ଦୁବାଇ : ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ପାଇଁ ଖାସ୍ । ଏହି ପର୍ବରେ ଘରଠାରୁ ଆରମ୍ଭ କରି ମନ୍ଦିର, ରାସ୍ତାଘାଟ ଓ ବଜାର ରଙ୍ଗୀନ୍ ଆଲୋକମାଳାରେ ସଜେଇ ହୋଇଥାଏ। ଘର ଅଗଣାରେ ଫୁଲ ଓ ବିଭିନ୍ନ ମୁରୁଜରେ ତିଆରି ହୁଏ ସୁନ୍ଦର ସୁନ୍ଦର ରଙ୍ଗୋଲି। ହେଲେ ଏଥର ଦୁବାଇରେ ଦେଖିବାକୁ ମିଳିଛି ଏକ ନିଆରା ରଙ୍ଗୋଲି। ଯାହାକୁ ରଙ୍ଗ କିମ୍ବା ଫୁଲରେ ନୁହେଁ, ବରଂ ସୁନା ଓ ହୀରା ଅଳଙ୍କାରରେ ତିଆରି କରାଯାଇଛି। ଏହି ନିଆରା ସୁନାର ରଙ୍ଗୋଲି ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ।

ଦୁବାଇର ସିଟି ସେଣ୍ଟର ଡେଇରା ମଲ୍ ରେ ଏହି ବିଶାଳ ଗୋଲ୍ଡେନ୍ ରଙ୍ଗୋଲିକୁ ଉଦଘାଟନ କରାଯାଇଛି। ବଲିଉଡ୍ ଅଭିନେତ୍ରୀ ତମନ୍ନା ଭାଟିଆ ଏହାର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଦୀପାବଳି ଉତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏଭଳି ଏକ ନିଆରା କଳାକୃତି ପ୍ରସ୍ତୁତ କରାଯାଇଛି। ଏହି ରଙ୍ଗୋଲିର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଆକାର ଓ ନିର୍ମାଣରେ ବ୍ୟବହୃତ ଅଳଙ୍କାର। ଏହାର ଲମ୍ବ ଓ ଚଉଡ଼ା ଉଭୟ ୨ ମିଟର ରହିଛି। ଅର୍ଥାତ୍ ପ୍ରାୟ ୪ ବର୍ଗମିଟର ଅଞ୍ଚଳରେ ଏହି ସୁନ୍ଦର ରଙ୍ଗୋଲି ତିଆରି କରାଯାଇଛି। ଏଥିରେ ମୋଟ ୨୧୩ଟି ସୁନା ଓ ହୀରାର ଅଳଙ୍କାର ବ୍ୟବହାର କରାଯାଇଛି। ଏହି ଅଳଙ୍କାରଗୁଡ଼ିକର ମୋଟ ଓଜନ ୬.୫ କିଲୋଗ୍ରାମ। ହାର, ଚୁଡ଼ି, କାନଫୁଲ ଓ ପେଣ୍ଡେଣ୍ଟ ଭଳି ବିଭିନ୍ନ ଅଳଙ୍କାରକୁ ଏଥିରେ ଅତି ସୁନ୍ଦର ଭାବରେ ସଜାଯାଇଛି। ତେବେ ଏତେ ବଡ଼ ଓ ସୁନ୍ଦର ଡିଜାଇନ୍ ପ୍ରସ୍ତୁତ କରିବା ଏତେ ସହଜ ନଥିଲା। ଏଥିପାଇଁ ୧୦ ଜଣିଆ କାରିଗରଙ୍କ ଟିମ୍ ନିୟୋଜିତ ହୋଇଥିଲେ। ପ୍ରତ୍ୟେକ ଅଳଙ୍କାରକୁ ଅତି ଯତ୍ନର ସହ ହାତରେ ସଜାଇ ରଙ୍ଗୋଲିର ରୂପ ଦେବାକୁ ସେମାନଙ୍କୁ ପ୍ରାୟ ୧୬ ଘଣ୍ଟା ସମୟ ଲାଗିଥିଲା।

 

ସାଧାରଣତଃ ଭାରତୀୟ ଘରେ ଦୀପାବଳି ସମୟରେ ରଙ୍ଗୋଲି ତିଆରି କରିବା ଏକ ପୁରୁଣା ପରମ୍ପରା। ଏଥିରେ ରଙ୍ଗ, ଫୁଲ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରାଯାଏ। କିନ୍ତୁ ଏଠାରେ ପାରମ୍ପରିକ ରଙ୍ଗୋଲିର ଡିଜାଇନ୍ ଅଳଙ୍କାରରେ ତିଆରି କରି ଏକ ନୂଆ ରୂପ ଦିଆଯାଇଛି। ଡାମାସ୍ ଓ ଦୁବାଇ ଫେଷ୍ଟିଭାଲ୍ସ ଆଣ୍ଡ ରିଟେଲ୍ ଏଷ୍ଟାବ୍ଲିସମେଣ୍ଟ (DFRE)ର ମିଳିତ ସହଯୋଗରେ ଏହି ଗୋଲ୍ଡେନ୍ ରଙ୍ଗୋଲି ପ୍ରସ୍ତୁତ ହୋଇଛି। ଗଲ୍ଫ ନ୍ୟୁଜ୍ର ରିପୋର୍ଟ ଅନୁସାରେ, ଏହାକୁ ଦୁବାଇରେ ଚାଲିଥିବା ଦୀପାବଳି ଉତ୍ସବର ଏକ ପ୍ରମୁଖ ଆକର୍ଷଣ ଭାବେ ରଖାଯାଇଛି। ଏହାର ଏକ ଭିଡିଓ ମଧ୍ୟ ସିଟି ସେଣ୍ଟର ଡେଇରା ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି।କେବଳ ଗୋଲ୍ଡେନ୍ ରଙ୍ଗୋଲି ନୁହେଁ, ଦୁବାଇରେ ଦୀପାବଳି ଅବସରରେ ଗ୍ରାହକଙ୍କ ପାଇଁ ଆହୁରି ଅନେକ ଆକର୍ଷଣୀୟ ଅଫର୍ ରହିଛି। ସହରର ବିଭିନ୍ନ ଗହଣା ଦୋକାନରେ ସ୍ୱତନ୍ତ୍ର ରିହାତି ଓ ଉପହାର ଯୋଜନା ଚାଲିଛି। ଏହାସହ ଗ୍ରାହକଙ୍କୁ ସୁନା ଜିତିବାର ସୁଯୋଗ ମଧ୍ୟ ମିଳୁଛି। ଦୁବାଇର ଦୀପାବଳି ଗୋଲ୍ଡ ରଶ୍ ପ୍ରମୋସନ୍ ଅକ୍ଟୋବର ୨୪ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିଛି। ଏଥିରେ ୧୮୦ରୁ ଅଧିକ ଗହଣା ଦୋକାନ ସାମିଲ ହୋଇଛନ୍ତି। ଏହାସହ ଆକର୍ଷଣୀୟ ଅଫର ମଧ୍ୟ ରହିଛି।

 Also Read- ଚାଇନା ଗୁପ୍ତଚରଙ୍କ ସହ Nvidia CEOଙ୍କ ପ୍ରେମ ସଂପର୍କ, ପତ୍ନୀଙ୍କୁ ଧୋକା; ସାରା ଦୁନିଆରେ ଖେଳିଗଲା ଚାଞ୍ଚଲ୍ୟ

ସବୁଠାରୁ ବଡ଼ କଥା ହେଉଛି, ଭାରତୀୟ ପରମ୍ପରାର ଏକ ସୁନ୍ଦର ପ୍ରତୀକ ରଙ୍ଗୋଲିକୁ ଏଥର ଦୁବାଇରେ ସୁନା ଓ ହୀରାର ଅଳଙ୍କାରରେ ସଜାଯାଇଛି। ଏହା କେବଳ ଏକ କଳାକୃତି ନୁହେଁ, ବରଂ ଭାରତୀୟ ପରମ୍ପରା ଓ ଦୁବାଇର ଆକର୍ଷଣୀୟ ଉତ୍ସବ ଆୟୋଜନର ଏକ ନିଆରା ମିଶ୍ରଣ।