ନୂଆଦିଲ୍ଲୀ: ହାରିବା ଭୟରେ ବିଳିବିଳି ହେଲେଣି କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବାରମ୍ବାର ବଦଳାଉଛନ୍ତି କଥା। UFCର CEO ଡାନା ହ୍ୱାଇଟ୍ଙ୍କୁ ହ୍ୱାଇଟ୍ ହାଉସର ପ୍ରେସ୍ ସଚିବ କରିବା କଥା କହିଥିଲେ। ଚର୍ଚ୍ଚା ବଢ଼ିବା ପରେ ନିଜର କଥା ବଦଳାଇଛନ୍ତି। ଏହା କେବଳ ଏକ ମଜାକ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ଫକ୍ସ ନ୍ୟୁଜ୍କୁ ସାକ୍ଷାତକାର ଦେବା ସମୟରେ ଟ୍ରମ୍ପ କହିଛନ୍ତି ଯେ, ସେ ଡାନା ହ୍ୱାଇଟ୍ଙ୍କୁ ପ୍ରେସ୍ ସଚିବ କରିବା କଥା କେବଳ ମଜାକରେ କହିଥିଲେ। ହ୍ୱାଇଟ୍ ହାଉସ୍ ଯିବା ପୂର୍ବରୁ ସେ ଏହି ମନ୍ତବ୍ୟ ଦେଇଥିଲେ।

ଟ୍ରମ୍ପ କହିଛନ୍ତି, "ଲୋକମାନେ ବୁଝିବା ଉଚିତ ଯେ ମୁଁ କେବଳ ମଜାକ କରୁଥିଲି। ଡାନା ହ୍ୱାଇଟ୍ଙ୍କୁ ମଧ୍ୟ ଏହି ବିଚାର ପସନ୍ଦ ଆସିଥିଲା। ଡାନାଙ୍କ ଭଳି ଆଉ କେହି ନାହାନ୍ତି। ସେ ଜଣେ ଚମତ୍କାର ବ୍ୟକ୍ତି। ତାଙ୍କ ସହ କେହି ଝଗଡ଼ା କରିବାକୁ ମଧ୍ୟ ଚାହିଁବେ ନାହିଁ। କିନ୍ତୁ ମୁଁ ନିଶ୍ଚିତ ଭାବେ ମଜାକ କରୁଥିଲି। ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ (Midterm Election) ପରେ ନିଜ ମନ୍ତ୍ରିମଣ୍ଡଳରେ କିଛି ପରିବର୍ତ୍ତନ କରିବାକୁ ଟ୍ରମ୍ପ ସଙ୍କେତ ଦେଇଛନ୍ତି।

ଗତ ଶନିବାର ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ UFC CEO ଡାନା ହ୍ୱାଇଟ୍ଙ୍କୁ ହ୍ୱାଇଟ୍ ହାଉସ୍ର ପ୍ରେସ୍ ସଚିବ ପଦ ପାଇଁ ପ୍ରସ୍ତାବ ଦେଇଥିବା କଥା ଉଲ୍ଲେଖ କରିଥିଲେ। ଟ୍ରମ୍ପ ନିଜ ପୋଷ୍ଟରେ ଲେଖିଥିଲେ ଯେ, "ପାଗଳ ବାମପନ୍ଥୀଙ୍କଠାରୁ ନିଜକୁ ସୁରକ୍ଷା ଦେବା ପାଇଁ ଆମକୁ ଏହି ଲୋକମାନଙ୍କ ଆବଶ୍ୟକତା ରହିଛି। ଡାନା ଏମିତି ଜଣେ ପ୍ରେସ୍ ସଚିବ ହେବେ, ଯାହାଙ୍କ ସହ କାହାରି ତୁଳନା ହୋଇପାରିବ ନାହିଁ। ଡାନା, ଦୟାକରି ଏହି ପଦ ଗ୍ରହଣ କରନ୍ତୁ।"

ଚାଇନା ଗୁପ୍ତଚରଙ୍କ ସହ Nvidia CEOଙ୍କ ପ୍ରେମ ସଂପର୍କ, ପତ୍ନୀଙ୍କୁ ଧୋକା; ସାରା ଦୁନିଆରେ ଖେଳିଗଲା ଚାଞ୍ଚଲ୍ୟ

ଶନିବାର ଡାନା ହ୍ୱାଇଟ୍ ଲଣ୍ଡନରେ ଏକ ବକ୍ସିଂ ଇଭେଣ୍ଟରେ ଯୋଗ ଦେଇଥିଲେ। ସେଠାରେ ଏକ ପ୍ରେସ୍ କନଫରେନ୍ସରେ ସେ କହିଥିଲେ ଯେ, ସୋମବାର ଟ୍ରମ୍ପଙ୍କ ସହ ଏକ ବୈଠକ ପାଇଁ ସେ ୱାଶିଂଟନ ଯିବେ। ଟ୍ରମ୍ପ ଓ ଡାନା ହ୍ୱାଇଟ ହାଉସ୍‌ଙ୍କ ସମ୍ପର୍କ ବହୁ ପୁରୁଣା।

ଡାନା ହ୍ୱାଇଟ୍ ଇନଷ୍ଟାଗ୍ରାମରେ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବଂ ହ୍ୱାଇଟ୍ ହାଉସରେ ପ୍ରେସ୍ ବ୍ରିଫିଂ ପୋଡିୟମରେ ଠିଆ ହୋଇଥିବା ନିଜର ଫଟୋ ସେୟାର କରିଥିଲେ। ଏହାର କ୍ୟାପସନରେ ସେ ଲେଖିଥିଲେ, 'ଆଗାମୀ ଅଧ୍ୟାୟ ଆଡ଼କୁ।' ଏହି ପୋଷ୍ଟ କରିବାର ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ ଷ୍ଟିଫେନ ମିଲରଙ୍କୁ ନୂଆ ଚିଫ୍ ଅଫ୍ ଷ୍ଟାଫ୍ ଭାବେ ନିଯୁକ୍ତ କରିବା ନେଇ ଘୋଷଣା କରିଥିଲେ।