ନୂଆଦିଲ୍ଲୀ ୨୯।୦୭; ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସଙ୍କଟରେ ୧୩ ଭାରତୀୟ ନାବିକ । ୟୁକ୍ରେନର ଚୋର୍ନୋମୋର୍ସ୍କ ବନ୍ଦରରେ ଅଟକି ରହିଥିବା ଏମଭି AMIR1 ନାମକ ମାଲବାହୀ ଜାହାଜରେ ଥିବା ଭାରତୀୟ ନାବିକମାନେ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣର ଭୟ ମଧ୍ୟରେ ଦିନ କାଟୁଛନ୍ତି । ଭାରତ ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ କରି ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଦାବି କରିଛି ଫରୱାର୍ଡ ସିମେନ୍ସ ୟୁନିଅନ୍ ଅଫ୍ ଇଣ୍ଡିଆ ସୂଚନା ଅନୁସାରେ, ଏମଭି AMIR1 ଜାହାଜରେ ମୋଟ ୧୫ ଜଣ କ୍ରୁ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣ ଭାରତୀୟ।

ଜାହାଜଟି ୟୁକ୍ରେନର ଚୋର୍ନୋମୋର୍ସ୍କ ବନ୍ଦରରେ ଅଟକି ରହିଥିବାବେଳେ ଆଖପାଖ ଅଞ୍ଚଳରେ ବାରମ୍ବାର ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ହେଉଛି । ଏହା ଫଳରେ ଜାହାଜରେ ଥିବା ସମସ୍ତ କ୍ରୁଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ସୃଷ୍ଟି ହୋଇଛି । ଫରୱାର୍ଡ ସିମେନ୍ସ ୟୁନିଅନ୍ ଅଫ୍ ଇଣ୍ଡିଆ କହିଛି ଯେ, ନାବିକମାନେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ଫସି ରହିଛନ୍ତି । ସେଥିପାଇଁ କେନ୍ଦ୍ର ସରକାର, ଜାହାଜ ମାଲିକ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ସେମାନଙ୍କ ସୁରକ୍ଷିତ ଉଦ୍ଧାର ବ୍ୟବସ୍ଥା କରିବାକୁ ଆହ୍ୱାନ କରିଛି । ନାବିକମାନଙ୍କ ପରିବାର ମଧ୍ୟ ସେମାନଙ୍କ ସୁରକ୍ଷିତ ଫେରିବାକୁ ଅପେକ୍ଷା କରୁଛନ୍ତି । ବ୍ଲାକ୍ ସି ଅଞ୍ଚଳରେ ନିକଟ ଅତୀତରେ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ଘଟଣା ବଢ଼ିବା ପରେ ସେଠାରେ ନୌ-ପରିବହନ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।

ଏହି ପରିସ୍ଥିତିରେ ୟୁକ୍ରେନ ବନ୍ଦରରେ ଅଟକି ଥିବା ଭାରତୀୟ ନାବିକମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି । ଯୁଦ୍ଧର ପ୍ରଭାବ କେବଳ ସୀମାନ୍ତରେ ନୁହେଁ, ସମୁଦ୍ରପଥରେ କାର୍ଯ୍ୟରତ ସାଧାରଣ ନାବିକମାନଙ୍କ ଜୀବନ ଉପରେ ମଧ୍ୟ ପଡ଼ୁଛି। ୟୁକ୍ରେନରେ ଫସିଥିବା ଏହି ୧୩ ଭାରତୀୟ ନାବିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନେଇ ଏବେ ସେମାନଙ୍କ ପରିବାର ସହ ସମଗ୍ର ଦେଶର ନଜର ରହିଛି ।