ଭୁବନେଶ୍ୱର: ରାଜଧାନୀରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଇଥିବା ଗ୍ୟାସ୍ ସିଲିଣ୍ଡର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଏମାନେ ଦିନରେ ରେକି କରୁଥିଲେ, ଆଉ ରାତି ହେଲେ ଘରେ ପଶି ଚୋରି କରୁଥିଲେ ଗ୍ୟାସ୍ ସିଲିଣ୍ଡର। ଏହାପରେ ଚୋରି ସିଲିଣ୍ଡରକୁ ସ୍ଥାନୀୟ ଦୋକାନୀଙ୍କୁ ବିକ୍ରି କରୁଥିଲେ। ଶେଷରେ ସିସିଟିଭି ଫୁଟେଜ୍ ଆଧାରରେ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ତମାଣ୍ଡୋ ଥାନା ପୋଲିସ।

ଏହି ଘଟଣାରେ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଏବଂ ଚୋରି ସାମଗ୍ରୀ କିଣୁଥିବା ରିସିଭରଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ୭୦ଟି ଗ୍ୟାସ୍ ସିଲିଣ୍ଡର ଜବତ ହୋଇଛି।

ସୂଚନା ଅନୁସାରେ, ଏହି ଗ୍ୟାଙ୍ଗର ସଦସ୍ୟମାନେ ବାଇକରେ ବୁଲି ବିଭିନ୍ନ ଅଞ୍ଚଳରେ ଘର ଚିହ୍ନଟ କରୁଥିଲେ। ଦିନବେଳେ ରେକି କରିବା ପରେ ରାତିରେ ସୁଯୋଗ ଦେଖି ଘରୁ ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିଲେ। ପରେ ଏହି ସିଲିଣ୍ଡରଗୁଡ଼ିକୁ ସ୍ଥାନୀୟ ଦୋକାନୀଙ୍କୁ ବିକ୍ରି କରି ଟଙ୍କା ହାସଲ କରୁଥିଲେ।

Also Read: ଦୁର୍ଘଟଣା ଧରାଇଦେଲା ଗଞ୍ଜେଇ, ବାଇକରେ କରୁଥିଲେ ଚୋରା ଚାଲାଣ

ତେବେ ଏହି ଚୋରି ଘଟଣାର ତଦନ୍ତ ବେଳେ ସିସିଟିଭି ଫୁଟେଜ୍ ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ସାଜିଥିଲା। ନ୍ୟୁଜ୍୭ ହାତରେ ମଧ୍ୟ ଏହି ଘଟଣାର ଏକ୍ସକ୍ଲୁସିଭ୍ ସିସିଟିଭି ଫୁଟେଜ୍ ଲାଗିଛି। ଅନ୍ୟପଟେ, ଚୋରି ସିଲିଣ୍ଡର କିଣୁଥିବା ଆଉ ତିନି ଜଣ ଦୋକାନୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ତଦନ୍ତ ଚଳାଇଛି। ଏହି ଚୋରି କାରବାର ପଛରେ ଆଉ କେଉଁମାନଙ୍କ ହାତ ରହିଛି ଏବଂ ଗ୍ୟାଙ୍ଗର ନେଟୱର୍କ କେତେ ବ୍ୟାପକ, ସେନେଇ ଖୋଳତାଡ଼ ଜାରି ରଖିଛି କମିଶନରେଟ୍ ପୋଲିସ।