ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଭାବନୀୟ ଘଟଣା। ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ପ୍ରଫେସରଙ୍କୁ ଛୁରାମାଡ଼ ହୋଇଛି। ଆକ୍ରମଣରେ କେମେଷ୍ଟ୍ରୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସତ୍ୟ ନାରାୟଣ ସାହୁ ଆହତ ହୋଇଛନ୍ତି। ତାଙ୍କ ଅଣ୍ଟାରେ ଛୁରା ଆଘାତ ଲାଗିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟରେ ପୂର୍ବରୁ ସ୍ୱିପର ଭାବେ କାମ କରୁଥିବା କୃପାସିନ୍ଧୁ ବାଗଙ୍କ ସହ ପ୍ରଫେସର ସତ୍ୟ ନାରାୟଣ ସାହୁଙ୍କର କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ବିଶୃଙ୍ଖଳିତ ଆଚରଣ ପାଇଁ କୃପାସିନ୍ଧୁଙ୍କୁ ପୂର୍ବରୁ ଚାକିରିରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି। ତେବେ ଯୁକ୍ତିତର୍କ ପରେ ଉତ୍ତ୍ୟକ୍ତ ହୋଇ କୃପାସିନ୍ଧୁ ବାଗ ପ୍ରଫେସରଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Also Read: ଦୁର୍ଘଟଣା ଧରାଇଦେଲା ଗଞ୍ଜେଇ, ବାଇକରେ କରୁଥିଲେ ଚୋରା ଚାଲାଣ

ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଫେରାର ଅଭିଯୁକ୍ତ କୃପାସିନ୍ଧୁ ବାଗଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ଏହି ଆକ୍ରମଣ ପଛର ପ୍ରକୃତ କାରଣ କ'ଣ, ସେନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।