ନୂଆଦିଲ୍ଲୀ, ୧୨/୧୦ : ଦରଦାମ ଚାପ ଖାଲି ଆମ୍ ଆଦମୀଙ୍କ ଉପରେ ନୁହେଁ, କମ୍ପାନିଗୁଡ଼ିକ ବି ଏହା ପ୍ରଭାବରେ ଦବିଗଲେଣି। କଞ୍ଚାମାଲ ଏବଂ ଅନ୍ୟ ପ୍ରମୁଖ କମୋଡିଟି ଦର ବଢ଼ିବା କାରଣରୁ ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନିଗୁଡ଼ିକର ଖର୍ଚ୍ଚ ବଢ଼ି ଚାଲିଛି। ତେବେ ସେପ୍ଟେମ୍ବର ତ୍ରୟମାସରେ ଏହି କମ୍ପାନିଗୁଡ଼ିକର ଲାଭ କମିବା ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ବି କିଛି କମ୍ପାନିଙ୍କ ରାଜସ୍ବ ୧୦%ରୁ ଅଧିକ ବଢ଼ିବା ଆଶା ରହିଛି ।

ବ୍ରୋକରେଜ କମ୍ପାନି ଆଇସିଆଇସିଆଇ ଡାଇରେକ୍ଟ ନିକଟରେ ଏହାର ଏକ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ପ୍ୟାକେଜିଂରେ ବ୍ୟବହାର ହେଉଥିବା ଅଶୋଧିତ ତୈଳ ଏବଂ ଏଥିରୁ ପ୍ରସ୍ତୁତ ଉତ୍ପାଦଗୁଡ଼ିକର ଦରରେ ବୃଦ୍ଧି ସହିତ ଅନ୍ୟାନ୍ୟ କମୋଡିଟି ଦର ବୃଦ୍ଧି କମ୍ପାନିଗୁଡ଼ିକର ଚାପ ବଢ଼ାଇଦେଇଛି। ଏହାବ୍ୟତୀତ କେତେକ ପ୍ରାନ୍ତରେ କମ୍ ବୃଷ୍ଟିପାତ ଯୋଗୁ କୃଷି ଉତ୍ପାଦନ ଏବଂ ଗ୍ରାମୀଣ ଚାହିଦା ପ୍ରଭାବିତ ହେବା ଆଶଙ୍କା ରହିଛି। ଏହାର ପ୍ରଭାବ ବି କମ୍ପାନିଗୁଡ଼ିକର ବ୍ୟବସାୟ ଏବଂ ଲାଭ ଉପରେ ପଡ଼ିପାରେ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଆର୍ଥିକବର୍ଷ ୨୦୨୬-୨୭ର ଦ୍ଵିତୀୟ ତ୍ରୟମାସରେ ଅଧିକାଂଶ ଏମସିଜି କମ୍ପାନିଗୁଡ଼ିକର ପ୍ରଦର୍ଶନ ମିଶ୍ରିତ ରହିପାରେ। କେତେକ କମ୍ପାନିଗୁଡ଼ିକର ବିକ୍ରିରେ ଦୁଇ ଅଙ୍କ ବୃଦ୍ଧି ଘଟିପାରେ। କିନ୍ତୁ କମୋଡିଟି ଦର ବୃଦ୍ଧି ଯୋଗୁ ପରିଚାଳନା ଲାଭକ୍ଷେତ୍ରରେ ଅଭିବୃଦ୍ଧି କମ୍ ରହିପାରେ। ଦେଶର ଅଧିକାଂଶ ପ୍ରାନ୍ତରେ କମ୍ ବୃଷ୍ଟିପାତ ଯୋଗୁ କୃଷି ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି। ଗ୍ରାମୀଣ ଚାହିଦା ସଂକୁଚିତ ହୋଇପାରେ। ଖାଦ୍ୟ ମୁଦ୍ରାସ୍ଫୀତି ଆଗକୁ ବଢ଼ିବା ଦ୍ୱାରା ସହରାଞ୍ଚଳରେ ବି ଚାହିଦା ପ୍ରଭାବିତ ହୋଇପାରେ। ରିପୋର୍ଟରେ ଏହି ଅନୁମାନ କରାଯାଇଛି ଯେ, ଆର୍ଥିକବର୍ଷ ୨୦୨୬-୨୭ର ଦ୍ଵିତୀୟ ତ୍ରୟମାସରେ ବଦ୍ଧିତ ଖର୍ଚ୍ଚ କମ୍ପାନିଗୁଡ଼ିକ ଉପରେ ଚାପ ପକାଇପାରେ।

Also Read :- କମୁନି 'ସିଇସି ହଟାଅ' ତାତି : ଆଜି ଦିଲ୍ଲୀରେ ଇଣ୍ଡି ମେଣ୍ଟର ପଦଯାତ୍ରା

ଏଫଏମସିଜି କମ୍ପାନିଗୁଡ଼ିକ ପରିସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ପାରାସୁଟ୍ ନଡ଼ିଆ ତେଲ ଏବଂ ସଫୋଲା ଭଳି ବ୍ରାଣ୍ଡ୍ ପାଇଁ ଜଣା କମ୍ପାନି ମାରିକୋ ପ୍ରକାଶ କରିଛି ଯେ, ସେପ୍ଟେମ୍ବର ତ୍ରୟମାସରେ ଅଶୋଧିତ ତୈଳ ସହ ଜଡ଼ିତ ଉତ୍ପାଦଗୁଡ଼ିକ ଦର ବଡ଼ ଆକାରରେ ବଢ଼ିଛି। ଏହା ସତ୍ତ୍ୱେ କମ୍ପାନି ଭଲ ଲାଭ କରିବ ବୋଲି ଆଶାବାଦୀ ରହିଛି। ଅନ୍ୟପକ୍ଷରେ, ଗୋଦରେଜ୍ କଞ୍ଜୁମର ପ୍ରଡକ୍ଟସ କଞ୍ଚାମାଲ ଦର ବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଛି। କମ୍ପାନିର କେତେକ ପ୍ରମୁଖ ବ୍ରାଣ୍ଡ୍ ଯଥା ହିଟ୍, ଗୁଡନାଇଟ୍, ଗୋଦରେଜ୍ ନମ୍ବର-୧ ଏବଂ କମୋଡିଟିର ବର୍ନ୍ଧିତ ଦରର ପ୍ରଭାବ ପଡ଼ିଥିବା ଜଣାପଡ଼ିଛି।