ଭୁବନେଶ୍ୱର, ୧୩/୧୦ : ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଛି। ଅନ୍ୟପଟେ ରାଜ୍ୟର କେତେକ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ବର୍ତ୍ତମାନ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।

ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ। ତେବେ ଓଡ଼ିଶାରେ ବଡ଼ ବର୍ଷା ସମ୍ଭାବନା କମ୍ ରହିଛି। ଆସନ୍ତା ୧୭-୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Also Read :- ଆର୍ଟ ଜଗତରେ ନୂଆ ଇତିହାସ: ତୈୟବ ମେହେଟ୍ଟାଙ୍କ ପେଣ୍ଟିଂ ଭାଙ୍ଗିଲା ସବୁ ରେକର୍ଡ

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଦଶହରା ସମୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ପ୍ରାୟତଃ ଶୁଖୁଲା ରହିପାରେ। ତେବେ ଦକ୍ଷିଣ ଉପକୂଳ ଓ ନିକଟବର୍ତ୍ତୀ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ କିଛି ବର୍ଷା ହୋଇପାରେ। ତାଙ୍କ ଆକଳନ ଅନୁସାରେ ବର୍ତ୍ତମାନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ପାଗ ପ୍ରାୟ ଶୁଖୁଲା ରହିପାରେ। ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକରେ କାଁ ଭାଁ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୧୭ରୁ ୧୯ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ଏବଂ ଅଳ୍ପ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେବେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପାଗ ପ୍ରାୟତଃ ଶୁଖୁଲା ରହିପାରେ।

୨୦ ତାରିଖ ପବିତ୍ର ବିଜୟା ଦଶମୀରେ ପାଗରେ ସୁଧାର ଆସିବ। ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖୁଲା ରହିବ। ଆକାଶ ନିର୍ମଳ ହେବା ଓ ବାୟୁରେ ଆର୍ଦ୍ରତା କମିବା ଯୋଗୁଁ ରାତିରେ ଥଣ୍ଡା ବଢ଼ିପାରେ। ବିଶେଷ କରି କନ୍ଧମାଳ ଓ କୋରାପୁଟର ପାହାଡ଼ିଆ ଓ ଉପତ୍ୟକା ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହୋଇପାରେ। ନିକଟରେ ଫୁଲବାଣୀ ଓ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୯-୨୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଆଗକୁ ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ଆହୁରି କମିପାରେ। ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଧୀରେ ଧୀରେ ତାପମାତ୍ରା କମିପାରେ। ତେବେ ଉପକୂଳ ଓଡ଼ିଶାରେ ଭୋର ସମୟରେ ହାଲୁକା ଥଣ୍ଡା ଅନୁଭୂତ ହୋଇପାରେ ।