ଅକଲ୍ୟାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚରେ ଭାରତର ଲଜ୍ଜାଜନକ ପରାଜୟ। ୮୭ ରନ୍‌ରେ ହାରିଲା ଦଳ। ଶୁ୍କ୍ରବାର ଅକଲ୍ୟାଣ୍ଡର ଇଡେନ ପାର୍କରେ ଖେଳାଯାଇ ଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ହେଲେ ନିଷ୍ପତ୍ତି ଭାରତ ପାଇଁ ଭୁଲ୍ ସାବ୍ୟସ୍ତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡ ଧୂଆଁଦାର ବ୍ୟାଟିଂ କରି ଭାରତ ଆଗରେ ୨୫୯ ରନ୍‌ ବିଶାଳ ସ୍କୋର କରିଥିଲା। ଜବାବରେ ଭାରତ ମାତ୍ର ୧୭୨ ରନ୍‌ ହିଁ କରିପାରିଛି।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ରେ ଏହା ଭାରତର ସବୁଠାରୁ ବଡ଼ ପରାଜୟ। ଏହା ପୂର୍ବରୁ ୨୦୧୯ରେ ୱେଲିଂଟନରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୮୦ ରନରେ ପରାସ୍ତ ହୋଇଥିଲା। ଅକଲ୍ୟାଣ୍ଡରେ ନ୍ୟୁଜିଲାଣ୍ଡ ଦେଇଥିବା ୨୬୦ ରନ୍‌ ଟାର୍ଗେଟ ପିଛା କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୭୨ ରନ୍ କରିପାରିଛି। ଆଜି ଟିମ୍‌ର କୌଣସି ଜଣେ ହେଲେ ବି ବ୍ୟାଟର ଅର୍ଦ୍ଧଶତକ ହାସଲ କରିପାରି ନଥିଲେ। ଶେଷ ବେଳକୁ ତିଲକ ବର୍ମା ଯଦିଓ ସଂଘର୍ଷ ଜାରି ରଖିଥିଲେ, ହେଲେ ସେତେବେଳେକୁ ଟିମ୍ ଉପରେ ପ୍ରବଳ ଚାପ ରହିଥିଲା। ପ୍ରେସରରେ ରହି ତିଲକ ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ବି ମାତ୍ର ୩୫ ରନ୍ କରି ଆଉଟ୍ ହୋଇଥିଲେ।

ସଞ୍ଜୁ ଇସାନ ଫ୍ଲପ୍, ବ୍ୟାଟିଂ ଅର୍ଡର ଭାଙ୍ଗିଦେଲା ନ୍ୟୁଜିଲାଣ୍ଡ

ଆଜିର ମ୍ୟାଚ୍‌ରେ ଭାରତ ଆରମ୍ଭରୁ ଖରାପ ଖେଳିଥିଲା। ପ୍ରଥମ ଓଭରରେ ଦଳ ଦୁଇଟି ବଡ଼ ୱିକେଟ୍ ହରାଇଥିଲା। ଓପନର ବ୍ୟାଟର ସଞ୍ଜୁ ସାମସନ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଇଶାନ କିଶନ ଖାତା ଖୋଲି ନପାରି ପାଭିଲିଅନ ଫେରିଥିଲେ। ଏହାପରେ ଅଭିଷେକ ଶର୍ମାଙ୍କ ଓ କ୍ୟାପ୍ଟେନ ଶ୍ରେୟସ ଆୟରଙ୍କ ଉପର ଦଳ ଭରସା କରିଥିଲେ। ହେଲେ ସବୁଥର ନିଜ ବ୍ୟାଟିଂରେ ଯାଦୁ ଦେଖାଉଥିବା ଅଭିଷେକ ଏଥର କିଛି ଖାସ କରିପାରିଲେ ନାହିଁ।

ଅଭିଷେକ ଶର୍ମା ୧୫ ବଲ୍‌ରେ ୨୭ ରନ୍‌ ଓ ଶ୍ରେୟସ ଆୟର ୧୧ ବଲ୍‌ରେ ୨୨ ରନ୍ କରି ଆଉଟ୍ ହୋଇଥିଲେ। ଫଳରେ ଭାରତ ମାତ୍ର ୫୬ ରନ୍‌ରେ ୪ ଗୁରୁତ୍ୱପୂର୍ଣ୍ଣ ୱିକେଟ ହରାଇଥିଲା। ଏହାପରେ ନିମ୍ନକ୍ରମରେ ନୀତିଶ କୁମାର ରେଡ୍ଡୀ ୧୦ ବଲରେ ୨୧ ରନ୍‌, ମନଦୀପ ୧୩ ବଲ୍‌ରେ ୨୮ ରନ୍ କରି ଆଉଟ ହୋଇଥିଲେ।
​​​​​​Also Read- ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା : ବାଦ୍ ପଡିଲେ ଏହି ଷ୍ଟାର୍ ବୋଲର

ନ୍ୟୁଜିଲାଣ୍ଡ ପକ୍ଷରୁ ଜାକବ ଡଫି ୪ ଓଭର ବୋଲିଂ କରି ମାତ୍ର ୨୩ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ ନେଇଥିଲେ। ସେହିପରି ମାଥ୍ୟୁ ଫିସର ଓ ମିଚେଲ ସାଣ୍ଟନେର ଦୁଇଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଆଡାମ ମିଲନେ ଦଳକୁ ଗୋଟିଏ ସଫଳତା ଦେଇଥିଲେ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତୃତୀୟ ବଡ଼ ପରାଜୟ

କ୍ରିକେଟରେ ନ୍ୟୁଜିଲାଣ୍ଡ ଠାରୁ ଏହା ଭାରତର ତୃତୀୟ ବଡ଼ ପରାଜୟ। ଏହା ପୂର୍ବରୁ ୨୦୨୩ରେ ଭାରତ କିୱି ଠାରୁ ୧୬୮ ରନ୍‌ରେ ବଡ଼ ପରାଜୟ ସାମ୍ନା କରିଥିଲା। ସେହିପରି ୨୦୨୬ରେ ଦଳ ଅହମଦାବାଦରେ ୯୬ ରନ୍‌ର ଦ୍ୱିତୀୟ ବଡ଼ ପରାଜୟ ସାମ୍ନା କରିଥିଲା।

ଭାଙ୍ଗିଲା କ୍ଲିନ ସ୍ୱିପ ସ୍ୱପ୍ନ

ଏହି ଟି-୨୦ ସିରିଜ୍‌ରେ ଭାରତ ପୂର୍ବରୁ ୩ ମ୍ୟାଚ୍ ଜିତି ସିରିଜ ନିଜ ନାଁରେ କରି ସାରିଛି। ସିରିଜ୍‌ରେ ଭାରତ ବର୍ତ୍ତମାନ ୩-୧ରେ ଆଗୁଆ ରହିଛି। ତଥାପି ଦଳ କ୍ଲିନ ସ୍ୱିପ କରିବା ଲକ୍ଷ୍ୟରେ ଥିଲା। ହେଲେ ଆଜିର ବଡ଼ ପରାଜୟ ସେହି ସ୍ୱପ୍ନକୁ ଭାଙ୍ଗି ଦେଇଛି। ତେବେ ଦଳ ଶେଷ ମ୍ୟାଚ୍ ନିଶ୍ଚିୟ ଜିତିବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍ ନଭେମ୍ବର ୧ ତାରିଖରେ ହେମିଲଟନରେ ଖେଳାଯିବ।

ନ୍ୟୁଜିଲାଣ୍ଡର ବ୍ୟାଟିଂ

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡ ଯଦିଓ ଦ୍ୱିତୀୟ ଓଭରରେ ୱିକେଟ୍ ହରାଇଥିଲା, ହେଲେ ମଧ୍ୟକ୍ରମରୁ ଦୁର୍ବାର ପ୍ରହାର ଆରମ୍ଭ କରିଥିଲା। ଭାରତୀୟ ବୋଲରଙ୍କୁ ଛକା ଚୌକା ମାରି ଧୂଳି ଉଡ଼ାଇଥିଲେ କିୱେ ବ୍ୟାଟର। ଦଳ ୨୦ ଓଭରରେ ୭ ୱିକେଟ ହରାଇ ୨୫୯ ରନ୍‌ର ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ୪୯ ବଲ୍‌ରେ ୧୦୭ ରନ୍ କରିଥିବା ବେଳେ ମାଇକଲ ବ୍ରେସବେଲ ୨୫ ବଲ୍‌ରେ ୬୫ ରନର ଇନିଂସ ଖେଳିଥିଲେ।