ନୂଆଦିଲ୍ଲୀ, ୧୩/୧୦ : ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଘନଘନ ଆକ୍ରମଣ ଯୋଗୁ ଅତିଷ୍ଠ ହୋଇପଡିଛି ସାଉଦି ଆରବ । ଏପରିକି ଦେଶରେ ବର୍ତ୍ତମାନ ଇଣ୍ଟରସେପ୍ଟର ମିସାଇଲର ଘୋର ଅଭାବ ଦେଖାଦେଇଛି। ଫଳରେ ହୁତିର ମିସାଇଲକୁ ରୋକିବା କଷ୍ଟକର ହୋଇପଡିଛି। ରିୟାଦସ୍ଥିତ କିଙ୍ଗ ଖଲିଦ ବିମାନବନ୍ଦର ଉପରେ ହୁତିର ମିସାଇଲ ମାଡ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ଘଟିବା ଓ ୩୦୦ରୁ ଅଧିକ ଲୋକ ଆହତ ହେବା ଘଟଣା ସାଉଦିର ଏୟାର ଡିଫେନ୍ସ ସିଷ୍ଟମ ଉପରେ ପ୍ରଶ୍ନ ଉଠିଛି।

Also Read :- ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ ! ଦଶହରାରେ ହେବ କି ପ୍ରବଳ ବର୍ଷା ?

କିଙ୍ଗ ଖଲିଦ ବିମାନବନ୍ଦର ଉପରେ ଘଟିଥିବା ଆକ୍ରମଣ ଗତ ୧୦ ବର୍ଷ ଭିତରେ ସାଉଦି ଉପରେ ସବୁଠାରୁ ବଡ ତଥା ଘାତକ ହମ୍ଲା। ହୁତି ବିଦ୍ରୋହୀମାନେ ଆଗକୁ ଆହୁରି ପ୍ରଚଣ୍ଡ ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ହୁତିର ଏଭଳି ଧମକ ମିଳିବା ପରେ ସାଉଦି କର୍ତ୍ତୃପକ୍ଷ ଏବେ ଦେଶର ବିଭିନ୍ନ ସ୍ଥାନକୁ ଏୟାର ଡିଫେନ୍ସ ବ୍ୟାଟେରି ସ୍ଥାନାନ୍ତର ଆରମ୍ଭ କରିଛନ୍ତି। ଦେଶର ପ୍ରମୁଖ ତୈଳ ପ୍ରତିଷ୍ଠାନ, ବିମାନବନ୍ଦର ଏବଂ ରାଜପ୍ରାସାଦର ସୁରକ୍ଷା ନିମନ୍ତେ ଏହି ବ୍ୟାଟେରି ଏବେ ମୁତୟନ କରାଯାଉଛି। ପରିସ୍ଥିତି ଏଭଳି ହୋଇଛି ଯେ ସାଉଦି ଯୁବରାଜ ମହମ୍ମଦ ବିନ ସଲମାନ ନିଜକୁ ମଧ୍ଯ ସୁରକ୍ଷିତ ମଣୁନାହାନ୍ତି। ତେଣୁ ସମ୍ଭାବ୍ୟ ହୁତି ଆକ୍ରମଣ ଭୟରେ ସେ ଏବେ କଡା ସୁରକ୍ଷା ବଳୟରେ ଥିବା ରାଜପ୍ରାସାଦର ବଙ୍କରକୁ ସ୍ଥାନାନ୍ତର ହୋଇଛନ୍ତି। ଅଳ୍ପ କିଛି ପରିବାର ସଦସ୍ୟ ଓ ସୁରକ୍ଷାକର୍ମୀ ତାଙ୍କ ସହ ଅଛନ୍ତି । ସେ ନିର୍ଦ୍ଦିଷ୍ଟ କୌଣସି ସ୍ଥାନରେ ଅଧିକ ଦିନ ରହୁ ନାହାନ୍ତି। ଲଗାତାର ଭାବେ ଠିକଣା ମଧ୍ୟ ବଦଳାଇବାରେ ଲାଗିଛନ୍ତି ।

ସାଉଦି ପାଖରେ ବର୍ତ୍ତମାନ ଆଡଭାନ୍ସଡ ପ୍ୟାଟ୍ରିଅଟ ଓ ଥାଡ ମିସାଇଲ ସିଷ୍ଟମ ରହିଛି। କିନ୍ତୁ ଏତେବଡ ଦେଶକୁ ଲଗାତାର ଭାବେ ମିସାଇଲ ଆକ୍ରମଣରୁ ସୁରକ୍ଷିତ ରଖିବା କଷ୍ଟକର। ହୁତିର କ୍ରମାଗତ ଆକ୍ରମଣ ଫଳରେ ଇଣ୍ଟରସେପ୍ଟର ମିସାଇଲ ଶେଷ ହେବାରେ ଲାଗିଛି। ୟେମେନରେ ବହୁ ବର୍ଷ ହେଲା ଚାଲିଥିବା ସଂଘର୍ଷ ଯୋଗୁ ସାଉଦିରେ ହୁତିର ଆକ୍ରମଣ ବଢ଼ିଛି। କାରଣ ସାଉଦି ଆରବ ୟେମେନ ସରକାରଙ୍କୁ ସମର୍ଥନ କରୁଥିବା ବେଳେ ଇରାନ ହୁତି ବିଦ୍ରୋହୀଙ୍କୁ ସମର୍ଥନ ଯୋଗାଉଛି।

ହୁତିର ଆକ୍ରମଣ ଯୋଗୁ ସାଉଦିରେ ବିମାନ ଚଳାଚଳ ବାଧାପ୍ରାପ୍ତ ହେଉଛି। ତୈଳ ପ୍ରତିଷ୍ଠାନ ଉପରେ ଆକ୍ରମଣ ଯୋଗୁ ତୈଳ ଉତ୍ପାଦନ ଓ ଯୋଗାଣ ପ୍ରଭାବିତ ହେଉଛି। ଫଳରେ ବିପୁଳ ଆର୍ଥିକ କ୍ଷତି ଘଟୁଛି। କାରଣ ସାଉଦିର ଅର୍ଥନୀତି ହିଁ ତୈଳ ବିକ୍ରି ଯୋଗୁ ସମୃଦ୍ଧ ହୋଇଛି। ତେଣୁ ଦେଶକୁ ବିଶେଷକରି ତୈଳ ପ୍ରତିଷ୍ଠାନକୁ ସୁରକ୍ଷା ଯୋଗାଇବା ଲାଗି ସାଉଦି ସରକାର ପଡୋଶୀ ଦେଶମାନଙ୍କୁ ସହାୟତା ଯୋଗାଇବାକୁ କହିଛନ୍ତି।