ଚେନ୍ନାଇ : ସୁପରଷ୍ଟାର ରଜନୀକାନ୍ତଙ୍କ ଜଲୱା... ବକ୍ସ ଅଫିସରେ ଧମାକା । ମାତ୍ର ୯ ଦିନରେ ୭୦୦ କୋଟି ଟଙ୍କା ପାର୍ । ପଛରେ ପଡ଼ିଲା ଫିଲ୍ମର ପ୍ରଥମ ଭାଗ ‘ଜେଲର’। ସିନେମା ହଲରେ ଫିଲ୍ମକୁ ନେଇ ଜବରଦସ୍ତ ଚର୍ଚ୍ଚା। ରଜନୀକାନ୍ତଙ୍କ ଫିଲ୍ମକୁ ନେଇ ସବୁବେଳେ ସିନେମା ଜଗତରେ ଜୋରଦାର ଚର୍ଚ୍ଚା ହୋଇଥାଏ । ତାଙ୍କ ଫିଲ୍ମ ଆସିଲେ ସିନେମା ହଲରେ ଜମେ ଦର୍ଶକଙ୍କ ଖଚାଖଚ ଭିଡ଼ , ଲାଗେ ଲମ୍ବା ଲାଇନ । ଆଉ ବର୍ତ୍ତମାନ ନିଜ ଅଭିନୀତ ଫିଲ୍ମ ଜେଲର-୧ର ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଥାଲାଇବା । ତାଙ୍କ ଷ୍ଟାଇଲ୍, ଦମଦାର ଆକ୍ସନ୍ ଆଉ ଜବରଦସ୍ତ ଅଭିନୟ ଦର୍ଶକଙ୍କ ମନ ଜିଣୁଛି । ଆଉ ଏହାକୁ ପ୍ରମାଣିତ କରିଛି ‘ଜେଲର-୨’ର ସଫଳତା । 

ଜେଲରକୁ ପଛରେ ପକାଇ ଆଗରେ ରହିଛି ଜେଲର-୨ । ଫିଲ୍ମକୁ ନେଇ ସମଗ୍ର ସିନେମା ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା। ବକ୍ସ ଅଫିସରେ ଫିଲ୍ମଟି ଜବରଦସ୍ତ ରୋଜଗାର କରୁଥିବା ଦାବି କରାଯାଉଛି। ମାତ୍ର ୯ ଦିନରେ ଫିଲ୍ମଟି ୭୦୦ କୋଟି ଟଙ୍କାର ଆୟ ଅତିକ୍ରମ କରିଥିବା ଖବର ସାମ୍ନାକୁ ଆସିଛି। ଏହା ସହ ନିଜର ପୂର୍ବ ଭାଗ ‘ଜେଲର-୧’ର ବକ୍ସ ଅଫିସ୍ ରେକର୍ଡକୁ ମଧ୍ୟ ପଛରେ ପକାଇଥିବା ଜଣାପଡିଛି। 'ଜେଲର-୨’ର ସଫଳତା ରଜନୀକାନ୍ତଙ୍କ ଲୋକପ୍ରିୟତାକୁ ପୁଣି ଥରେ ପ୍ରମାଣିତ କରିଛି। ତାଙ୍କ ଅଭିନୟ ଦେଖିବା ପାଇଁ ସିନେମା ହଲ୍ରେ ଦର୍ଶକଙ୍କ ଭିଡ଼ ବଢ଼ୁଥିବା କୁହାଯାଉଛି।

ସବୁଠାରୁ ବଡ଼ କଥା ହେଉଛି, ୯ ଦିନ ମଧ୍ୟରେ ଫିଲ୍ମଟି ନିଜର ମେକିଙ୍ଗ ବଜେଟ୍ ଆଦାୟ କରିନେଇଥିବା କୁହାଯାଉଛି। ଜେଲର ଫିଲ୍ମ ଫ୍ରାଞ୍ଚାଇଜ୍ ଦକ୍ଷିଣ ଭାରତୀୟ ଫିଲ୍ମ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଛୁଇଁଛି। ଏହା ଦକ୍ଷିଣ ଭାରତୀୟ ସିନେମା ଇତିହାସରେ ଏକମାତ୍ର ଫିଲ୍ମ ହୋଇଛି ଯାହାର ଉଭୟ ଭାଗ ୭୦୦ କୋଟିରୁ ଅଧିକ ଆୟ କରିଛି। ଏହା ତାମିଲ ସିନେମା ଇତିହାସରେ ତୃତୀୟ ସବୁଠାରୁ ବଡ଼ ଫିଲ୍ମ ମଧ୍ୟ ହୋଇଛି । ଏହି ଫିଲ୍ମଟି ବର୍ତ୍ତମାନ ଅନ୍ୟ ଦୁଇଟି ତାମିଲ ଫିଲ୍ମ: ଲିଓ ଏବଂ ରୋବୋଟ୍ 2.0ର ଆୟ ଠାରୁ ଆଗରେ ଅଛି। ସୂଚନା ଥାଉ କି, ନିର୍ଦ୍ଦେଶକ ନେଲସନ ଦିଲ୍ଲୀପକୁମାରଙ୍କ ଏହି ଫିଲ୍ମଟି ଗତ ଅକ୍ଟୋବର 15 ତାରିଖରେ ବିଶ୍ଵବ୍ୟାପୀ ସିନେମା ହଲରେ ରିଲିଜ ହୋଇଥିଲା । ଫିଲ୍ମରେ ମ୍ୟୁଜିକ କମ୍ପୋଜ କରିଥିଲେ ପ୍ରସିଦ୍ଧ ସଙ୍ଗୀତକାର ଅନିରୁଧ ରବିଚନ୍ଦର । ଫିଲ୍ମର ସମସ୍ତ ଗୀତଗୁଡିକ ମଧ୍ୟ ବେଶ ଜବରଦସ୍ତ ହୋଇଛି । ତେବେ ବକ୍ସ ଅଫିସରେ ‘ଜେଲର-୨’ର ଏହି ଦୌଡ଼ କେଉଁଠି ଯାଇ ରହୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।