ନୂଆଦିଲ୍ଲୀ: ଏକ ଧନୀ ଦେଶର ଜଣେ ଗରିବ, ଭାରତର ଜଣେ ଧନୀକଙ୍କଠୁ ଅଧିକ ଆୟ କରନ୍ତି । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବିଶ୍ବ ବ୍ୟାଙ୍କର ଏକ ରିପୋର୍ଟକୁ ନେଇ ଖୁବ୍‌ ଚର୍ଚ୍ଚା । ବିଶ୍ୱ ବ୍ୟାଙ୍କର ‘ପ୍ରଭର୍ଟି ଆଣ୍ଡ୍ ଇନଇକ୍ୱାଲିଟି ପ୍ଲାଟଫର୍ମ’ ଅନୁଯାୟୀ, ବିଶ୍ୱର କେତେକ ପ୍ରମୁଖ ଧନୀ ଦେଶର ସବୁଠୁ ଗରିବ ୧୦ ପ୍ରତିଶତ ଲୋକଙ୍କର ଦୈନିକ ଆୟ, ଭାରତର ସବୁଠୁ ଧନୀ ୧୦ ପ୍ରତିଶତ ଲୋକଙ୍କ ଆୟ ତୁଳନାରେ ଖୁବ ଅଧିକ। ଏହି ତଥ୍ୟରୁ ଜଣାପଡ଼ିଛି ଯେ, ଭାରତରେ ସବୁଠୁ ଗରିବ ୧୦ ପ୍ରତିଶତ ଲୋକଙ୍କର ଦୈନିକ ଆୟ କିମ୍ବା ଖର୍ଚ୍ଚର ସୀମା ବ୍ୟକ୍ତିପିଛା ପ୍ରାୟ ୩ ଡଲାର (ଭାରତୀୟ ମୂଦ୍ରାରେ ପ୍ରାୟ ୨୫୦ ଟଙ୍କା) । ଆମେରିକାରେ ଏହା ୨୫ ଡଲାର ହୋଇଥିବା ବେଳେ କାନାଡାରେ ୩୧ ଡଲାର । ଜର୍ମାନୀ ଓ ଅଷ୍ଟ୍ରେଲିଆରେ ୨୮ ଡଲାର । ଅର୍ଥାତ ଏହି ସବୁ ଦେଶର ଗରିବ ଲୋକଙ୍କ ଦୈନିକ ଖର୍ଚ୍ଚ ଖୁବ ଅଧିକ ।

ଅନ୍ୟପଟେ, ଭାରତର ସବୁଠୁ ଧନୀ ୧୦ ପ୍ରତିଶତ ଶ୍ରେଣୀରେ ସାମିଲ ହେବା ପାଇଁ ଜଣେ ବ୍ୟକ୍ତିର ଦୈନିକ ଆୟ କିମ୍ବା ଖର୍ଚ୍ଚର ସୀମା ମାତ୍ର ୧୦ ଡଲାର (ପ୍ରାୟ ୮୪୦ ଟଙ୍କା)। ଯଦି ବିକଶିତ ଦେଶକୁ ଦେଖାଯାଏ ,ତେବେ ଏହି ସୀମା ଆମେରିକାରେ ୧୭୩ ଡଲାର, କାନାଡା ଓ ଅଷ୍ଟ୍ରେଲିଆରେ ୧୨୯ ଡଲାର । ଜର୍ମାନୀରେ ୧୨୮ ଡଲାର ପର୍ଯ୍ୟନ୍ତ ରହିଛି। ବଡ଼ କଥା ହେଉଛି, ଭାରତର ‘ଆର୍ଥିକ ସର୍ବେକ୍ଷଣ’ ଅନୁଯାୟୀ, ଦେଶରେ ମାସକୁ ୮୦,୦୦୦ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଦେଶର ଶୀର୍ଷ ୧୦ ପ୍ରତିଶତ ସବୁଠୁ ଅଧିକ ରୋଜଗାରିଆ ଶ୍ରେଣୀରେ ଆସନ୍ତି । ଏହି ତୁଳନାରୁ ସ୍ପଷ୍ଟ ଯେ, ଭାରତର ସବୁଠୁ ଧନୀ ପରିବାରଗୁଡ଼ିକର ଜୀବନଶୈଳୀ, ବିକଶିତ ଦେଶଗୁଡ଼ିକର ସବୁଠୁ ଗରିବ ଲୋକଙ୍କ ଜୀବନଶୈଳୀ ତୁଳନାରେ ଯଥେଷ୍ଟ ତଳେ ରହିଛି।

ଏନଡିଟିଭିକୁ ପ୍ରତିକ୍ରିୟା ଦେଇ 'ଫାଉଣ୍ଡେସନ ଫର ଇକୋନୋମିକ ଡେଭଲପମେଣ୍ଟ'ର ପ୍ରୋଗ୍ରାମ ଆସୋସିଏଟ୍ ଅହୋନା ଦତ୍ତଗୁପ୍ତା କହିଛନ୍ତି ଯେ, ଏହି ତୁଳନା ଭାରତର ଏକ ଗଭୀର ସମସ୍ୟାକୁ ଦର୍ଶାଉଛି। ଏହା ହେଉଛି, କେବଳ ଗରିବୀ ନୁହେଁ, ବରଂ ସମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥାରେ ନିମ୍ନ ଆୟ ସ୍ତର। ଭାରତରେ ଦୈନିକ ୧୦ ଡଲାର ଖର୍ଚ୍ଚ କରୁଥିବା ବ୍ୟକ୍ତି ଧନୀ ୧୦ ପ୍ରତିଶତ ଶ୍ରେଣୀରେ ଆସୁଛନ୍ତି । କିନ୍ତୁ ଏହି ପରିମାଣରେ ଖର୍ଚ୍ଚ କରୁଥିବା ଲୋକେ, କାନାଡା, ଜାପାନ ଏବଂ ଆମେରିକା ଭଳି ଦେଶରେ ସବୁଠୁ ଗରିବ ଶ୍ରେଣୀରେ ଆସନ୍ତି ।

ଗରିବ ଭାରତୀୟଙ୍କ ଜୀବନଶୈଳୀରେ ସୁଧାର ଆଣିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି । କିନ୍ତୁ ଦେଶକୁ ସମୃଦ୍ଧ କରିବା ପାଇଁ ଏତିକି ଯଥେଷ୍ଟ ନୁହେଁ। ଯଦି ଗରିବ ଭାରତୀୟମାନେ ଆଜିର ଧନୀ ପରିବାରଗୁଡ଼ିକର ସମକକ୍ଷ ମଧ୍ୟ ହୋଇଯାଆନ୍ତି, ତଥାପି ସେମାନଙ୍କ ଜୀବନଶୈଳୀ ଧନୀ ଦେଶଗୁଡ଼ିକ ତୁଳନାରେ ଅନେକ ପଛରେ ରହିଯିବ। ତେଣୁ କେବଳ ଧନୀ ଓ ଗରିବଙ୍କ ମଧ୍ୟରେ ଥିବା ବ୍ୟବଧାନକୁ କମାଇବା ପରିବର୍ତ୍ତେ, ଭାରତକୁ ସମଗ୍ର ଜନସଂଖ୍ୟାର ଆୟ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।