ଅକଲ୍ୟାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚରେ ଭାରତ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଦଳ ଆଜି ୮୭ ରନର ବଡ଼ ବ୍ୟବଧାନରେ ପରାଜିତ ହୋଇଛି। ଶୁ୍କ୍ରବାର ଅକଲ୍ୟାଣ୍ଡର ଇଡେନ ପାର୍କରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ ବିନିୟମରେ ୨୫୯ ରନ୍ ବିଶାଳ ସ୍କୋର କରିଥିଲା। ଜବାବରେ ଭାରତ ମାତ୍ର ୧୭୨ ରନ୍ ହିଁ କରିପାରିଛି।

ଏତେ ବଡ଼ ବ୍ୟବଧାନରେ ଦଳ ପରାଜିତ ହେବା ପରେ ବୋଲରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ୟାପ୍ଟେନ ଶ୍ରେୟସ ଆୟର। ଦଳ ବୋଲିଂ ଆଶା ଅନୁରୂପ ହେଲା ନାହିଁ। ପାୱାର ପ୍ଲେରେ ହିଁ ମ୍ୟାଚ୍ ନ୍ୟୁଜିଲାଣ୍ଡ ପକ୍ଷକୁ ଚାଲିଯାଇିଲା ବୋଲି ଶ୍ରେୟସ କହିଛନ୍ତି।

କ’ଣ କହିଲେ କ୍ୟାପ୍ଟେନ୍ ?

ମ୍ୟାଚ୍ ସରିବା ପରେ ମିଡିଆକୁ ପ୍ରତିକ୍ରିୟା ଦେଇ ଶ୍ରେୟସ ଆୟର କହିଛନ୍ତି ଯେ ନିଶ୍ଚିତରୁପେ ଆରମ୍ଭରୁ ଆମ ବୋଲିଂ ଟିକେ ଦୁର୍ବଳ ହୋଇଥିଲା। ପାୱାର ପ୍ଲେରେ, ବିଶେଷ କରି ତୃତୀୟ ଓଭର ଖେଳ ବୁଲି ଯାଇଥିଲା। ତଥାପି ଭାରତୀୟ ବୋଲରମାନେ ପ୍ରଭାପ ପକାଇବାକୁ ଚେଷ୍ଟା କରିଥିଲେ, ହେଲେ ଗ୍ଲେନ ଫିଲିପ୍ସଙ୍କ ଇନିଂସ ଅସାଧାରଣ ରହିଥିଲା। ସେ ଏମିତି କିଛି ଶଟ ମାରିଛନ୍ତି ଯାହାକୁ ଦେଖିଲେ ଖୁବ ଆନନ୍ଦ ଲାଗିବ। ତେଣୁ ତାର ପୂରା ଶ୍ରେୟ ତାଙ୍କୁ ଯାଉଛି। ସେ ପୂରା ସିରିଜରେ ନିରନ୍ତର ଭଲ ପ୍ରଦର୍ଶନ କରି ଆସୁଛନ୍ତି। ତେଣୁ ତାଙ୍କ ଠାରୁ ବହୁତ କିଛି ଶିଖିବାର ରହିଛି ବୋଲି ଶ୍ରେୟସ ଆୟର କହିଛନ୍ତି।

ଆସନ୍ତା ମ୍ୟାଚ୍ ପୂର୍ବରୁ କେମିତି ହେବ ରଣନୀତି ?

ଆଗାମୀ ମ୍ୟାଚ୍ ପାଇଁ ଭାରତର ରଣନୀତି କଣ ହେବ ବୋଲି ପ୍ରଶ୍ନରେ ଶ୍ରେୟସ ଆୟର କହିଛନ୍ତି “ଆମେ କେଉଁ ଦିଗରେ ଭଲ କାମ କରିପାରୁଛୁ, ପ୍ରଥମେ ତାହା ବୁଝିବା ଖୁବ ଗୁରୁତ୍ୱପୂର୍ଣ୍ଣ। ହେମିଲଟନ ଯିବା ପୂର୍ବରୁ ଆମକୁ ଗୋଟିଏ ଦିନର ବ୍ରେକ୍ ଦିଆଯାଇଛି। ଏଥିପାଇଁ ଆମେ ରଣନୀତି ପ୍ରସ୍ତୁତ କରି ପୂରା ଶକ୍ତି ଲଗାଇ ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବୁ।

ଏହି ପଡ଼ିଆର ବାଉଣ୍ଡ୍ରି ଟିକେ ଅଲଗା ବୋଲି ଆମେ ଜାଣିଥିଲୁ। କିଛି ଖେଳାଳି ପ୍ରଥମ ଥର ପାଇଁ ଏହି ପଡ଼ିଆରେ ଖେଳୁଥିଲେ। ପରିସ୍ଥିତି ସହ ଖାପଖୁବାଇ ପାଇଁ ଟିକେ ସମୟ ଲାଗିଥାଏ। ତେବେ ଆରମ୍ଭର ୩ଟିଯାକ ମ୍ୟାଚ୍‌ରେ ଖେଳାଳିମାଙ୍କର ପ୍ରଦର୍ଶନ ଭଲ ରହିଥିଲା। ଏହା ଏକ ଶିକ୍ଷଣୀୟ ପ୍ରକ୍ରିୟା। ଆଶା କରୁଛୁ ଯେ ଆମେ ଆଗାମୀ ମ୍ୟାଚରେ ଗୋଟେ ସକାରାତ୍ମକ ଚିନ୍ତାଧାରା ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବୁ”

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ତୃତୀୟ ବଡ଼ ପରାଜୟ

କ୍ରିକେଟରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଏହା ଭାରତର ତୃତୀୟ ବଡ଼ ପରାଜୟ। ଏହା ପୂର୍ବରୁ ୨୦୨୩ରେ ଭାରତ କିୱି ଠାରୁ ୧୬୮ ରନରେ ବଡ଼ ପରାଜୟ ସାମ୍ନା କରିଥିଲା। ସେହିପରି ୨୦୨୬ରେ ଦଳ ଅହମଦାବାଦରେ ୯୬ ରନ୍ର ଦ୍ୱିତୀୟ ବଡ଼ ପରାଜୟ ଭୋଗିଥିଲା। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ ଏହା ଭାରତର ସବୁଠାରୁ ବଡ଼ ପରାଜୟ। ଏହା ପୂର୍ବରୁ ୨୦୧୯ରେ ୱେଲିଂଟନରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୮୦ ରନରେ ପରାସ୍ତ ହୋଇଥିଲା।