ଭୁବନେଶ୍ୱର, ୨୯। ୦୭ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏଜି ଛକ ନିକଟସ୍ଥ ସରକାରୀ ବାସ ଭବନ ପରିସରରୁ ଆଜି ପୁଣି ଏକ ବଡ଼ ଢମଣା ସାପ ଉଦ୍ଧାର ହୋଇଛି। ସ୍ନେକ୍ ହଲ୍ପ ଲାଇନ୍ ପକ୍ଷରୁ ସାପକୁ ଉଦ୍ଧାର କରାଯିବା ପରେ ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପରିସରରେ ଏକ ବଡ଼ ସାପ ଦେଖି ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀମାନେ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ସାପଟି ପୁଲିସ ବାହିନୀ ରହୁଥିବା ଘର ବାରଣ୍ଡାରେ ପଶି ଯାଇଥିଲା। ବାରଣ୍ଡାରେ ଲାଗିଥିବା ଲୁହା କବାଟକୁ ବନ୍ଦ କରି ଦେଇଥିଲେ ଜଣେ ପୋଲିସ।

Also Read :- Ukraine: ୟୁକ୍ରେନର ବ୍ଲାକ ସିରେ ଜାହାଜ ଉପରେ ମିସାଇଲ ଆଟାକ; ୧୩ ଭାରତୀୟ ଫସିଥିବା ସୂଚନା, ଉଦ୍ଧାର ପାଇଁ ସରକାରକୁ ଅପିଲ

ଏହାପରେ ପୋଲିସ ବାହିନୀ ତରଫରୁ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ୬.୫ ଫୁଟ ଲମ୍ବର ଢମଣା ସାପଟିକୁ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରି ନେଇଥିଲେ।

ସୂଚନା ଥାଉକି, ଗତ ୧୮ ତାରିଖ ସନ୍ଧ୍ୟାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପରିସରରୁ ସାଢ଼େ ୪ ଫୁଟ ଲମ୍ବର ଏକ ଢମଣା ସାପକୁ ଉଦ୍ଧାର କରା ଯାଇଥିଲା ।