ତେହେରାନ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଏକ ଏପରି ରିପୋର୍ଟ ଆସୁଛି ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଋଷିଆର ଏକ ସରକାରୀ ନ୍ୟୁକ୍ଲିୟର କମ୍ପାନୀ ‘ରୋସାଟମ’ ମୁଖ୍ୟ ୨୮ ମାର୍ଚ୍ଚ ଶନିବାର କହିଛନ୍ତି ଯେ ଇରାନର ବୁଶହର ନ୍ୟୁକ୍ଲିୟର ପ୍ଲାଣ୍ଟର ପରିସ୍ଥିତି ବିଗିଡିବାରେ ଲାଗିଛି। ଏହି ରିପୋର୍ଟ ନ୍ୟୁକ୍ଲିୟର ପ୍ଲାଣ୍ଟ ନିକଟରେ ହୋଇଥିବା ଆକ୍ରମଣର ଦିନକ ପରେ ଆସିଛି। କୁହାଯାଉଛି ଏହି ଆକ୍ରମଣ ପରେ ନ୍ୟୁକ୍ଲିୟର ସୁରକ୍ଷା ଲାଗି ସିଧା ବିପଦ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଇଣ୍ଟରନ୍ୟାସନାଲ ଆଟମିକ ଏନର୍ଜୀ ଶୁକ୍ରବାର ସୂଚନା ଦେଇଥିଲେ ଯେ ବୁଶହର ଆଖପାଖରେ ବଡ଼ ଧରଣର ଆକ୍ରମଣ ହୋଇଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଗତ ୧୦ ଦିନରେ ଏହା ତୃତୀୟ ଏପରି ଘଟଣା।

ଋଷିଆ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଶନିବାର ବୁଶହର ନିକଟରେ ଏକ ଆକ୍ରମଣ ପୁଷ୍ଟି କରିଛି। ଋଷିଆ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜଖାରୋଭା ଏକ ବୟାନରେ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ଆଇଏଇଏ ଡାଇରେକ୍ଟର ଜେନେରାଲ ମାମଲାରେ ସିଧା ଇରାନୀ ଅଧିକାରୀଙ୍କ ସହ କଥା ହେବେ ଓ ଆକ୍ରମଣକାରୀଙ୍କୁ ତୁରନ୍ତ ଏକ ସ୍ପଷ୍ଟ ବାର୍ତ୍ତା ଦିଆଯାଇ ପାରିବ। ଏପଟେ ଇରାନ ବିଦେଶମନ୍ତ୍ରୀ ଅବାସ ଅରାଘଚୀ ଶୁକ୍ରବାର ଏକ ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟି କରିଥିଲେ। ସେ କହିଥିଲେ ଯେ ଶକ୍ତି ଫାସେଲିଟିରୁ ଦୂରରେ ରହିବାକୁ ଟ୍ରମ୍ପଙ୍କ ପ୍ରତିଶ୍ରୁତିକୁ ଇସ୍ରାଏଲ ଭଙ୍ଗ କରିଛି।

ଉଲ୍ଲେଖଯୋଗ୍ୟ ଯେ ଫାର୍ସ ନ୍ୟୁଜ୍ ଏଜେନ୍ସୀ ପକ୍ଷରୁ କୁହାଯାଇଛି ଯେ ସ୍ଥାନୀୟ ସମୟାନୁସାରେ ରାତି ୧୧ଟା ୪୦ ମିନିଟରେ ବୁଶହର ପାୱାରପ୍ଲାଣ୍ଟ ପରିସରରେ ଏକ ମିଜାଇଲ ପଡିଥିବାର ଖବର ମିଳିଥିଲା। ଏଜେନ୍ସୀ ପକ୍ଷରୁ କୁହାଯାଇଥିଲା ଯେ ଏହି ଆକ୍ରମଣ ଯୋଗୁ ସେପରି କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ। ସେହିପରି ବୁଶହର ବର୍ତ୍ତମାନ ଚାଲୁସ୍ଥିତିରେ ଥିବା ଏଜେନ୍ସୀ ଦାବି କରିଛି। ହେଲେ ଏହି ରିପୋର୍ଟରେ କାହାର ନାମ ନିଆଯାଇ ନାହିଁ। ତେବେ କିଛି ରିପୋର୍ଟରେ ଦାବି କରାଯାଇଛି ଯେ ଏହି ପ୍ଲାଣ୍ଟର ଯଦି କୌଣସି କ୍ଷତି ବି ହୁଏ ତେବେ ଏକ ଭୟଙ୍କର ପରମାଣୁ ଦୁର୍ଘଟଣାକୁ ଜନ୍ମ ଦେଇପାରେ।