ନବରଙ୍ଗପୁର: ମାଲକାନଗିରିରୁ ଗଞ୍ଜେଇ ନେଇ କଳାହାଣ୍ଡି ଯାଉଥିଲେ ଦୁଇ ଅଭିଯୁକ୍ତ । ଚାଲାଣ ପାଇଁ ବାଛିଥିଲେ ବାଇକର ଡିକି । ହେଲେ ପୋଲିସ ଗାଡ଼ି ଦେଖି ଦ୍ରୁତ ଗତିରେ ଖସିବାକୁ ଉଦ୍ୟମ ବେଳେ ଘଟିଲା ଦୁର୍ଘଟଣା । ଏଥିରେ ବାଇକର ଡିକି ଭାଙ୍ଗିଯିବାରୁ ଗଞ୍ଜେଇ ବିଛେଇ ହୋଇଯାଇଥିଲା। ଯାହାକୁ ଦେଖି ଉଦ୍ଧାର କରିବାକୁ ସେଠାରେ ପହଞ୍ଚିଥିବା ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣକୁ ଗିରଫ କରିଛି।

ପୋଲିସର ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଗୁଣ୍ଠିଗୁଡ଼ା ଗ୍ରାମର ଲୋକନାଥ ନାୟକ ଓରଫ ଅରୁଣ ନାୟକ ଏବଂ ତାଙ୍କ ସମ୍ପର୍କୀୟ ଜ୍ୱାଇଁ ହେମନ୍ତ ନାୟକ । ଏମାନେ ଗଞ୍ଜେଇ ନେଇ କଳାହାଣ୍ଡି ଯାଉଥିବା ବେଳେ, ନବରଙ୍ଗପୁର ସହରରେ ଦୁର୍ଘଟଣା ଯୋଗୁ ବାଇକରେ ଥିବା ଗଞ୍ଜେଇ ବିଷୟରେ ଜଣାପଡ଼ିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ, ଫେରାର ହେବାକୁ ଉଦ୍ୟମ କରିଥଲା ହେମନ୍ତ । ତାକୁ ମାଝୀଗୁଡ଼ା ନିକଟରୁ କାବୁ କରିଛି ପୋଲିସ । ସେହିଭଳି ଆହତ ଅଭିଯୁକ୍ତ ଲୋକନାଥ ମେଡିକାଲରେ ପୋଲିସ ନଜରରେ ଚିକିତ୍ସାଧୀନ ଅଛନ୍ତି ।

Also Read: ଭୟ ଦେଖାଇବା ପାଇଁ ଗୁଳି ଫୁଟାଇଲେ, ତାପରେ ଯାହା ଥିଲା ସବୁ ଲୁଟିନେଲେ...

ଅନ୍ୟପଟେ ଅନ୍ୟ ବାଇକରେ ଥିବା ନବରଙ୍ଗପୁର ଥାନା ତାରାଗାଁ ଗ୍ରାମର ଉଗ୍ରସେନ ହରିଜନ ଓ ଧାରଣାବେଡ଼ା ଗ୍ରାମର ଗୁପ୍ତ ହରିଜନ ଆହତ ହୋଇଛନ୍ତି । ସେମାନେ ଏବେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସତ ।