ଭୁବନେଶ୍ୱର: ସ୍ପର୍ଶ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ୍ସ ଏକ ଏଆଇ- ସକ୍ଷମ କ୍ୟାଥ୍‌ଲ୍ୟାବ୍‌, ରୋବୋଟିକ୍‌ ସର୍ଜିକାଲ ସିଷ୍ଟମ୍‌ (SSI Mantra-3)  ଏବଂ ଏକ ଉନ୍ନତ କାର୍ଡିଓଥୋରାସିକ୍‌ ଅପରେସନ୍‌ ଥିଏଟର୍‌ (OT)ର ଶୁଭାରମ୍ଭ କରି ସ୍ୱାସ୍ଥ୍ୟ ସେବାରେ ପରବର୍ତ୍ତୀ ପିଢ଼ିର ପ୍ରଯୁକ୍ତି ଆଡ଼କୁ ନିଜର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି । 

ଭୁବନେଶ୍ୱରର ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଅତ୍ୟାଧୁନିକ ସୁବିଧାଗୁଡ଼ିକର ଉଦ୍‌ଘାଟନ କରାଯାଇଥିଲା । ଏଥିରେ ବରିଷ୍ଠ ଡାକ୍ତର, ସ୍ୱାସ୍ଥ୍ୟସେବା ଅଭିଜ୍ଞତା, କର୍ପୋରେଟ୍‌ ପ୍ରତିନିଧି, ସାମାଜିକ କ୍ଷେତ୍ରର ପ୍ରତିନିଧି ଏବଂ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ରୋଗୀଙ୍କ ପାଇଁ ଉନ୍ନତ ହୃଦ୍‌ରୋଗ ଚିକିତ୍ସା ଏବଂ ଅଳ୍ପ ମାତ୍ରାର ସର୍ଜରୀ ମାଧ୍ୟମରେ କରାଯାଉଥିବା ଅସ୍ତ୍ରୋପଚାରକୁ ଅଧିକ ସୁଲଭ କରିବା ଏହି ପଦକ୍ଷେପର ଲକ୍ଷ୍ୟ ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଡା. ମାନସ ରଞ୍ଜନ ସାହୁ ଉଦ୍‌ଘାଟନ କରିଥିଲେ । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ହୃଦ୍‌ରୋଗ ବିଭାଗର ନିର୍ଦ୍ଦେଶକ ଡା. ପ୍ରଭାତ କୁମାର ଦାଶ ଏବଂ ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲର କ୍ଲିନିକାଲ ନିର୍ଦ୍ଦେଶକ ତଥା ହୃଦ୍‌ରୋଗ ବିଭାଗର ମୁଖ୍ୟ ଡା. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ସ୍ପର୍ଶ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ୍‌ସ ଏହାର କଣ୍ଟାବାଡ଼ ସ୍ଥିତ ହସ୍ପିଟାଲ୍‌ରେ ମଡ଼୍ୟୁଲାର୍‌ ଅପରେସନ୍‌ ଥିଏଟର୍‌ ସହିତ ରୋବୋଟିକ୍‌ ସର୍ଜିକାଲ୍‌ ସିଷ୍ଟମ୍‌, ଏଆଇ-ସକ୍ଷମ କ୍ୟାଥ୍‌ଲ୍ୟାବ୍‌ ଏବଂ ୨୪/୭ ଜରୁରୀକାଳୀନ ହୃଦ୍‌ରୋଗ  ଚିକିତ୍ସା ସେବା ସଫଳତାର ସହ ସ୍ଥାପନ କରି କାର୍ଯ୍ୟକ୍ଷମ କରିଛି । ଏଥିପାଇଁ ଏକ ସ୍ୱତନ୍ତ୍ର ମହଲା ଓ କ୍ଲଷ୍ଟର୍‌ ଓପିଡିର ବ୍ୟବସ୍ଥା ରହିଛି ।

ରୋବୋଟ୍‌ ସହାୟତାରେ ଅସ୍ତ୍ରୋପଚାରରେ ଅଗ୍ରଗତି

ରୋବୋଟିକ୍‌ ସର୍ଜିକାଲ୍‌ ସିଷ୍ଟମ୍‌ ଅଳ୍ପ ଚିରା ମାଧ୍ୟମରେ କରାଯାଉଥିବା ଅସ୍ତ୍ରୋପଚାରରେ ସହାୟତା ପାଇଁ ପ୍ରସ୍ତୁତ କରାଯାଇଛି । ଏହା ସର୍ଜନମାନଙ୍କୁ ଉନ୍ନତ ଥ୍ରୀଡି ହାଇଡେଫିନେସନ୍‌ ଦୃଶ୍ୟ, ଅସ୍ତ୍ରୋପ୍ରଚାର ଉପକରଣ ଉପରେ ସଠିକ୍‌ ନିୟନ୍ତ୍ରଣ ଏବଂ ଉନ୍ନତ କାର୍ଯ୍ୟ ଦକ୍ଷତା ପ୍ରଦାନ କରେ । ଏହାର ଏକାଧିକ ମଲ୍ଟିଜଏଣ୍ଟ ରୋବୋଟିକ୍‌ ବାହୁଗୁଡ଼ିକ ନିୟନ୍ତ୍ରିତ ଓ ସଠିକ୍‌ ଗତି ସମ୍ଭବ କରାଇଥାଏ, ଯାହା ଦ୍ୱାରା ସର୍ଜନମାନେ ଛୋଟ ଚିରା ମାଧ୍ୟମରେ ଜଟିଳ ଅସ୍ତ୍ରୋପଚାର କରିପାରନ୍ତି ।

ରୋଗୀଙ୍କ ଚିକିତ୍ସାଗତ ଆବଶ୍ୟକତା ଅନୁଯାୟୀ ଏହି ରୋବୋଟିକ୍‌ ସର୍ଜରୀ ଦ୍ୱାରା ୟୁରୋଲୋଜି, ସ୍ତ୍ରୀରୋଗ, ସାଧାରଣ ଶଲ୍ୟଚିକିତ୍ସା, ଅଙ୍କୋଲୋଜି, କର୍କଟ ରୋଗର ଅସ୍ତ୍ରୋପଚାର, ଅଳ୍ପ ଚିରା ମାଧ୍ୟମରେ ହୃଦୟ ଅସ୍ତ୍ରୋପ୍ରଚାର ଏବଂ ଅନ୍ୟାନ୍ୟ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇ ପାରୁଛି । ଉପଯୁକ୍ତ ଭାବେ ଚୟନ କରାଯାଇଥିବା ରୋଗୀଙ୍କ କ୍ଷେତ୍ରରେ ଏହି ଅଳ୍ପ ଚିରାଯୁକ୍ତ ରୋବୋଟ୍‌ ସହାୟତା ପ୍ରାପ୍ତ ଅସ୍ତ୍ରୋପ୍ରଚାର ଛୋଟ ଚିରା, କମ୍‌ ରକ୍ତସ୍ରାବ, ଅସ୍ତ୍ରୋପ୍ରଚାର ପରେ କମ୍‌ ଅସୁବିଧା, ହସ୍ପଟାଲ୍‌ରେ କମ୍‌ ଦିନ ରହିବା ଏବଂ ଶୀଘ୍ର ସୁସ୍ଥ ହେବା ଭଳି ସୁବିଧା ପ୍ରଦାନ କରିପାରେ ।

ସ୍ପର୍ଶ ହସ୍ପିଟାଲ୍ସର ରୋବୋଟିକ ସର୍ଜରି କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି ଏହାର ବରିଷ୍ଠ ପରାମର୍ଶଦାତା ତଥା ଉନ୍ନତ ଲାପାରୋସ୍କୋପିକ୍‌ ଓ ରୋବୋଟିକ୍‌ ସର୍ଜନ ଡାକ୍ତର ମାଧୁରୀ ପଟ୍ଟନାୟକ । ସେ ପୂର୍ବ ଭାରତର ପ୍ରଥମ ମହିଳା ରୋବୋଟିକ୍‌ ସର୍ଜନ ଭାବେ ସ୍ୱୀକୃତ ।

ଉନ୍ନତ ହୃଦ୍‌ରୋଗ ଚିକିତ୍ସା ପାଇଁଏଆଇ-ସକ୍ଷମ କ୍ୟାଥ୍‌ଲ୍ୟାବ୍‌

ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ଏଆଇ-ସକ୍ଷମ କ୍ୟାଥ୍‌ଲ୍ୟାବ୍‌ ସ୍ପର୍ଶ ହସ୍ପିଟାଲ୍ସରେ ଉନ୍ନତ ହୃଦୟ ଓ ରକ୍ତ ନଳୀ ଇମେଜିଂ ପ୍ରଯୁକ୍ତି ଉପଲବ୍ଧ କରାଇଛି । ଏହା ହୃଦୟ ଓ ରକ୍ତ ନଳୀ ଗୁଡ଼ିକର ହାଇଡେଫିନେସନ୍‌ ଦୃଶ୍ୟ ପ୍ରଦାନ କରେ । ଏଆଇ ସହାୟତା ପ୍ରାପ୍ତ ବ୍ୟବସ୍ଥାଗୁଡ଼ିକ ଚିକିତ୍ସାଗତ ମୂଲ୍ୟାୟନ, ପ୍ରକ୍ରିୟାର ଯୋଜନା ଓ ଇମେଜ୍‌ ବିଶ୍ଳେଷଣରେ ସହାୟତା ପାଇଁ ପ୍ରସ୍ତୁତ କରାଯାଇଛି । ଏହାର ଉନ୍ନତ ଇମେଜିଂ କ୍ଷମତା ହୃଦୟ ଓ ରକ୍ତନଳୀ ସମ୍ବନ୍ଧୀୟ ଇଣ୍ଟରଭେନସନ୍‌ ସମୟରେ ଡାକ୍ତରମାନଙ୍କୁ ଅଧିକ ସ୍ପଷ୍ଟ ଦୃଶ୍ୟ ପାଇବାରେ ସାହାଯ୍ୟ କରେ ।

ଚିକିତ୍ସାଗତ ଆବଶ୍ୟକତା ଅନୁଯାୟୀ ଏହି ସୁବିଧା କୋରୋନାରୀ ଆଞ୍ଜିଓଗ୍ରାଫି, ଆଞ୍ଜିଓପ୍ଲାଷ୍ଟି, ଷ୍ଟେଣ୍ଟ୍‌ ସ୍ଥାପନ, ପେସ୍‌ମେକର ପ୍ରତ୍ୟାରୋପଣ, ପେରିଫେରାଲ ଭାସ୍କୁଲାର୍‌ ଇଣ୍ଟରଭେନସନ୍‌ ଏବଂ ଅନ୍ୟାନ୍ୟ ଇଣ୍ଟରଭେନସନାଲ୍‌ କାର୍ଡିଓଲୋଜି ପ୍ରକ୍ରିୟା ସମେତ ବିଭିନ୍ନ ଉନ୍ନତ ହୃଦ୍‌ରୋଗ ଚିକିତ୍ସା ପ୍ରକ୍ରିୟାରେ ସହାୟକ ହେବ ।

୨୪/୭ ଜରୁରୀକାଳୀନ ହୃଦ୍‌ରୋଗ ଚିକିତ୍ସା

ନୂତନ ହୃଦ୍‌ରୋଗ ଚିକିତ୍ସା ଭିତ୍ତିଭୂମିକୁ ଅଧିକ ସୁଦୃଢ଼କରିବା ପାଇଁ କଣ୍ଟାବାଡ଼ ସ୍ଥିତ ସ୍ପର୍ଶହସ୍ପିଟାଲ୍‌ରେ ୨୪/୭ ଜରୁରୀକାଳୀନ ହୃଦ୍‌ରୋଗ ଚିକିତ୍ସା ସେବା ଆରମ୍ଭ କରିଛି । ଏହି ସେବା ଜରୁରୀକାଳୀନ ବିଭାଗ, କ୍ୟାଥ୍‌ଲ୍ୟାବ୍‌ ଓ କାର୍ଡିଆକ୍‌ ଆଇସିୟୁକୁ ସଂଯୋଗ କରି ଜରୁରୀ ହୃଦ୍‌ରୋଗ ସମସ୍ୟା ନେଇ ଆସୁଥିବା ରୋଗୀଙ୍କର ଶୀଘ୍ର ମୂଲ୍ୟାୟନ ଓ ଚିକିତ୍ସା ସୁନିଶ୍ଚିତ କରିବ ।

ଇଣ୍ଟରଭେନସନାଲ୍‌ କାର୍ଡିଓଲୋଜିଷ୍ଟ, କ୍ରିଟିକାଲ୍‌ କେୟାର୍‌ ବିଶେଷଜ୍ଞ, ଟେକ୍ନିସିଆନ୍‌ ଏବଂ ହୃଦ୍‌ରୋଗ ଚିକିତ୍ସାରେ ନିୟୋଜିତ ପାରାମେଡିକାଲ୍‌ କର୍ମଚାରୀମାନଙ୍କ ସହଯୋଗରେ ଏହିସେବା ପରିଚାଳିତ ହେଉଛି । ଏହା ତୀବ୍ର ଓ ଗୁରୁତର ହୃଦ୍ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ସମୟୋଚିତ ଚିକିତ୍ସା ସମ୍ଭବ କରାଇବ । ଏହି ଉନ୍ନତ ପ୍ରଯୁକ୍ତି ଏବଂ ସମନ୍ୱିତ ଜରୁରୀକାଳୀନ ସେବା ଗୁଡ଼ିକର ସଂଯୋଜନ ମାଧ୍ୟମରେ ସ୍ପର୍ଶ ହସ୍ପିଟାଲ୍ସ ଓଡ଼ିଶାରେ ଉନ୍ନତ, ପ୍ରଯୁକ୍ତି ସକ୍ଷମ ଓ ରୋଗୀ କୈନ୍ଦ୍ରିକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ କରିବାକୁ ଲକ୍ଷ୍ୟରଖିଛି ।

​​​​​​​