ମୋରଡ଼ା: ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ଭାଟି ଉପରେ ବଡ଼ ଧରଣର ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରାଯିବା ସହ ୧୧୫୦ ଲିଟର ଦେଶୀ ମଦ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।

ମୋରଡ଼ା ଅବକାରୀ ଅଧିକାରୀ ଦୀପକ କୁମାର ରାଉତଙ୍କ ସୂଚନା ଅନୁଯାୟୀ, ମୋରଡ଼ା ଅବକାରୀ ବିଭାଗ, ସଦର, ମୋବାଇଲ ଇନ୍ସପେକ୍ଟର, କୁଳିଅଣା, ଦେଉଳି ଓ ସଦର ଅବକାରୀ ବିଭାଗର କର୍ମଚାରୀମାନେ ମିଳିତ ଭାବେ ଏହି ଅଭିଯାନରେ ସାମିଲ ହୋଇଥିଲେ। ମୋରଡ଼ା ବ୍ଲକ ଅନ୍ତର୍ଗତ ଭାଲୁକଚୁଆ ଓ ହାଣ୍ଡିଭଙ୍ଗା ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ କରି ମୋଟ ୧୩,୫୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୧୧୫୦ ଲିଟର ଦେଶୀ ମଦ ଜବତ କରାଯାଇଛି।

ତେବେ ଏତେ ବଡ଼ ଧରଣର ଚଢ଼ାଉ ସତ୍ତ୍ୱେ କୌଣସି ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିବାରେ ଅବକାରୀ ବିଭାଗ ସଫଳ ହୋଇନାହିଁ। ଚଢ଼ାଉ ପୂର୍ବରୁ ଚୋରା ମଦ ବ୍ୟବସାୟୀମାନେ ଘଟଣାସ୍ଥଳରୁ ଖସି ପଳାଇବାରେ ସମର୍ଥ ହୋଇଥିବା ଜଣାପଡ଼ିଛି ।

Also Read: ରାଜଧାନୀରେ ଗ୍ୟାସ୍ ସିଲିଣ୍ଡର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ; ବିପୁଳ ସିଲିଣ୍ଡର ଜବତ

ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଚୋରା ମଦ ବ୍ୟବସାୟୀଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି। କେବଳ ମଦ ଓ ମହୁଲ ପୋଚ ଜବତ କରିବା ନୁହେଁ, ବରଂ ଏହି ବେଆଇନ କାରବାର ପଛରେ ଥିବା ମୁଖ୍ୟ ବ୍ୟବସାୟୀଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।