କ ପାଇଁ ପରିସ୍ଥିତି କେତେ ଜଟିଳ ହୋଇଥାଆନ୍ତା, ତାହା ଭାବି ସେ ଚିନ୍ତିତ ହୋଇଥିଲେ।

ନମାଶୀଙ୍କ ଏହି ଅନୁଭୂତି ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ପାଇବା ପାଇଁ ସଂଘର୍ଷ କରୁଥିବା ନୂଆ କଳାକାରଙ୍କ ସୁରକ୍ଷା ଓ କାଷ୍ଟିଂ କାଉଚ୍ ଭଳି ସମସ୍ୟାକୁ ନେଇ ଆଲୋଚନା ଆରମ୍ଭ କରିଛି। ସୂଚନା ଥାଉ କି, ନମାଶୀ ଚକ୍ରବର୍ତ୍ତୀ ୨୦୨୩ରେ 'Bad Boy' ଫିଲ୍ମ ମାଧ୍ୟମରେ ଅଭିନୟ ଜଗତରେ ପାଦ ରଖିଥିଲେ। ଷ୍ଟାର୍ କିଡ୍ ହୋଇଥିଲେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିବା ପାଇଁ ତାଙ୍କୁ ଅନେକ ଅଡିସନ୍ ଓ ରିଜେକ୍ଟର ସାମ୍ନା କରିବାକୁ ପଡ଼ିଥିବା କଥା ସେ ବିଭିନ୍ନ ସାକ୍ଷାତକାରରେ କହିଛନ୍ତି।